• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ ପାଇଁ ବିଜେପି କାର୍ଯ୍ୟକାରିଣୀରେ ଚାଲିଥିଲା ଷ୍ଟ୍ରାଟେଜି। ଆଉ ଠିକ୍ ସେତିକି ବେଳେ ପୁରୀ ଡାକ୍ତରଖାନା ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌କୁ ହୋଇଥିଲା ଅଣ୍ଡାମାଡ଼। କେବଳ ସେତିକି ନୁହେଁ ବଡ଼ଦାଣ୍ଡରେ କାରକେଡ୍ ଆଗକୁ ଆସି କଳାପତାକା ଦେଖାଇଥିଲେ କଂଗ୍ରେସ୍ କର୍ମୀ। ମମିତା ହତ୍ୟାକାଣ୍ଡ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ବିଜେପି ଓ କଂଗ୍ରେସ୍ ସତେ ଯେମିତି ନଛଡୋବନ୍ଧା।

ଯେବେଠାରୁ ମମିତା ଇସ୍ୟୁ ସାମ୍ନାକୁ ଆସିଛି, ସେବେଠାରୁ ବିରୋଧୀ ଶାସକ ମଧ୍ୟରେ ବଢ଼ଛି ଆଟାକ୍-କାଉଣ୍ଟର ଆଟାକ୍। ବିଜେପି ପକ୍ଷରୁ ଜିଲ୍ଲାଓ୍ୱାରି ବନ୍ଦ ପାଳନ, ଏସ୍‌ପି ଅଫିସ୍ ଘେରାଉ, ଦସ୍ତଖତ ଅଭିଯାନ, ନବୀନ ନିବାସ ଘେରାଉ ସାଙ୍ଗକୁ ବିଭିନ୍ନ ମନ୍ତ୍ରୀଙ୍କ ଗସ୍ତ ବେଳେ ଘନଘନ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ ଚାଲିଛି। ଦିବ୍ୟଶଙ୍କର ବିଦା ନହେବା ଯାଏଁ ଆନ୍ଦୋଳନକୁ ଦଳ ଆହୁରି ତୀବ୍ର କରିବ, ଏମିତିକି ତଳସ୍ତରରେ ବି ଆନ୍ଦୋଳନ ଜୋରଦାର କରିବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି।

କେବେଳ ସେତିକି ନୁହେଁ, ମହିଳା ବିରୋଧୀ ହିଂସା, ଚାଷୀ, ବେକାରି ଓ ଦାଦନ ସମସ୍ୟା, DMF ଅନିୟମିତତା, ବିଜୁଳି ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଲଢ଼େଇ ଜୋରଦାର୍ ହେବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। କଂଗ୍ରେସ୍ ମଧ୍ୟ ମମିତା ପ୍ରସଙ୍ଗକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିଛି। ଆଗକୁ ଦରଦାମ ବୃଦ୍ଧି, ଚାଷୀ ସମସ୍ୟା, ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ ବିଜେଡି କହିଛି। ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି କିନ୍ତୁ ବିରୋଧୀ ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଅଶୋଭନୀୟ।

ସେପଟେ ଆସନ୍ତାକାଲିି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ଆଜି ବାଲେଶ୍ୱର ରେଲେଓ୍ୱ ଷ୍ଟେସନ୍‌ର ନୂଆ ବିଲ୍ଡିଂ ଓ ସଂପ୍ରସାରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଧାୟକ ସ୍ୱରୂପ ଦାସଙ୍କ ଉପସ୍ଥିତିରେ ଉଭୟ ଦଳର କର୍ମୀ ନାରାବାଜି କରିଥିଲେ।

ସେପଟେ ଭୁବନେଶ୍ୱର ରାଜମହଲ ଛକରେ ଯୁବ କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ଜନ ଜାଗରଣ ଅଭିଯାନ କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ଦଳ। ଅନ୍ୟପକ୍ଷରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବାଲିପାଟଣାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ କରାଯାଇଛି। ପୂର୍ବରୁ ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଟାର୍ଗେଟ୍ କରି ବିଭିନ୍ନ ସ୍ଥାନରେ ଅଣ୍ଡାମାଡ଼ କରାଯାଇଥିଲା। ଆଗକୁ ପଞ୍ଚାୟତ ଓ ତାପରେ ପୌର ନିର୍ବାଚନ, ତେଣୁ ସବୁ ଦଳରେ ଆକ୍ରମଣାତ୍ମକ ରାଜନୀତି ବଢ଼ିବା ସହିତ ଲଢ଼େଇ ବେଶ୍ ରୋଚକ ହେବାକୁ ଯାଉଛି।

ରିପୋର୍ଟ: ରଶ୍ମିରଂଜନ ଦାଶ, ସୌମ୍ୟରଂଜନ ସାହୁ, ଜଗଦୀଶ ଦାଶ ଓ ହରିହର ଚାନ୍ଦ