• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ନେଇ କଂଗ୍ରେସ ରାଜନୀତିରେ ଝଡ଼ । ଦୁହେଁ ବିଜେଡି ଯାଉଥିବା ନେଇ ଚର୍ଚ୍ଚାକୁ ନିଲମ୍ବନ ନିଷ୍ପତ୍ତି ଅଧିକ ଖୋରାକ୍ ଯୋଗାଇଛି । ସେପଟେ ସେଦିନର ସଭା ପଛରେ ଆହୁରି ନେତାଙ୍କ ସଂପୃକ୍ତି ଥିବା, ବରିଷ୍ଠ କଂଗ୍ରେସ ନେତା କହିଲେଣି । ମୋକିମ୍ ନିଲମ୍ବନ ପାଇଁ ମୁଖିଆଙ୍କୁ ଦାୟୀ କରିଥିବା ବେଳେ ଆସନ୍ତାକାଲି ମଉନ ଭାଙ୍ଗିବେ ଚିରଞ୍ଜୀବ ।

ନିଲମ୍ବନ ପରେ ମୋକିମ୍ ଓ ଚିରଞ୍ଜୀବଙ୍କ ଗତି କୁଆଡେ ? ଦୁହେଁ ବିଜେଡି ଆଡକୁ ଢଳୁଛନ୍ତି କି ? ଦଳ ଉପରେ ଏହାର କି ପ୍ରଭାବ ପଡିବ ? ଏହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ ଜୋରଦାର ଚର୍ଚ୍ଚା । ପିସିସି ସଭାପତିଙ୍କ ଅଭିଯୋଗ ଆଧାରରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ଏଆଇସିସି ସ୍ପଷ୍ଟ କରିଛି । କିନ୍ତୁ ଚର୍ଚ୍ଚା ହେଉଛି ଉଭୟ କୁଆଡେ ଶାସକ ଦଳ ଲିଙ୍କରେ ଅଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ସମୟରେ ମୋକିମ୍ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ନଦେଇ ବିଜେଡିର ଅନୁରୋଧ କ୍ରମେ ଏନଡିଓ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ସେହିପରି ଉପନିର୍ବାଚନ ପରାଜୟ ପରେ ନେତୃତ୍ୱ ବିରୋଧରେ ମନ୍ତବ୍ୟ ଦେଇ ଶାସକ ଦଳ ସପକ୍ଷରେ ଭୂମିକା ନିର୍ବାହ କରୁଥିବା ଦଳପତି ଅନୁଭବ କରିଛନ୍ତି । ଅନ୍ୟପଟେ ଚିରଞ୍ଜୀବ ଯଦିଓ ଖୋଲାଖୋଲି ବିଜେଡି ସମର୍ଥନରେ ଆସିନାହାନ୍ତି ତଥାପି ସେ ବିଜେଡି ସଂସ୍ପର୍ଶରେ ଥିବା ନେଇ ହାଇକମାଣ୍ଡଙ୍କୁ ରାଜ୍ୟ କଂଗ୍ରେସ ଅବଗତ କରାଇଥିବା ଚର୍ଚ୍ଚା ହେଉଛି ।

ଜାନକୀ-ବସନ୍ତ ଯୋଡି ଓଡିଶା ରାଜନୀତିର ସୁବର୍ଣ୍ଣ ଯୁଗ ସଭାରେ କିନ୍ତୁ ମନ ଖୋଲି ଦଳ ବିରୋଧୀ ବୟାନ ଦେଇଥିଲେ ଚିରଞ୍ଜୀବ । ତେବେ ମୋକିମ୍ କଂଗ୍ରେସରେ ରହିବେ ବୋଲି ଦୃଢୋକ୍ତି ରଖିଥିବା ବେଳେ, ତାଙ୍କ ନିଲମ୍ବନ ପଛରେ କିନ୍ତୁ ମୁଖିଆଙ୍କ ହାତ ଥିବା ସିଧାସଳଖ କହିଛନ୍ତି । ଚିରଞ୍ଜୀବ ଆସନ୍ତାକାଲି ପ୍ରତିକ୍ରିୟା ରଖିବେ । ସେପଟେ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ମତ ହେଲା ନିଷ୍ପତ୍ତି ବଦଳାଇବାକୁ ଏଆଇସିସିକୁ ଅନୁରୋଧ କରିବୁ ।

ସେପଟେ ମୋକିମ ଓ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ଆରମ୍ଭ ହୋଇଛି ବୟାନ ବାଜି । ଉଭୟଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ମୋକିମଙ୍କୁ ସମର୍ଥକ ମାଷ୍ଟର କ୍ୟାଣ୍ଟିନ ଛକରେ ଶରତ ପଟ୍ଟନାୟକଙ୍କ ପୋଷ୍ଟର ପୋଡିଛନ୍ତି । ଚିରଞ୍ଜୀବଙ୍କ ସମର୍ଥକ ସାମ୍ବାଦିକ ସମ୍ମିଳନୀ କରି ନେତୃତ୍ୱକୁ ଟାର୍ଗେଟ କରିଛନ୍ତି । ଦଳର ବରିଷ୍ଠ ନେତା ଶରତ ରାଉତ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ଏଆଇସିସି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ । କିନ୍ତୁ ସଭା ଆୟୋଜନର ପ୍ରଚ୍ଛଦ ପଟରେ ଥିବା ନେତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ।

୨୦୧୪ ନିର୍ବାଚନ ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ୨୦୧୯ ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବହିଷ୍କାର କରିଥିଲା କଂଗ୍ରେସ । ଆଉ ଏବେ ୨୪ ନିର୍ବାଚନକୁ ବର୍ଷେରୁ କମ୍ ସମୟ ଥିବାବେଳେ ଏ ଦୁଇ ନେତାଙ୍କୁ ନିଲମ୍ବନ କଂଗ୍ରେସକୁ କେତେଦୂର ଆଗକୁ ନେଉଛି ତା’ଉପରେ ନଜର ।

 

  • Reported by:
  • DEBASHISH MOHANTY , JAGDISH DAS