Advertisment

ମମତା ଓ ସୁଜିତଙ୍କ ପରେ ଆଗକୁ କିଏ ? ମମତା କହିଲେ, ଲାଇନରେ ଅଛନ୍ତି ଆହୁରି ଅନେକ

ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।

author-image
Santosh Kumar Sahoo
undefined

Sujeet Kumar

ପ୍ରଥମେ ମମତା, ପରେ ସୁଜିତ, ଆଗକୁ କିଏ ? ଏକାଧିକ ନାଁକୁ ନେଇ ଚର୍ଚ୍ଚା ଜୋର । ଶାସନ ଗାଦିରୁ ବିଜେଡି ହଟିବା ପରେ ଏବେ ବଳ ପାଉଛନ୍ତି ଅସନ୍ତୁଷ୍ଟ ସାଂସଦ । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି । ମମତା ନୂଆ ସମୀକରଣ ଆଡକୁ ଇଙ୍ଗିତ କରି କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି। ସମୟ ଆସିଲେ ସବୁ ଜଣାପଡିବ। ମୋ ପରେ ସୁଜିତ କୁମାର ଦଳ ଛାଡିଲେ, ଆଗକୁ ଆହୁରି ଆସିପାରନ୍ତି ।

Advertisment

ଆଉ ସେପଟେ ଖୋଦ୍ ବିଜେଡି ଭିତରୁ ବି ଏଭଳି ସ୍ଥିତିକୁ ନେଇ ଆଶଙ୍କା ପ୍ରକାଶ ପାଇଲାଣି। ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି ଅନ୍ୟ ବ୍ୟକ୍ତିବିଶେଷ ଦଳ ଛାଡିବା ଭିନ୍ନ, କିନ୍ତୁ ସାଂସଦମାନେ ଦଳ ଛାଡିଲେ ପ୍ରଭାବ ସଂଗଠନ ଉପରେ ନିଶ୍ଚିତ ପଡିବ । ଦଳ ଆତ୍ମନିରୀକ୍ଷଣ କରିବା ଆବଶ୍ୟକ ।

ଗତ ଜୁଲାଇ ୩୧ରେ ବିଜେଡି ଛାଡିଥିଲେ ମମତା । ଆଉ ତା’ର ଦେଢ଼ମାସ ନ ପୁରୁଣୁ ଆଉ ଜଣେ ସାଂସଦ ବିଜେଡି ଛାଡି ବିଜେପି ଯିବା ପରେ ରାଜ୍ୟ ରାଜନୀତିରେ ଏବେ ବଡ଼ ହଲ୍‌ଚଲ୍ । ରାଜନୈତିକ ବୟାନବାଜି ବି ତେଜିଛି । ଡ୍ରାଇଭର୍ ସିଟରେ ଥିବା ବିଜେପି ପୁରା କନ୍‌ଫିଡେଣ୍ଟରେ । ବିଜେପି ବିଧାୟକ ବାବୁ ସିଂ ଶୁଆ-ଶାରୀ ଉପଖ୍ୟାନ ଦେଇ କହିଛନ୍ତି ଜନ ପ୍ରତିନିଧିଙ୍କୁ ଆଉ ପଞ୍ଜୁରୀ ଭିତରେ ବନ୍ଦ କରି ରଖିପାରିବନି ବିଜେଡି ।

Advertisment

ସେହିପରି ପାଲଲହଡା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ। ବହୁ ବଡ ନେତା ସଂପର୍କରେ ଅଛନ୍ତି, ଖୁବଶୀଘ୍ର ବିଜେପିରେ ମିଶିବେ। ଏଣେ ବିଜେଡି କହିଛି ନବୀନ ବାବୁଙ୍କ ଲୋକପ୍ରିୟତା ଏବେ ବି ବଳବତ୍ତର ରହିଛି ।

ପ୍ରଶ୍ନ ଉଠୁଛି କାହିଁକି ଦୁଇ ଦୁଇ ଜଣ ବିଜେଡି ସାଂସଦ ଦଳ ଛାଡ଼ିଲେ ? ମମତା ମହାନ୍ତ, କିଛିଦିନ ତଳେ ବିଜେଡି ଛାଡିବା ବେଳେ ଦଳରେ ବବି-ପାଣ୍ଡିଆନଙ୍କ ଏକଛତ୍ରବାଦ କଥା ଉଠାଇ ବର୍ଷିଥିଲେ । ଏପରିକି ତାଙ୍କୁ ରାଜ୍ୟସଭାରୁ କାଢି ଅଣାଯିବ ବୋଲି କୁଆଡେ ବବି ଧମକ ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ । ଏବେ ସୁଜିତ କୁମାର ଉଭୟ ନେତାଙ୍କ ନାଁ ନେଇନଥିଲେ ମଧ୍ୟଅନୁରୂପ ଅଭିଯୋଗ ଆଣି କହିଛନ୍ତି, ତାଙ୍କୁ ରାଜ୍ୟସଭାରୁ କାଢ଼ି ଦିଆଯିବା ସହ ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ ବୋଲି କଳାହାଣ୍ଡି ଆସି ବିଜେଡିର ଜଣେ ରାଜ୍ୟସ୍ତରୀୟ ନେତା ଧମକାଇଥିଲେ।

ତା ସହିତ ବିଜେଡିରେ ଜଣେ ଦୁଇ ଜଣ ବଡ଼ ନେତାଙ୍କ ଗୋଲାମୀ ଓ ଚାମଚାଗିରି ପାଇଁ ବାଧ୍ୟ କରାଯାଉଥିବା ସେ ସାଂଘାତିକ ଅଭିଯୋଗ ଆଣିଥିଲେ। ଫଳରେ ସେ ବାଧ୍ୟ ହୋଇ ବିଜେଡି ଛାଡ଼ିଲେ... କୁହାଯାଉଛି, ସୁପ୍ରିମୋଙ୍କ ପାଖରେ ଅଭିଯୋଗ କଲେ ବି ଫଳ କିଛି ମିଳୁ ନଥିବାରୁ ବିଜେଡି ଉପରେ ଆସ୍ଥା ହରାଇଲେଣି ଦଳୀୟ ନେତା ଓ ଜନପ୍ରତିନିଧି ।

ଅନ୍ୟପଟେ ଚର୍ଚ୍ଚା ହେଉଛି ବିଜେପିର ଏହା ହେଉଛି ଷ୍ଟ୍ରାଟେଜି । ଯେହେତୁ ରାଜ୍ୟସଭାରେ ବିଜେପି ନିଜ ସଂଖ୍ୟା ବଢ଼ାଇବାକୁ ଚାହୁଁଛି, ସେଥିପାଇଁ ବିଜେଡି ସାଂସଦଙ୍କୁ ଟାର୍ଗେଟ୍ କରୁଥିବା କୁହାଯାଉଛି । ଅନ୍ୟପକ୍ଷରେ ୨୪ ବିପର୍ଯ୍ୟୟ ପରେ ବିଜେଡି, କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଆପଣାଇବାରୁ ବିଜେପି କାଉଣ୍ଟର ଷ୍ଟ୍ରାଟେଜି ଆପଣାଇ ଥାଇପାରେ । ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ବିଜେଡିର ଆହୁରି କିଛି ଅସନ୍ତୁଷ୍ଟ ସାଂସଦ ବି ଦଳ ଛାଡ଼ିବାକୁ ପ୍ରସ୍ତୁତ। ତେବେ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଦଳୀୟ ସାଂସଦ । ଏବେ ଦେଖିବାର କଥା ହେଉଛି ଯେଉଁ ଟ୍ରେଣ୍ଡ ବିଜେଡିରେ ଆରମ୍ଭ ହୋଇଛି ତାହା ଆଗକୁ ବି ଚାଲୁଛି ନା ସେଥିରେ ବ୍ରେକ୍ ଲାଗୁଛି ।

BJD BJP Rajya Sabha MPs
Advertisment
Advertisment