Advertisment

Odisha Politics: ଆଗକୁ ହେବ କି ବଡ଼ ହଲଚଲ ? ‘୩ ମାସ ଭିତରେ BJDରେ ବଡ଼ ବିସ୍ଫୋରଣ’ !

ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଲେ ଯୋଗାଯୋଗରେ ବହୁ ବିଜେଡି ନେତା । ବିଜେଡିର କାଉଣ୍ଟର 'ଆମ ସଂପର୍କରେ ବି ଅଛନ୍ତି ତାଙ୍କ ଲିଡର' ।

author-image
Satyendu Shekher Mishra
BJD-BJP

BJD-BJP

ଓଡ଼ିଶା ରାଜନୀତିରେ ଆଗକୁ ହେବାକୁ ଯାଉଛି କି ବଡ଼ ଖେଳ ? ବଦଳିବ କି ଅଙ୍କ ? ୨୪ ବିପର୍ଯ୍ୟୟ ପରେ ଅନେକ ନେତା ବିଜେଡି ଛାଡ଼ି ଏବେ ବିଜେପି ମୁହାଁ। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ ବୋଲି ବିଜେପିର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହି ନୂଆ ସମୀକରଣ ଆଡକୁ ଇସାରା କରିଛନ୍ତି । ସେପଟେ ବିଜେଡି ବି ଦମ୍ଭୋକ୍ତି ଦେଖାଇ କହିଛି ବିଜେପିର ଅନେକ ନେତା ଆମ ସଂପର୍କରେ ଅଛନ୍ତି। ଯାହା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏହାରି ଭିତରେ କଂଗ୍ରେସ ଘର କିନ୍ତୁ ପୁରା ଫାଙ୍କା।

Advertisment

ତେବେ ରାଜ୍ୟରେ ବଦଳିବ କି ସମୀକରଣ ? ତେଜିଲା ବୟାନବାଜି । ମୁହାଁମୁହିଁ ବିଜେପି-ବିଜେଡି । ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଜି ବଡ଼ ବୟାନ ଦେଇ କହିଛନ୍ତି ଆସନ୍ତା ତିନି ମାସରେ ବଡ଼ ବିସ୍ଫୋରଣ ହେବ। ବିଜେଡିର କେବଳ ରାଜ୍ୟସଭା ସାଂସଦ ନୁହଁନ୍ତି, ଅନେକ ବିଧାୟକ, ପୂର୍ବତନ ବିଧାୟକ ଓ ନେତା ବି ବିଜେପି ସଂପର୍କରେ ଅଛନ୍ତି। ଖୁବଶୀଘ୍ର ବିକାଶ ଧାରାରେ ସାମିଲ୍ ହେବାକୁ ସେମାନେ ବିଜେଡିକୁ ଆସିବେ। କିନ୍ତୁ ଆମ ଦଳ ନିଷ୍ପତ୍ତି ନେଇଛି ଯେ, କଳା ଦାଗ ଥିବା ନେତାଙ୍କୁ ଗ୍ରହଣ କରିବନି।

ସେପଟେ ସୁକାନ୍ତଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର। ସେ କହିଛନ୍ତି ବିଜେପିର ବି ଅନେକ ନେତା ଆମ ସଂପର୍କରେ ଅଛନ୍ତି। ସଂସଦରେ ଚା ପିଇବା ସମୟରେ ଅନେକ ଆଲୋଚନା ହୋଇଛି। ଯାହାକି ଆମ ସାଂସଦ ସୂଚନା ଦେଇଛନ୍ତି। ଆଗକୁ ବିକାଶ ପାଇଁ ବଡ଼ ହଲ୍‌ଚଲ୍ ହେବାକୁ ଯାଉଛି ରାଜ୍ୟରେ।

Advertisment

ସେପଟେ ବିଜେପି-ବିଜେଡିର ବୟାନବାଜିକୁ ନେଇ ଅନେକ ଆକଳନ ସାମ୍ନାକୁ ଆସିଛି। ଯେହେତୁ ବିଜେଡିରୁ ଦୁଇ ରାଜ୍ୟସଭା ସାଂସଦ ମମତା ମହାନ୍ତି ଓ ସୁଜିତ କୁମାର ବିଜେପିକୁ ଗଲେଣି, ଆଉ କିଛି କର୍ପୋରେଟର ଓ ନେତା ସଂପର୍କରେ ଥିବା ଚର୍ଚ୍ଚା ହେଉଛି। ତେଣୁ ତାକୁ ଚେକ୍ ଦେବାକୁ ବିଜେଡି କିଛି ବଡ଼ ପ୍ଲାନ୍ କରୁଛି କି? ଦଳର ସ୍ଥିତି ବିଗୁଡୁଥିବାରୁ ଆସନ୍ତା ୨୭ ତାରିଖରେ ନବୀନ ଏକ ବୈଠକ ଡକାଇଛନ୍ତି। ଜିଲ୍ଲା ସଭାପତିଙ୍କଠାରୁ ଆରମ୍ଭ କରି ନିର୍ବାଚିତ ପ୍ରତିନିଧି ଓ ବରିଷ୍ଠ ନେତା ଏଥିରେ ଉପସ୍ଥିତ ରହିବେ। ଅକ୍ଟୋବର ୨ରୁ ହେବାକୁ ଥିବା ପଦଯାତ୍ରା, ନିର୍ବାଚନୀ ପରାଜୟର କାରଣ ତଥା ବିଭିନ୍ନ କମିଟି ଗଠନ ଦିଗରେ ଆଲୋଚନା ହେବ।

ସେପଟେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବିଜେଡିରେ ବଢି ବଢି ଚାଲିଥିବାରୁ ବିଜେପିକୁ ଏବେ ବିକଳ୍ପ ଭାବେ ଭରସା କରୁଛନ୍ତି ନେତା। ସ୍ଥିତିକୁ ଦେଖି ବିଜେଡି ଘର ସଜଡ଼ା ଆରମ୍ଭ କରିଥିବାବେଳେ ନେତା କିନ୍ତୁ ଦଳ ଦେଇଥିବା ଧୋକାକୁ ଭୁଲି ପାରିନାହାନ୍ତି।

ବିଜେପି-ବିଜେଡି ନିଜ ନିଜ ସ୍ଥିତି ସୁଦୃଢ କରିବାକୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିସାରିଥିବାବେଳେ କଂଗ୍ରେସ କିନ୍ତୁ ମଙ୍ଗୁଆଳ ବିହୀନ। ନିର୍ବାଚନ ପରଠାରୁ ଦଳ ପୁରା ଦିଶାହୀନ ହୋଇପଡିଛି। ଅପରପଟେ ଦଳର ବରିଷ୍ଠ ନେତା କହିଛନ୍ତି ଖୁବ ଶୀଘ୍ର ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ।

BJD BJP Congress Odisha Politics
Advertisment
Advertisment