• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋଲିଂ ପାର୍ଟି । ହାତରେ ଇଭିଏମ୍, ଭିଭିପାଟ୍ ସହ ପୋଲିଂ ସରଞ୍ଜାମ । ୧୦ ତାରିଖ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଏଥିପାଇଁ ୨୫୩ଟି ମତଦାନ କେନ୍ଦ୍ର କରାଯାଇଛି । ସେଭିତରୁ ୧୦୬ଟି ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି ।

ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯିବା ସହ ପ୍ରଥମଥର ପାଇଁ ସମସ୍ତ ୨୫୩ଟି ଯାକ ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଜିଲ୍ଲାପାଳ ଅଫିସ ଓ ସିଇଓଙ୍କ କାର୍ଯ୍ୟାଳୟରେ ବସି ସବୁ ବୁଥରୁ ଭୋଟ ଗ୍ରହଣ ସମୟର ଟିକିନିଖି ଦୃଶ୍ୟ ଦେଖି ହେବ । ମୋଟ୍ ୨୬ଟି ପିଙ୍କ ଓ ୪୦ଟି ମଡେଲ ବୁଥ୍ କରାଯିବା ସହ ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୧୯୪ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଅଧିକ ପଢ଼ନ୍ତୁ: କଂଗ୍ରେସକୁ ପୁଣି ଗ୍ରାସିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଚିରଞ୍ଜିବଙ୍କ ତାତ୍ସଲ୍ୟ

ଭୋଟଗ୍ରହଣ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପୂରା ନିର୍ବାଚନ ମଣ୍ଡଳୀକୁ ୫ଟି ଜୋନରେ ବିଭକ୍ତ କରାଯାଇ ଓଡ଼ିଶା ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ସହ ୩ ଶହ ଓଆର୍ କନେଷ୍ଟବଳ, ୧୫୦ ହୋମଗାର୍ଡ ଏବଂ ପାଖାପାଖି ଶହେ ଜଣ ଅଫିସରଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ କରାଯାଇଛି ।

ସେହିପରି ୭ କଂପାନି ସେଣ୍ଟ୍ରାଲ ପାରା ମିଲିଟାରୀ ଫୋର୍ସକୁ ମଧ୍ୟ ନିୟୋଜିତ କରାଯାଇଛି, ଯେଉଁମାନେ ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ସହ ମୋଟ୍ ୧୪୪ ବୁଥ୍ ଉପରେ ବିଶେଷ ନଜର ରଖିବେ । ଏହାଛଡ଼ା ପାରାମିଲିଟାରୀ ଫୋର୍ସଙ୍କୁ ନେଇ ୨୫ଟି ମୋବାଇଲ ପାର୍ଟି ଗଠନ କରାଯାଇଛି । ସେହିପରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା କରାଯାଇ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଥିବା ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି ।

ଉପନିର୍ବାଚନ ମୈଦାନରେ ଏଥର ମୋଟ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର । ସେଭିତରୁ ୧ ଲକ୍ଷ ୧୦ ହଜାର ୬୮୩ ମହିଳା ଭୋଟର ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୧୦ ହଜାର ୩୨୩ । ଅର୍ଥାତ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ୩୬୪ ଅଧିକ। ବୁଧବାର ମତଦାନ ପରେ ୧୩ ତାରିଖରେ ହେବ ଭୋଟ୍ ଗଣତି ।