• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡିର ଫ୍ଲାଗସିପ୍ ପୋଗ୍ରାମ ଜୀବନ ବିନ୍ଦୁ ନାଁରେ ହେଉଥିବା ରକ୍ତ ସଂଗ୍ରହରେ ବଡ଼ ଜାଲିଆତି ଅଭିଯୋଗ । ଓଡିଶା ମୋ ପରିବାର ଜରିଆରେ ବିଜେଡିର ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାରେ ଗତବର୍ଷ ଅକ୍ଟୋବରରୁ ଚଳିତବର୍ଷ ଜାନୁଆରୀ ମାସ ଭିତରେ ଯେତିକି ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଦର୍ଶାଯାଇଛି, ବାସ୍ତବିକ୍ ସେତିକି ରକ୍ତ ଜିଲ୍ଲା ରକ୍ତ ଭଣ୍ଡାରରେ ବି ନାହିଁ । ତେବେ ଏହି ରକ୍ତ ଗଲା କୁଆଡ଼େ ବୋଲି ନିଜ ଦଳର ନେତା ବି ପ୍ରଶ୍ନ ଉଠାଇଛନ୍ତି ।

ଜୀବନ ବିନ୍ଦୁ ରକ୍ତ ସଂକଟ ଦୂର ପାଇଁ ଦଳର ଏଇ କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନ କୁହେ ବିଜେଡି । ହେଲେ ବାସ୍ତବରେ ଦଳର ଏ ମହତ ଅଭିଯାନ ଚାଲିଛି କେମିତି ? ସତର କିଭଳି ଭିତ୍ତି ଉପରେ ଚାଲିଛି ଦଳର ଏ ଫ୍ଲାଗସିପ୍ ପ୍ରୋଗ୍ରାମ ? ନଜର ପକାନ୍ତୁ ବାଲେଶ୍ୱର ଜିଲ୍ଲାରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ସଂଗୃହିତ ରକ୍ତର ତଥ୍ୟ ଉପରେ ।

ଦଳର ନ୍ୟୁଜ ଲେଟର କହୁଛି ଗତବର୍ଷ ଅକ୍ଟୋବର ମାସରେ ବାଲେଶ୍ୱର ଜିଲ୍ଲାରୁ ସଂଗ୍ରହ ହୋଇଥିଲା ମୋଟ୍ ୨ ହଜାର ୮୦ ୟୁନିଟ୍ ବ୍ଲଡ୍ । ସେଥିପାଇଁ ଦାୟିତ୍ୱରେ ଥିବା ସଂଯୋଜକ ଶୁଭେନ୍ଦୁ ମଙ୍ଗରାଜ ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେହିପରି ନଭେମ୍ବର ମାସରେ ୧୯୪୩ ୟୁନିଟ୍, ଡିସେମ୍ବର ମାସରେ ୨ ହଜାର ୬୫ ଏବଂ ଏବର୍ଷ ଜାନୁଆରୀ ମାସରେ ୨ ହଜାର ୯୬୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଦର୍ଶାଯାଇଛି । ଏପରିକି ଡିସେମ୍ବରରୁ ଜାନୁଆରୀ ମାସ ଯାଏଁ ବାଲେଶ୍ୱର ଜିଲ୍ଲା ପ୍ରଦର୍ଶନ ଦୃଷ୍ଟି ପ୍ରଥମ ସ୍ଥାନରେ ଥିବା ବି ଦର୍ଶାଯାଇଛି ନ୍ୟୁଜ୍ ଲେଟରରେ ।

ହେଲେ ଏ ତଥ୍ୟ ଯେ ଡାହା ମିଛ, ତାହା ସାମ୍ନାକୁ ଆସିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ତଥ୍ୟରୁ । ଯେଉଁ ତଥ୍ୟ କହୁଛି ଅକ୍ଟୋବର ମାସରେ ଜିଲ୍ଲାରେ ଜୀବନ ବିନ୍ଦୁର ୯ଟି କ୍ୟାମ୍ପ ହୋଇଥିଲା । ଯେଉଁଥିରୁ ୧୫ ଶହ ୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସେହିପରି ନଭେମ୍ବର ମାସରେ ୩ଟି କ୍ୟାମ୍ପରୁ ୨୫୪ ୟୁନିଟ୍, ଡିସେମ୍ବର ମାସରେ ୭ଟି କ୍ୟାମ୍ପରୁ ମାତ୍ର ୩୫୮ ୟୁନିଟ୍ ଏବଂ ଜନୁଆରୀ ମାସରେ ୮ଟି କ୍ୟାମ୍ପରୁ ୬୫୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ଏହି ଚାରି ମାସରେ ସରକାରୀ ରିପୋର୍ଟ କହୁଛି ସମୁଦାୟ ୨ ହଜାର ୮୧୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ହେଲେ ଦଳର ନ୍ୟୁଜ ଲେଟର ଅନୁଯାୟୀ, ଏଇ ଚାରି ମାସରେ ଜୀବନ ବିନ୍ଦୁ ଜରିଆରେ ସଂଗ୍ରହ ହୋଇଛି ମୋଟ୍ ୯ ହଜାର ୪୯ ୟୁନିଟ୍ ବ୍ଲଡ୍ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଜିଲ୍ଲା ବ୍ଲଡ୍ ବ୍ୟାଙ୍କ ଅଧିକାରୀ । ଡାକ୍ତର

ତାହେଲେ ସତ କିଏ କହୁଛି ? ଯଦି ନ୍ୟୁଜ ଲେଟର ତଥ୍ୟ ସତ ତାହେଲେ, ବାକି ୬ ହଜାର ୨୩୨ ୟୁନିଟ୍ ରକ୍ତ ଗଲା କୁଆଡେ ? ଏନେଇ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ମଙ୍ଗରାଜଙ୍କୁ ଯୋଗାଯୋଗ କରିବାରୁ ସେ କିନ୍ତୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ହେଲେ ରକ୍ତଦାନ ଭଳି ପୂଣ୍ୟ କାମରେ ଏଭଳି ଜାଲିଆତିକୁ ନେଇ ଦଳ ବାହାରୁ ନୁହେଁ, ଦଳ ଭିତରୁ ବି ପ୍ରଶ୍ନ ଉଠିଛି । ବିଜେଡିର ଖୋଦ୍ ଜିଲ୍ଲା ସଭାପତି ଏହାକୁ ଜଘନ୍ୟ କାର୍ଯ୍ୟ ବୋଲି କହିବା ସହ ଏନେଇ ରାଜ୍ୟ ପଦାଧିକାରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ।

ବାଲେଶ୍ୱରର ଏଇ ତଥ୍ୟରୁ ରକ୍ତ ନାଁରେ ଯେ ଲୋକଙ୍କୁ ଭକୁଆ ବନାଯାଉଛି ତାହା ସ୍ପଷ୍ଟ ହୋଇଯାଇଥିଲା ବେଳେ ବିଜେଡିର ଏଇ ବହୁଳ ପ୍ରଚାରିତ କାର୍ଯ୍ୟକ୍ରମ ଅନ୍ୟତ୍ର କେମିତି ଚାଲିଛି ତାହାହିଁ ବଡ଼ ପ୍ରଶ୍ନ ।

ବାଲେଶ୍ୱରରୁ କ୍ୟାମେରାମ୍ୟାନ୍ ଅବିନାଶଙ୍କ ସହ ରଶ୍ମୀରଞ୍ଜନ ଦାସଙ୍କ ରିପୋର୍ଟ, ଓଟିଭି