Advertisment

ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !

author-image
Satyendu Shekher Mishra
undefined

Pradeep Panigrahi

ଛିଡୁନି ପ୍ରଦୀପ ପାଣିଗ୍ରାହୀ ସମୀକରଣ । ଅକଳରେ ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା । ଗୋପାଳପୁର ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେଡି ଆଗୁଆ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା। ନିଜକୁ ସ୍ୱଚ୍ଛ କହୁଥିବା ବିଜେପି, ପ୍ରଦୀପଙ୍କ ଭଳି ଦାଗି ନେତାଙ୍କୁ କାହିଁକି ନିଜ ଦଳରେ ସାମିଲ କରିବାକୁ ଆତୁର ବୋଲି ଅଭିଯୋଗ ବି କରିଥିଲା ।

Advertisment

ସେପଟେ ଆଜି ଏହି ପ୍ରସଙ୍ଗରେ ମତ ରଖି ଶାସକ ଦଳକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସମସ୍ତଙ୍କ ପାଇଁ ଆମ ଦଳ ଉନ୍ମୁକ୍ତ । ଯେଉଁମାନେ ସାମିଲ ହେବାକୁ ଚାହିଁବେ ସେମାନଙ୍କ କଥା ଦଳ ବିଚାର କରିବ । ବିଜେପିରେ କିଏ ମିଶିବ ସେନେଇ ବିଜେଡିର ସାର୍ଟିଫିକେଟର ଆବଶ୍ୟକତା ନାହିଁ ବୋଲି ସଫା ସଫା ଶୁଣାଇଛନ୍ତି ମନମୋହନ।

ଗଞ୍ଜାମ ରାଜନୀତିକୁ ଅତି ପାଖରୁ ଦେଖିଥିବା ପ୍ରଦୀପଙ୍କୁ ନେଇ ଶଙ୍କାରେ ବିଜେଡି। ବିଜେଡି ଗଞ୍ଜାମ ସଂଗଠନରେ ଦୀର୍ଘ ବର୍ଷ ଧରି ଜଡିତ ଥିବାରୁ କେଉଁଠି ଦଳର ଫାଟ ଅଛି ତାହା ପ୍ରଦୀପଙ୍କୁ ଜଣା। ଯଦି ପ୍ରଦୀପ ପଦ୍ମ ପୋଖରୀକୁ ଡିଅଁନ୍ତି ତେବେ ବିଜେଡି ପାଇଁ ଜିଲ୍ଲାରେ ଘାଟା ହୋଇପାରେ। ଏହାବାଦ୍ ପ୍ରଦୀପ ହିଁ ଏବେ ତୃତୀୟ ମହଲା କୋଟେରୀ ଗୋଷ୍ଠୀକୁ ସିଧାସଳଖ ନିଶାନା କରୁଛନ୍ତି। ଆଉ ସରକାରଙ୍କ ପୋଲ୍ ମଧ୍ୟ ଖୋଲୁଛନ୍ତି। ଯେଉଁଥିପାଇଁ ବିଜେଡି ଆଗୁଆ ଆକଳନ କରି ବିଜେପିକୁ ଟାର୍ଗେଟ୍ କରୁଛି ।

Advertisment

ସେପଟେ ପ୍ରଦୀପ ବିଜେପିରେ ସାମିଲ ହେଲେ କେଉଁଠୁ ଲଢିବେ, ତାକୁ ନେଇ ଚର୍ଚ୍ଚା ଜୋର । କାରଣ ୨୦୧୯ରେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ମାତ୍ର ୨, ୬୭୩ ଖଣ୍ଡ ଭୋଟରେ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ହିଁ ପରାସ୍ତ ହୋଇଥିଲେ। ବିଭୂତି ଜଣେ ଦୃଢ ସଂଗଠକ ହୋଇଥିବାରୁ ଦଳ ତାଙ୍କୁ ଅଣଦେଖା କରିନପାରେ । ଏଭଳି ସ୍ଥିତିରେ ଦଳ ସମୀକରଣ ବଦଳାଇ ପ୍ରଦୀପ ଓ ବିଭୁତିଙ୍କ ଭିତରୁ ଜଣକୁ ଗୋପାଳପୁର ବିଧାୟକ ପ୍ରାର୍ଥୀ ଓ ଅନ୍ୟ ଜଣକୁ ସାଂସଦ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। 

ସେପଟେ ଖୋଦ୍ ପ୍ରଦୀପ ପାଣିଗ୍ରାହୀ ଗତକାଲି କହିଥିଲେ, ଅନେକ ରାଜନୈତିକ ଦଳରୁ ତାଙ୍କୁ ଯୋଗାଯୋଗ କରାଯାଇଛି ହେଲେ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏହା ବି କହିଥିଲେ, ବିଜେଡି ଭୟଭୀତ ହୋଇ ଆଗୁଆ ସାମ୍ବାଦିକ ସମ୍ମିଳନୀ କରିଛି।

ସାଧାରଣ ନିର୍ବାଚନକୁ ପ୍ରାୟ ୫ ମାସ ବାକି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏଥର ଗୋଳମାଳିଆ ସ୍ଥିତି । ତେଣୁ ବଡ଼ ଭୂମିକା ନେଇପାରନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

BJD BJP Congress Pradeep Panigrahi Odisha Politics
Advertisment
Advertisment