• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାମ୍ବାଦିକଙ୍କୁ ମାଡ଼ ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ବିଜେପି ଓ କଂଗ୍ରେସ । ରାଜ୍ୟରେ ବିଜେପି ସପକ୍ଷରେ ଲୋକଙ୍କ ମତ ରହିଛି । ତେଣୁ ଏହାକୁ ସହ୍ୟ କରିପାରୁନାହାନ୍ତି ବିଜେଡି ନେତା ଓ କର୍ମୀ । ବୁଥ୍ ରିଗିଂ ଓ ଗଣ୍ଡଗୋଳ ବି କରିବାକୁ ପଛାଉ ନାହାନ୍ତି । ଆଉ ଏନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ମାଡ଼ ମାରୁଛନ୍ତି ବିଜେଡି କର୍ମୀ । ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଅନ୍ୟପଟେ କଂଗ୍ରେସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ପ୍ରଥମ ପର୍ଯ୍ୟାୟ ଗଣ୍ଡଗୋଳ ବା ବିଶୃଙ୍ଖଳା ପରେ ଯଦି  ସରକାର ଓ ତାଙ୍କ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ, ତେବେ ଆଜି ଏଭଳି ପରିସ୍ଥିତି ଉପୁଜି ନଥାନ୍ତା ବୋଲି କହିଛି କଂଗ୍ରେସ । ଯାଜପୁର ସାମ୍ବାଦିକଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର । ସେପଟେ ଏହା ବିରୋଧୀଙ୍କ ଚକ୍ରାନ୍ତ, ବିଜେଡି ବିରୋଧରେ ଜାଣିଶୁଣି ଏପରି କରାଯାଉଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସୁବାସ ସିଂହ ।

ଅନ୍ୟପଟେ ଯାଜପୁର, ନୟାଗଡ଼ ଓ କଣାସରେ ପଞ୍ଚାୟତ ଭୋଟ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗ ସମସ୍ତ ଗଣମାଧ୍ୟମର ସମ୍ପାଦକ ଓ ସାମ୍ବାଦିକ ମାନେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି । ବାରମ୍ବାର ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ହେଉଥିବାରୁ ନିନ୍ଦା ପ୍ରକାଶ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନିର୍ବାଚନ ପରିଚଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲଗାଯାଉଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ସମୟରେ ସେହିଭଳି କାର୍ଯ୍ୟାନୁଷ୍ଠାନ ପାଇଁ ବନ୍ଦୋବସ୍ତ କରିବାକୁ ଦାବି ହୋଇଛି । ସେପଟେ ରାଜ୍ୟ ର୍ନିବାଚନ କମିଶନ ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଖାଲି ସେତିକି ନୁହେଁ । ସବୁ ସୀମା ପାର୍‌ କରିଯାଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନୀ ହିଂସାକାଣ୍ଡ । ବୁଥ୍‌ ରିଗିଂ, ଭୋଟ୍‌ ବାକ୍ସ ଲୁଟ୍‌, ବିଡିଓଙ୍କୁ ଆକ୍ରମଣ, ସାମ୍ବାଦିକଙ୍କୁ ମାଡ଼ । ଆଉ ଆଜି ପୋଲିସ୍‌କୁ ମାଡ଼ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୋଲିସ୍‌କୁ ସର୍ବସମ୍ମୁଖରେ ମାଡ଼ ମରାଯାଇଛି । ରାଜନଗର ଡେରା ପଞ୍ଚାୟତର ଗୋଖଣି ଗାଁରେ ଏହି ତୁମୁଳକାଣ୍ଡ ଘଟିଛି ।

ଭୋଟର ଲିଷ୍ଟରେ ନାଁ ନଥିବା ବ୍ୟକ୍ତି ଏଜେଣ୍ଟ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ପୋଲିସ ଓ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଥିଲେ । ଏହାପରେ ଗାଁ ଲୋକେ ପୋଲିସ୍‌ ଉପରକୁ ଆକ୍ରମଣ କରିଥିଲେ। ପୋଲିସ୍‌ ଧରିଥିବା ପାଇପ୍‌ରେ ହିଁ ଲୋକମାନେ ପୋଲିସ୍‌ କର୍ମୀଙ୍କୁ ପିଟିଥିଲେ । 

ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ପୋଲିସ ସ୍ଥାନୀୟ ଲୋକଙ୍କୁ ପିଟିଥିଲା । ଏହାପରେ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍ ଅଧିକାରୀ ନିଜ ସର୍ଭିସ୍ ବନ୍ଧୁକକୁ ଦେଖାଇବାକୁ ପଡ଼ିଥିଲା ।