• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ବିଜେଡି ସରକାର ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏହାସହ ପାଣ୍ଡିଆନ୍‌ଙ୍କୁ ବି ଜବରଦସ୍ତ ଟାର୍ଗେଟ୍‌ କରିଛନ୍ତି ଖଡ୍‌ଗେ ।  ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ହମ୍‌ଲା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ।

ନାଁ ନନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଖଡ୍‌ଗେ । କହିଛନ୍ତି ଗୋଟିଏ ଅଫିସରକୁ ବସାଇ ଏଠାରେ ସରକାର ଚାଲିଛି । ଏଠାର ନେତାମାନଙ୍କର କଣ ଜୀବନ ନାହିଁକି । ଆପଣଙ୍କ ପାଖରେ କଣ ଲୋକ ନାହାନ୍ତି, ବାହାରୁ ଆଣିବାକୁ ପଡ଼ିଲା ବୋଲି ପ୍ରଶ୍ନ କରିବା ସହ ଗୋଟିଏ ଲୋକ ବାହାରୁ ଆସି କେମିତି ପରାମର୍ଶଦାତା ବନିଗଲେ ବୋଲି ସେ ପଚାରିଛନ୍ତି । ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍‌ ଏବେ ତାଙ୍କର ପରାମର୍ଶଦାତା ବୋଲି କଟାକ୍ଷ କରିଛନ୍ତି ଖଡ୍‌ଗେ ।

ଅନ୍ୟପଟେ ନୀତୀଶ କୁମାରଙ୍କ ନାଁ ନନେଇ ଟାର୍ଗେଟ ମଧ୍ୟ କରିଛନ୍ତି ଖଡ୍‌ଗେ । ଜଣେ ବ୍ୟକ୍ତି ଚାଲିଗଲା ପରେ କୁହାଯାଉଛି ମେଣ୍ଟ ଦୁର୍ବଳ ହୋଇଗଲା । ଜଣେ କେହି ଚାଲିଗଲେ ମେଣ୍ଟ ଦୁର୍ବଳ ହେବା ଭାବିବା ଭୁଲ୍‌ । ଆମେ ଏକାଠି ଅଛୁ, ମିଶିକି ମୋଦି-ନବୀନଙ୍କୁ ହରାଇବୁ ବୋଲି କହିଛନ୍ତି ଖଡ୍‌ଗେ ।

ସେପଟେ ରାଜ୍ୟ ସରକାରଙ୍କୁ ବି ଧୋଇଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ । ନବୀନଙ୍କ ଉପରେ ବର୍ଷିଲେ, ବିଜେପିକୁ କଡ଼ା ସମାଲୋଚନା କଲେ । ଆଉ ବିଜେଡି ବିଜେପି ସଲାସୁତୁରା କଥା ବି କହିଲେ । ଖଡ୍‌ଗେ ନିଜ ଭାଷଣରେ କହିଛନ୍ତି ଓଡ଼ିଶାରେ ଯେଉଁ ସରକାର ଚାଲିଛି ତାହା କେବଳ ଧନୀ ଲୋକଙ୍କ ସରକାର । ଓଡ଼ିଶା ପାଇଁ ସେମାନେ କିଛି ବି କରି ନାହାନ୍ତି । ଓଡ଼ିଶାରେ ଯାହା ବି ହୋଇଛି... ସବୁ କଂଗ୍ରେସ କରିଛି ।

ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା । କିନ୍ତୁ ଏବେର ପଟ୍ଟନାୟକଙ୍କର ବିଜେପି ସହ ନିଘନ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ବଡ଼ ତଫାତ ରହିଛି ।

‘ବିଜେପି-ବିଜେଡିର ଭିତିରି ସମ୍ପର୍କ ଯୋଗୁଁ କଂଗ୍ରେସ ସେମାନଙ୍କର ବାହାଘର କରିଛି । ଉଭୟଙ୍କ ମଧ୍ୟରେ ଲଭ୍‌ ମ୍ୟାରେଜ୍‌ ହୋଇଯାଇଛି । କେବେ ଡବଲ ଇଂଜିନ କାମ ନକଲେ ପ୍ରଥମ ଇଂଜିନ୍‌ ଅଚଳ ହୁଏ’ ।

ଖଡ୍‌ଗେ ଆହୁରି କହିଛନ୍ତି, ସିବିଆଇ-ଇଡି ଲଗାଇ ହୁକୁମାତି କରୁଛି ବିଜେପି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ବୋଲି ପ୍ରଶ୍ନ କଲେ ଖଡ୍‌ଗେ । ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ ।