/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704882215.jpg)
Sura Routroy
ଆସୁଛି ନିର୍ବାଚନ । ଧୀରେ ଧୀରେ ସରଗରମ ହେଉଛି ରାଜ୍ୟ ରାଜନୀତି । ସମସ୍ତ ରାଜନୈତିକ ଦଳ ପରସ୍ପରକୁ ଅକ୍ଷେପ କରିବା ଆରମ୍ଭ କରିଦେଲେଣି । ବିଜେଡି ହେଉ କି ବିଜେପି କିମ୍ବା କଂଗ୍ରେସ ସମସ୍ତେ ସମସ୍ତଙ୍କୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଲାଣି । ଏହାରି ଭିତରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି, ବିଜେଡିର ବହୁ ନେତା ମନ୍ତ୍ରୀ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି ।
ବ୍ୟକ୍ତିଗତ ଭାବେ ତାଙ୍କ ସହ କିଛି ବିଜେଡି ନେତା କଥାବାର୍ତ୍ତା କରିଛନ୍ତି ବୋଲି କହିଛନ୍ତି ସୁର ରାଉତରାୟ । ବିଜେଡିରେ ପ୍ରବଳ ଗୋଷ୍ଠୀ କନ୍ଦଳ । ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ । ଗୋଟେ ଗୋଟେ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଥିବାବେଳେ ଅନେକ ଅସନ୍ତୁଷ୍ଟ ଅଛନ୍ତି ବୋଲି କହିଛନ୍ତି ସୁରେଶ ରାଉତରାୟ ।
ତେବେ ସୁରେଶଙ୍କ ଦମ୍ଭୋକ୍ତି ନେଇ ବିଜେଡି କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୂର୍ବରୁ ମଧ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ସମାନ କଥା କହିଥିଲେ । ହେଲେ ବର୍ତ୍ତମାନ ସୁରଙ୍କ ଏହି ବୟାନ ପରେ ଚର୍ଚ୍ଚା ଜୋର ହେଲାଣି ।
ଗତକାଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନାପତି ଆସନ୍ତା ନିର୍ବାଚନ ଲାଗି ଦଳ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି ବୋଲି କହିଥିଲେ । ଆମର କିଏ ଟିକେଟ ପାଇବ ନ ପାଇବ ମେଣ୍ଟାଲି ପ୍ରସ୍ତୁତ ଅଛନ୍ତି । ଜିତିବା ଲୋକଙ୍କୁ ହିଁ ଦଳ ଟିକେଟ ଦେବ ବୋଲି ତାରା କହିଥିଲେ ।
ସେ ଆହୁରି କହିଥିଲେ କି, ‘ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇଛି । ଆମେ ନିଜର ଏକତା ପ୍ରମାଣିତ କରିବା ପାଇଁ ଏକାଠି ହୋଇ ବୁଲିବୁ । ବିଜେଡି ବିଜେପିରେ ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ଜଣାପଡୁଛି । ‘ଆମେ ନିଜର ସବୁକିଛି ଜଳାଞ୍ଜଳି ଦେଇ ଓଡ଼ିଶାରେ ସରକାର ଗଢିବୁ’ ବୋଲି କହିଥିଲେ ତାରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)