Advertisment

‘ମୁଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ, ଅପରାଜିତା ବିଚଳିତ’

ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମାଡାମ ଅପରାଜିତା ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି ବୋଲି କହିବା ସହ ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Odisha Politics

Odisha Politics

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀରେ ’ଚାକିରି ଛାଡ଼ି ରାଜନୀତି ମୈଦାନକୁ ଆସ ଆହ୍ୱାନ’ର ଜବାବ ରଖିଲା ବିଜେଡି । ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍‌ କରି ବିଜେଡି ମୁଖପାତ୍ର ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ବର୍ଷିଛନ୍ତି । ସେ କହିଛନ୍ତି, ମୋତେ ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବାରୁ ମାଡାମ ଅପରାଜିତା ବିଚଳିତ ହୋଇପଡ଼ିଛନ୍ତି । ସେ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ ବି ତାଙ୍କର ବ୍ୟୁରୋକ୍ରାଟିକ୍‌ ସ୍ୱଭାବ ଯାଇନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ଶ୍ରୀମୟୀ ।

Advertisment

ଏହା ବ୍ୟତୀତ ଶ୍ରୀମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ମାଡାମ ଅପରାଜିତା ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି ବୋଲି କହିବା ସହ ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ରାଜ୍ୟରେ ଜଣେ ସଚିବଙ୍କ ଭୂମିକାକୁ ନେଇ ଅପରାଜିତା ଦେଇଥିବା ବିସ୍ଫୋରକ ବୟାନର ସିଧା ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ସେ 5T ପ୍ରସଙ୍ଗକୁ ନେଇ ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି । ଶ୍ରୀମୟୀ କହିଛନ୍ତି କି, ମନ୍ଦିର ଓ ସ୍କୁଲର 5T ରୂପାନ୍ତରୀକରଣରେ ଅସୁବିଧା କେଉଁଠି ? ମାଡାମ ଗଣଶିକ୍ଷା ସଚିବ ଥିବାବେଳେ ତାଙ୍କର ଏହି IAS ବୁଦ୍ଧି କେଉଁଠି ଥିଲା ବୋଲି କହିଛନ୍ତି ଶ୍ରୀମୟୀ ।

ହେଲେ ଏତେ ସବୁ ପ୍ରଶ୍ନ ଭିତରେ ମାତ୍ର ସାଂସଦ ଅପରାଜିତା ଉଠାଇଥିବା ପ୍ରଶ୍ନର ସିଧା ଉତ୍ତର ରଖିନାହାନ୍ତି । ପ୍ରେସମିଟରେ ସାଂସଦ ଅପରାଜିତା ଖୋଲା ଚାଲେଞ୍ଜ କରିବା କଥାରେ କୌଣସି ଉତ୍ତର ରଖିଥିବା ଦେଖିବାକୁ ମିଳିନାହିଁ । ସାଂସଦଙ୍କ କହିବା ଅନୁସାରେ ସଚିବଙ୍କ ଯଦି ରାଜନୀତି କରିବାକୁ ଏତେ ଇଚ୍ଛା ଚାକିରି ଛାଡ଼ି ରାଜନୀତିକୁ ଆସନ୍ତୁ । ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ’ ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେଉଁ ପ୍ରଶ୍ନର ଉତ୍ତର ବିଜେଡି ପକ୍ଷରୁ ରଖାଯାନାହିଁ ।

Advertisment

ସେପଟେ ବିଜେଡି ଓ ବିଜେପିର ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ସେ କହିଛନ୍ତି ରାଷ୍ଟ୍ର ବା ରାଜ୍ୟର ପରିଚାଳନା ପାଇଁ କିଛି ବିଧିବିଧାନ ରହିଛି । ତାକୁ ଉଲ୍ଲଂଘନ କରି କିଛି କରାଯାଇପାରିବନାହିଁ । ଜନପ୍ରତିନିଧିମାନେ ହେଉଛନ୍ତି ଜନସାଧାରଣଙ୍କ ସ୍ୱର । ନିଷ୍ପତ୍ତି ସେମାନେ ନେବା ଉଚିତ୍‌, ହେଲେ ଏଠାରେ ଏକ୍ସିକ୍ୟୁଟିଭ୍‌ମାନେ ନିଷ୍ପତ୍ତି ନେଉଛନ୍ତି । ଯାହାକି ବିଧିବିଧାନର ଏକ ଘୋର ଉଲ୍ଲଂଘନ । ଏହା ଏ ଦେଶର ସମ୍ବିଧାନର ଅପମାନ । ତେଣୁ ବିଧିବିଧାନର ଲକ୍ଷ୍ମଣରେଖା ଭିତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରନ୍ତୁ । ଲୋକପ୍ରିୟତା ଏବଂ ଭୋଟର ଅହଂକାରରେ ବିଧିବିଧାନର ନିୟମକୁ ଉଲ୍ଲଂଘନ କରିବାର ଅପଚେଷ୍ଟା କରନ୍ତୁନାହିଁ ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଖାଲି ସେତିକି ନୁହେଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ସେ କହିଥିଲେ ଓଡ଼ିଶାରେ ଶାସନ ବ୍ୟବସ୍ଥା ହାଇଜାକ୍ ହୋଇଛି । ଜଣେ ସଚିବସ୍ତରୀୟ ଅଧିକାରୀ ଶାସନ ବ୍ୟବସ୍ଥାକୁ ହାଇଜାକ୍ କରିଛନ୍ତି ବୋଲି ସେ କହିଛନ୍ତି । ତାହା ସହ ଲୋକ ଯାହାକୁ ଆସ୍ଥା କରିଥିଲେ, ସେ ଲୋକ ପ୍ରତିନିଧି ଦିଶୁନାହାନ୍ତି ବୋଲି କହିଥିଲେ ଅପରାଜିତା । ସେ ଅହୁରି କହିଛନ୍ତି କି, ଓଡ଼ିଶାରେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି । ଅନ୍ୟ ରାଜ୍ୟରେ ବି ଏ କଥା ହେଲେଣି । ବାହାର ରାଜ୍ୟର ଲୋକମାନେ ଆମ ଉପରେ ଏବଂ ଲୋକଙ୍କ ଉପରେ ହସୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଉକ୍ତ ଅଧିକାରୀଙ୍କ ଗସ୍ତ ପୂର୍ବରୁ ୨ରୁ ୩ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସମସ୍ତ ବ୍ୟବସ୍ଥା କରୁଛନ୍ତି ।

ମିଟିଂ ବେଳକୁ କେବଳ ସେହି ଅଧିକାରୀ ରହିବେ, ଆଉ କେହି ଦିଶୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ବୁଲୁଥିବା କହୁଛନ୍ତି । ସତରେ କ’ଣ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ? ଏହା ସ୍ପଷ୍ଟ କରାଯାଉ ବୋଲି ଅପରାଜିତା ତାଙ୍କ ପ୍ରେସମିଟରେ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର ପ୍ରେସମିଟ୍‌ କରିଥିଲେ ।

BJD Aparajita Sarangi Bhubaneswar MP
Advertisment
Advertisment