• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦରେ ବସିବେ ମହିଳା । ଏଥିପାଇଁ ଆଶାୟୀ ସଂଖ୍ୟା ବଢିଲାଣି । ତାଲିକାରେ ବିଜେଡ଼ି ନେତ୍ରୀଙ୍କ ସଂଖ୍ୟା ବି ଲମ୍ବା । ବିଜେପି ଓ କଂଗ୍ରେସ ଶାସକ ଦଳକୁ ଅକଳରେ ପକାଇବାକୁ ନାରୀ ନିର୍ଯାତନା ରଣନୀତି ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ମହିଳାଙ୍କ ପାଇଁ ଦୁଇ ମହାନଗରର ମେୟର ସିଟ୍ ସଂରକ୍ଷଣ ପରେ ଅନେକ ପୁରୁଷ ଆଶାୟୀ ଏବେ ନିରାଶ ।

ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଚର୍ଚ୍ଚା, କିଏ- କାହାକୁ ମିଳିବ ସିଂହାସନ ? ଯଦିଓ ଆପତ୍ତି ଅଭିଯୋଗ ଲାଗି ୧୫ ଦିନ ସମୟ ପରେ ନିଷ୍ପତ୍ତି ଚୂଡାନ୍ତ ହେବ । ତଥାପି ଏବେଠୁ ଆରମ୍ଭ ହେଲାଣି ଲବି । ଏଥିପାଇଁ ସବୁ ଦଳର ମହିଳା ଆଶାୟୀ ସଂଖ୍ୟା ବଢିଛି । ପ୍ରଥମଥର ପାଇଁ ଭୁବନେଶ୍ୱର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ କଳ୍ପନାଜଳ୍ପନା ବଢିଛି । ମହିଳା ବିଜେଡିରେ ଆଶାୟୀଙ୍କ ଦୌଡ ଆରମ୍ଭ ହୋଇଗଲାଣି ।

ପୂର୍ବତନ କର୍ପୋରେଟର ତଥା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଓ ବିଜେଡି କିନ୍ନର ନେତ୍ରୀ ମୀରା ପରିଡାଙ୍କ ନାଁ ଏବେ ଚର୍ଚ୍ଚାରେ । କିଛି ସର୍‌ପ୍ରାଇଜ କାର୍ଡ ବି ଶେଷ ମୁହୂର୍ତ୍ତରେ ଖେଳିପାରନ୍ତି ନବୀନ ।

ସେହିପରି ବିଜେପି ପକ୍ଷରୁ ଚର୍ଚ୍ଚାରେ ଅଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ଅଭିନେତ୍ରୀ ତଥା କାର୍ଯ୍ୟକାରିଣୀ ସଦସ୍ୟା ଅନୁ ଚୌଧୁରୀ । ସେପଟେ କଂଗ୍ରେସ ପକ୍ଷରୁ ମେୟର ଦୌଡ଼ରେ ଅଛନ୍ତି ରଶ୍ମୀ ମହାପାତ୍ର । ପ୍ରତି ଓ୍ୱାର୍ଡରେ ବ୍ୟାନର ପୋଷ୍ଟର ଛାଇଗଲାଣି । ଗୋଟିଏ ଦଳର ଏକାଧିକ ଆଶାୟୀଙ୍କ ବ୍ୟାନର ଓ୍ୱାର୍ଡରେ ଉଡିଲାଣି ।

ସେପଟେ ବ୍ରହ୍ମପୁରରେ ବି ପୌର ନିର୍ବାଚନ ପାଇଁ ରାଜନୈତିକ ହାଓ୍ୱା ଜୋରରେ ବହିଲାଣି । ମେୟର ପଦବୀ ଲାଗି ପ୍ରାର୍ଥୀ ଦେବାକୁ ହାଇଭୋଲଟେଜ୍‌ ବିଜେଡି ନେତାଙ୍କ ଭିତରେ କସରତ ଆରମ୍ଭ ହୋଇଗଲାଣି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ, ବିଧାୟକ ବିକ୍ରମ ପଣ୍ଡା ଓ ସାସଂଦ ଚନ୍ଦ୍ରେଶଖର ସାହୁଙ୍କ ଭିତରୁ ମେୟର ପଦ ଲାଗି ପ୍ରାର୍ଥୀ ଚୟନରେ କାହାର ଲବି କାମ କରୁଛି ତାଉପରେ ନଜର ।

ପୂର୍ବତନ କର୍ପୋରେଟର ସଂଘମିତ୍ରା ଦଳେଇ, ମମତା ବିଷୋୟୀ ଓ ପୂର୍ବତନ ମେୟର କେ. ମାଧବୀଙ୍କ ନାଁକୁ ନେଇ ଜୋରଦାର୍ ଚର୍ଚ୍ଚା । ସେହିପରି ବିଜେପି ପକ୍ଷରୁ ବବିତା ପାତ୍ର ମେୟର ପ୍ରାର୍ଥୀ ଦୌଡରେ ଆଗରେ ଅଛନ୍ତି । ଏସବୁ ବାଦ ଶାସକ ବିଜେଡି କ୍ୟାମ୍ପରେ ଉଭୟ ଭୁବନେଶ୍ୱର ଓ ବ୍ରହ୍ମପୁରରେ ପୁରୁଷ ଆଶାୟୀଙ୍କ ମନ ଏବେ ଊଣା । ଚାପା ଅସନ୍ତୋଷ ସାମନାକୁ ଆସୁଥିଲେ ବି ସୁପ୍ରିମୋଙ୍କୁ ସିଧାସଳଖ ଚାଲେଞ୍ଜ କରିବାକୁ ସାହାସ ଜୁଟାଇବାରେ ବିଫଳ ହେଉଛନ୍ତି । ଏହାସହ ବିଜେଡି ଟପ୍ ନେତାଙ୍କ ପାଖେ ପାଖେ ଥିବା କର୍ପୋରେଟରଙ୍କ ଆଶା ବି ଧୁଳିସାତ ହୋଇଛି ।

ସେପଟେ କଟକ ମେୟର ପଦବୀ ଅଣସଂରକ୍ଷିତ ଥିବା ବେଳେ ବିଜେଡି ପକ୍ଷରୁ ଅଭିନେତା ତଥା ବିଜେଡି ସାଧାରଣ ସମ୍ପାଦକ ଅରିନ୍ଦମ ରାୟଙ୍କ ନାଁ ଚର୍ଚ୍ଚାରେ ରହିଛି । ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅତ୍ୟନ୍ତ ସହଯୋଗୀ କୁହାଯାଉଥିବା ରଞ୍ଜନ ବିଶ୍ୱାଳ ବି ଲବିରେ ଅଛନ୍ତି । ବିଜେପିର ନୂଆ ମୁହଁ କଟକରୁ ଦେଖିବାକୁ ମିଳିପାରେ । ସେହିପରି କଂଗ୍ରେସ୍ ସୁରେଶ ମହାପାତ୍ର ଓ ଗିରିବାଳା ବେହେରାଙ୍କ ମଧ୍ୟରୁ ଜଣକୁ ମେୟର ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇପାରେ ।