• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଜଗତଜ୍ୟୋତି ପାଙ୍ଗି ଓ ଅମ୍ବିକା ପାଙ୍ଗି। ୬୦ ଦଶକରୁ କୋରାପୁଟ ରାଜନୀତିରେ ଏକ ଲମ୍ବା ସମୟ ଧରି ଦବଦବା ରଖି ଆସିଥିବା ପାଙ୍ଗି ପରିବାରର ଦାୟାଦ। ତା ସହ ଏ ଦୁହେଁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଓ ସାଂସଦ ଜୟରାମ ପାଙ୍ଗିଙ୍କ ପୁଅ-ଝିଅ। ଜଗତଜ୍ୟୋତି ଏଥର ପଟାଙ୍ଗିରୁ ଜିଲ୍ଲାପରିଷଦ ପ୍ରାର୍ଥୀ ହୋଇଥିବାବେଳେ ଅମ୍ବିକା ବିବାଦୀୟ କୋଟିଆ ପଞ୍ଚାୟତରୁ ସମିତି ସଭ୍ୟା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ସାରିଛନ୍ତି। ତେବେ ପଞ୍ଚାୟତ ପଲିଟିକ୍ସରେ ଏ ଭାଇ-ଭଉଣୀଙ୍କର ଏଥର ପ୍ରଥମ ପଦାର୍ପଣ ନୁହେଁ। ପୂର୍ବରୁ ଜଗତଜ୍ୟୋତି ପଟାଙ୍ଗି ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବାବେଳେ ଅମ୍ବିକା ଥିଲେ ନନ୍ଦପୁର ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥିନୀ।

ଜେଜେଙ୍କ ଆଦର୍ଶ ହେଉ କି ବାପାଙ୍କ ରଣକୌଶଳ, ଏହା ହିଁ ତାଙ୍କ ବିଜୟର ମୂଳ ମାପକାଠି ବୋଲି କହିଛନ୍ତି ଜଗତଜ୍ୟୋତି। ସେମିତି ପଞ୍ଚାୟତ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଥିବା ଆଉ ଜଣେ ଯୁବନେତା ହେଲେ ପୂର୍ବତନମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସାନପୁଅ ପ୍ରଣୀତକାନ୍ତ ସାମଲ। ଏଥର ଭଣ୍ଡାରିପୋଖରୀ ବ୍ଲକ୍ ବୟାବନାପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଲଢୁଛନ୍ତି।

ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଭାଇ ପ୍ରଭାତ ବଳବନ୍ତରାୟ ବି ପଞ୍ଚାୟତ ମଇଦାନକୁ ଓହ୍ଲାଇଛନ୍ତି। ଧର୍ମଶାଳା ବ୍ଲକ୍‌ର ଦୁଇଟି ପଞ୍ଚାୟତ କୁମାରୀ ଓ ଚକ୍ରଧରପୁର ପଞ୍ଚାୟତରୁ ସେ ହୋଇଛନ୍ତି ସମିତିସଭ୍ୟ ପ୍ରାର୍ଥୀ। ସେମିତି ପଞ୍ଚାୟତ ରଣାଙ୍ଗନରେ ବିଧାୟକଙ୍କ ପତ୍ନୀ ବି ଅଛନ୍ତି। ମୟୂରଭଞ୍ଜ ଜିଲ୍ଲା ସାରସକଣା ଏମଏଲଏ ବୁଢ଼ାନ ମୁର୍ମୁଙ୍କ ପତ୍ନୀ ଚମ୍ପା ଟୁଡୁ କୁଳିଅଣା ବ୍ଲକ୍‌ର ୯ନମ୍ବର ଜିଲ୍ଲା ପରିଷଦ ଆସନରୁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ତେବେ ଏଥର ନିର୍ବାଚନରେ ଖାଲି ନେତାଙ୍କ ପୁଅ-ଝିଅ କି ପତ୍ନୀ ମଇଦାନକୁ ଓହ୍ଲାଇଛନ୍ତି। ତା ନୁହେଁ ପଞ୍ଚାୟତ ମଇଦାନରେ ରୋଚକ ଫାମିଲି ଫାଇଟ୍ ବି ଦେଖିବାକୁ ମିଳିଛି। କଂଗ୍ରେସର ଟାଣୁଆ ନେତା ନେତା ବିଧାୟକ ନରସିଂହ ମିଶ୍ରଙ୍କ ପରିବାର ଏହାର ଉଦାହରଣ। ନରସିଂହଙ୍କ ନିଜ ଗାଁ ଛତାଖମନା ଓ ପିପିର୍ଡା ପଞ୍ଚାୟତରେ ଚାଲିଛି ମିଶ୍ର ପରିବାର ସଦସ୍ୟଙ୍କ ମଧ୍ୟରେ ଲଢ଼େଇ। ପିପିର୍ଡା ପଞ୍ଚାୟତରୁ ଏଥର ନରସିଂହଙ୍କ ଦୁଇ ଭାଇଙ୍କ ପୁଅ ସିଦ୍ଧାର୍ଥ ମିଶ୍ର ଓ ସ୍ମାରକ ମିଶ୍ର ସମିତିସଭ୍ୟ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉଭୟେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ।

ଗତ ପଞ୍ଚାୟତ ଭୋଟ୍ ବେଳେ ବି ଏ ଦୁହେଁ ସମାନ ପଦବୀ ପାଇଁ ସାମ୍ନାସାମ୍ନି ହୋଇଥିଲେ। ଛତାଖମନା ପଞ୍ଚାୟତରେ ଯେଉଁଥିରେ ସ୍ମାରକଙ୍କୁ ମାତ ଦେଇଥିଲେ ସିଦ୍ଧାର୍ଥ। ଏଥର ଯୋଦ୍ଧା ସିନା ସମାନ, ହେଲେ ବଦଳିଛି ରଣାଙ୍ଗନସ୍ଥଳ। କଥା ଏଇଠି ସରିନି। ନରସିଂହଙ୍କ ଦୁଇ ଭାଇବୋହୂ ବି ଅଛନ୍ତି ରଣାଙ୍ଗନରେ। ତା ପୁଣି ତାଙ୍କ ପୈତୃକ ଗାଁ ଛତାମଖନା ପଞ୍ଚାୟତର ସମିତିସଭ୍ୟ ପଦ ପାଇଁ ଲଢ଼େଇ ହେଉଛି। ପୁତୁରା ସିଦ୍ଧାର୍ଥଙ୍କ ମାଆ ଜ୍ୟୋସ୍ନାମୟୀ ମିଶ୍ର ଓ ସ୍ମାରକଙ୍କ ମାଆ ଗୀତାରାଣୀ ମିଶ୍ରଙ୍କ ମଧ୍ୟରେ ସମ୍ପର୍କରେ ଏମାନେ ଦୁଇ ଯାଆ।

ପୂର୍ବରୁ ୨୦୦୭ରେ ଗୀତାରାଣୀ ସମିିତିସଭ୍ୟ ଜିତିଥିବାବେଳେ ୨୦୧୨ରେ ସମିତିସଭ୍ୟ ଜିତି ଜ୍ୟୋସ୍ନାମୟୀ ହୋଇଥିଲେ ବ୍ଲକ ଅଧ୍ୟକ୍ଷା । ଏଥର ବି ସମସ୍ତଙ୍କ ଲକ୍ଷ୍ୟ ସେହି ଗୋଟିଏ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାସଲ। ପଞ୍ଚାୟତ ପଲିଟିକ୍ସରେ ନେତାଙ୍କ ପରିବାର ସଦସ୍ୟ ଉଦ୍ଦେଶ୍ୟ ଜଳ ଜଳ। ଦିଅଁ ଦେଖା ସାଙ୍ଗକୁ କଦଳୀ ଖିଆ ଅର୍ଥାତ୍ ଗଡ଼ ରକ୍ଷା ସାଙ୍ଗକୁ ପଦପଦବୀ ଦଖଲ।