• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋର୍ଦ୍ଧା ବିଜେପିରେ ତୀବ୍ର ହେଲା ଗୋଷ୍ଠୀ କନ୍ଦଳ । ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ମୁହାଁମୁହିଁ, ଧସ୍ତାଧସ୍ତି, ଠେଲାପେଲା । ହେଲେ ୪୮ ଘଣ୍ଟା ପରେ ବି ପୁରା ଚୁପ୍ ଦଳ । ନା ସୋ' କଜ୍, ନା ଆକ୍ସନ । ଏଭଳି ସାଂଘାତିକ ବିଶୃଙ୍ଖଳା ପାଇଁ ଦାୟୀ କିଏ ? କାହିଁକି ଦଳୀୟ ଫୋରମରେ ନଯାଇ ଏମିତି ଗଣମାଧ୍ୟମ ଆଗରେ ବିରୋଧ କଲେ ଅପରାଜିତାଙ୍କ ସମର୍ଥକ ? ସେ ପୁଣି ଖୋଦ୍ ପ୍ରଭାରୀ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ।

ରବିବାର, ୨୫ ଅଗଷ୍ଟ। ସ୍ଥାନ ଭୁବନେଶ୍ୱର ଉପକଣ୍ଠ- ବାଳକାଟୀ। ସାଂସଦ ଅପରାଜିତାଙ୍କ ଗୋଷ୍ଠୀ ବନାମ ଜିଲ୍ଲା ସଂଗଠନ। ମନ କୀ ବାତ୍ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ ନଥିବା ଅଭିଯୋଗ କରି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହୋହଲ୍ଲା ନାରାବାଜି। ଏମିତି କି ଅପରାଜିତାଙ୍କ ରାଜନୈତିକ ସହାୟକ ଧନେଶ୍ୱର ବାରିକଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଭଣ୍ଡୁର କରିବାକୁ ଉଦ୍ୟମ କଲେ ତାଙ୍କ ସମର୍ଥକ । ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ଦଳର ସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କୁ ଧକ୍କା ମାରିଥିଲେ ବିରୋଧୀ ଗୋଷ୍ଠୀ।

ଦଳୀୟ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ପରେ ଜୟଦେବ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲି କହିଛନ୍ତି, ସେ ନିଜେ ସାଂସଦଙ୍କୁ ଆମନ୍ତ୍ରଣ କରିଥିଲେ। ହେଲେ ଅପରାଜିତା କାମ ଅଛି ବୋଲି କହି ଆମକୁ ସଭା ଆରମ୍ଭ କରିଦେବାକୁ କହିଲେ। ଜିଲ୍ଲା ସଭାପତି ରଶ୍ମୀ ମହାପାତ୍ରଙ୍କ କହିବା କଥା ସମସ୍ତଙ୍କୁ ଡକା ଯାଇଥିଲା। ଏହା ଦଳର ଆଭ୍ୟନ୍ତରୀଣ କଥା, ଘଟଣା ସମ୍ପର୍କରେ ମୁଁ ରାଜ୍ୟ ସଭାପତିଙ୍କୁ ଅବଗତ କରିଛି।

ଅନ୍ୟପଟେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ନଥିଲେ ମଧ୍ୟ ଅପରାଜିତାତ କହିଛନ୍ତି ଘଟଣା ଦିନ ମୁଁ ଉପସ୍ଥିତ ନଥିଲି। ସେ ସମ୍ପର୍କରେ ମୁଁ ଅବଗତ ନାହିଁ। 

ଏଠି ପ୍ରଶ୍ନ ଯଦି ଅପରାଜିତା ଘଟଣା ବିଷୟରେ ଜାଣି ନାହାନ୍ତି, ତାହେଲେ କେମିତି ତାଙ୍କ ବିନା ଅନୁମତିରେ ଏମିତି ବିଶୃଙ୍ଖଳା କଲେ ତାଙ୍କ ସମର୍ଥକ? ବିନା ସାଂସଦଙ୍କ ଗ୍ରୀନ୍ ସିଗ୍ନାଲରେ କାହିଁକି ଦଳୀୟ ଶୃଙ୍ଖଳା ଭାଙ୍ଗିଲେ ଖୋଦ ସାଂସଦଙ୍କ ରାଜନୈତିକ ସହାୟକ ଧନେଶ୍ୱର ବାରିକ? ଯଦି ଏସବୁ ସାଂସଦଙ୍କ ଅଜାଣତରେ ହୋଇଛି, ତାହେଲେ ନିଜ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ କି ଅପରାଜିତା ? ଯଦିଓ ଘଟଣା ପରେ ପ୍ରଭାରୀ କଡ଼ା ପ୍ରତିକ୍ରିୟା ଦେଇ କହିଥିଲେ, ଯିଏ ବି ବିଶୃଙ୍ଖଳା କରିବ ତାକୁ ବରଦାସ୍ତ କରାଯିବନି। 

ତେବେ ଏ ଯାଏଁ ଘଟଣାକୁ ନେଇ କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିଲେ ମଧ୍ୟ, ଏହାକୁ ଦଳ ଗୁରୁତର ସହ ନେଇଥିବା ସୂଚନା ମିଳିଛି। ଏମିତି କି ଘଟଣା ଦିନ ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ବସିଥିବା କୋର୍ କମିଟି ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି । କ୍ଷମତାକୁ ଆସୁ ଆସୁ ଖୋଦ୍ ରାଜ୍ୟ ରାଜଧାନୀରେ ବିଜେପି ଶିବିରର ଏହି କନ୍ଦଳ ରାଜ୍ୟ ରାଜନୀତିର ପ୍ରମୁଖ ଚର୍ଚ୍ଚା ହୋଇଛି। ଖୋଦ୍ ପ୍ରଭାରୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଉପସ୍ଥିତ ଥିବା ବେଳେ ଏଭଳି ଘଟଣାରେ କାର୍ଯ୍ୟାନୁଷ୍ଠାନ କଡ଼ା ହୋଇପାରେ ବୋଲି ଚର୍ଚ୍ଚା।

OTV is now on Whatsapp

Join and get latest news update delivered to you via whatsapp

Join Now