/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751883200.jpg)
Manmohan Samal Files Nomination for BJP State President Post
ନାମାଙ୍କନ ଦାଖଲ କଲେ ମନମୋହନ ସାମଲ । ପୁଣି ବିଜେପି ରାଜ୍ୟ ହେବେ ସଭାପତି ମନମୋହନ ସାମଲ! ରାଜ୍ୟ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ।
ରାଜ୍ୟରେ ବିଜେପିକୁ କ୍ଷମତାକୁ ଆଣିବାରେ ୬୬ ବର୍ଷୀୟ ମନମୋହନ ସାମଲଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ନେତୃତ୍ୱରେ ଲଢୁଥିଲା ଦଳ । ସଂଘ ପରିବାର ସହ ତାଙ୍କର ରହିଛି ଘନିଷ୍ଠ ସଂପର୍କ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ବିଏ, ଏଲଏଲଏମ୍ । ରାଜନୀତିରେ ମନମୋହନଙ୍କର ରହିଛି ଲମ୍ବା କ୍ୟାରିୟର୍ । ୧୯୫୯ ମସିହାରେ ଭଦ୍ରକ ଜିଲ୍ଲାରେ ଜନ୍ମିତ ମନମୋହନ ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରୁଥିବା ବେଳେ ସେ ରାଜନୀତି ଆଡକୁ ଆକର୍ଷିତ ହୋଇଥିଲେ । ପରେ ବିଜେପିରେ ଯୋଗ ଦେଇଥିଲେ । ରାଜ୍ୟ ବିଜେପିର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବା ପରେ ୧୯୯୯ ମସିହାରେ ସେ ରାଜ୍ୟ ବିଜେପିର ସଭାପତି ହୋଇଥିଲେ । ସେ ସଭାପତି ଥିବା ବେଳେ ୨୦୦୦ ମସିହାରେ ବିଜେଡି ସହ ମେଣ୍ଟ କରି ବିଜେପି ରାଜ୍ୟରେ କ୍ଷମତାକୁ ଆସିବାରେ ସକ୍ଷମ ହୋଇଥିଲା ।
ମନମୋହନ ସାମଲ ୨୦୦୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରେ ସେ ଧାମନଗର ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ସେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ୨୦୦୮ ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ଧାମନଗର ଉପନିର୍ବାଚନରେ ମନମୋହନ ନିର୍ବାଚନ ପରିଚାଳନାର ଦାୟିତ୍ୱ ନେଇ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜୟୀ କରାଇଥିଲେ । ବିଜେଡିର ବିଜୟଧାରାରେ ଲଗାଇଥିଲେ ରୋକ୍ । ୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ୨୦୨୩ ମାର୍ଚ୍ଚରେ ମନମୋହନଙ୍କୁ ପିନ୍ଧାଯାଇଥିଲା ରାଜ୍ୟର କ୍ୟାପଟେନ୍ ମୁକୁଟ । ନେତୃତ୍ୱ ନେଉ ନେଉ ମନମୋହନ ଦେଇଥିଲେ ରଣହୁଙ୍କାର । ବିଜେପି ନିଶ୍ଚିତ ଜିତିବ ଓ ରାଜ୍ୟରେ ସରକାର କରିବ ବୋଲି ବାରମ୍ବାର ଦୋହରାଉଥିଲେ ସେ । ବିଜେପି ରାଜ୍ୟରେ କ୍ଷମତାକୁ ଆସିବାରେ ତାଙ୍କର ପ୍ରମୁଖ ଭୂମିକାକୁ ଦଳର ନେତାମାନେ ସ୍ୱୀକାର କରିଛନ୍ତି । ୨୪ ବର୍ଷ ତଳେ ସେ ସଭାପତି ଥିବା ବେଳେ ପ୍ରଥମେ ଦଳ କ୍ଷମତାକୁ ଆସିଥିଲା ଏଥର ବି କ୍ଷମତାକୁ ଆସିଛି । ସେ ଉପକୂଳ ଓଡିଶାରେ ଜଣେ ପଛୁଆ ବର୍ଗ ବା ଓବିସି ନେତା ଭାବେ ଜଣାଶୁଣା ।