ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ । ବିଜେଡିରେ ମୁଁ ଆଉ ନାହିଁ ବୋଲି ବୟାନ ଦେବା ପରେ ଅମର କହିଛନ୍ତି, ବିଜେଡିକୁ ନେଇ ମୁଁ ଦେଇଥିବା ମତକୁ ନେଇ ଅନେକ ବିଜେଡି ବନ୍ଧୁଙ୍କଠୁ ସମର୍ଥନ ମିଳୁଛି । କିନ୍ତୁ ସେମାନେ publicly ଆସୁନାହାନ୍ତି । ସେମାନଙ୍କର ବି ସମାନ ମତ ଯେ କିପରି ଦଳକୁ ସଜଡ଼ା ଯିବ ।
Also Read
ଦଳକୁ ସଜାଡିକୁ ମୋର ଯେଉଁ ମତ ଥିଲା ତାକୁ ଠିକ୍ ଭାବେ ଦଳ ଗ୍ରହଣ କଲାନି । ମୁଁ ଯେହେତୁ ବିଜେଡିରେ ନାହିଁ ସେଥିଲାଗି ବିଜେଡି ସମ୍ପର୍କରେ ମତ ଦେବାକୁ ଠିକ୍ ମନେ କରୁନି । ବିଜେଡି ଭବିଷ୍ୟତ କ’ଣ କହିପାରିବିନି କିନ୍ତୁ ବିଜେପି ପରିସ୍ଥିତିର ସୁବିଧା ନେଇଛି ବୋଲି କହିଛନ୍ତି ଅମର ।
ଅଧିକ ପଢ଼ନ୍ତୁ: ‘ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି’
ସେହିପରି ଏ ପରିସ୍ଥିତିରେ ବିଜେପି ପାଇଁ ବର୍ତ୍ତମାନ ଆଗକୁ ବଢ଼ିବାକୁ କ୍ଷେତ୍ର ପ୍ରସ୍ତୁତ ହେଉଛି, ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ବି କହିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ ।
ସୂଚନା ଅନୁସାରେ ଗତକାଲି ଅମରଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଥିଲେ ଲେନିନ୍ ମହାନ୍ତି । ବରିଷ୍ଠ ନେତା ଅମର ଶତପଥିଙ୍କ ବିସ୍ଫୋରକ ବୟାନ ପରେ ଲେନିନ୍ ଅମରଙ୍କୁ ଏପରି କହିଥିଲେ । କିଛିଦିନ ତଳେ ଅମର ଶତପଥୀ ଦଳର ପରାଜୟ ପାଇଁ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ । ନିର୍ବାଚନ ବିଜୟ ସମୟରେ ଯଦି ନବୀନ ଶ୍ରେୟ ନେଉଥିଲେ ତାହେଲେ ପରାଜୟର ଦାୟିତ୍ବ ବି ସେ ମୁଣ୍ଡାଇବେ ବୋଲି କହିଥିଲେ।
ଏହାର ଜବାବରେ ଲେନିନ୍ କହିଥିଲେ, ଯାହାଙ୍କୁ ଦଳରେ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲହୁଅନ୍ତା । ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି, ବିଭିନ୍ନ ପଦ ପଦବୀ ଦେଇଛି। ତା ପରେ ଯଦି ତାଙ୍କୁ ଅଣନିଃଶ୍ବାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ । ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ କହିଥିଲେ ଲେନିନ୍ ।
ଏହାର ଉତ୍ତର ଦେବାକୁ ଯାଇ ସେ ବିଜେଡିରେ ନାହାଁନ୍ତି ବୋଲି ବଡ଼ ମନ୍ତବ୍ୟ ଦେଇଥିଲେ ଅମର ଶତପଥୀ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମର କହିଥିଲେ ମୁଁ ବିଜେଡିରେ ନାହିଁ, ମୁଁ ଏବେ ସ୍ବାଧୀନ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍ଙ୍କ ଅପରିପକ୍ବତା ପ୍ରତି ମୋର ଦୟା ଆସୁଛି ବୋଲି କହିଥିଲେ ଅମର ।