• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଧାୟକ ବାଛିଲା ଝାରସୁଗୁଡ଼ା । ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ଧୁ ଧୁ ଖରା ସତ୍ତ୍ୱେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ଭୋଟର୍ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ପୁରୁଷଙ୍କ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ମତଦାନ ସରିବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି ।

କାହା ମଥାରେ ଲଗାଇ ଦିଆଯାଉଛି ଫୁଲ ଚନ୍ଦନ.. ତ ଆଉ କାହା ଉପରେ କରାଯାଉଛି ପାଣି ସ୍ପ୍ରେ । ହାତରେ ପରିଚୟପତ୍ର ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡ଼ିରେ ଅପେକ୍ଷାରେ ଥିଲେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ମତଦାତା । ଯୁବଠୁ ବୟସ୍କ ଅବା ଦିବ୍ୟାଙ୍ଗ ଭୋଟର । ୪୦ ଡିଗ୍ରୀରୁ ଅଧିକ ତାତିରେ ବି ଉତ୍ସାହର ସହ ନିଜକୁ ସାମିଲ କରିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ । ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ସରିଥିବା ଭୋଟଗ୍ରହଣ ପ୍ରକ୍ରିୟାରେ ନିଜ ମନ ପସନ୍ଦର ବିଧାୟକ ପ୍ରାର୍ଥୀଙ୍କୁ ବାଛିଛନ୍ତି ମତଦାତା। ଗ୍ରୀଷ୍ମ ପ୍ରବାହକୁ ଦେଖି କିଛି ବୁଥରେ ସ୍ୱତନ୍ତ୍ର ଆୟୋଜନ କରାଯିବା ସହ ପିଇବା ପାଇଁ ଥଣ୍ଡା ଓ ସର୍ବତ ଏବଂ ଖାଇବା ପାଇଁ ତରଭୁଜର ବ୍ୟବସ୍ଥା କରାଯାଇଥିଲା ।

କଡ଼ା ସୁରକ୍ଷା ମଧ୍ୟରେ ୨୫୩ଟି ବୁଥରେ ହୋଇଥିଲା ମତଦାନ। ସେଥିମଧ୍ୟରୁ ୨୬ଟି ଥିଲା ପିଙ୍କ୍ ଏବଂ ୪୦ଟି ମଡେଲ୍ ବୁଥ୍ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିଥିଲା । ଆଇନଶୃଙ୍ଖଳା ଉପରେ ନଜର ରଖିବାକୁ କେତେକ ସ୍ଥାନରେ ଡ୍ରୋନର ସହାୟତା ନିଆଯାଇଥିଲା । ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ କରି ଡ୍ରୋନ ଫୁଟେଜ୍ ଉପରେ ନଜର ରଖିଥିଲା ପୋଲିସ । ଏସବୁ ଭିତରେ ଝାରସୁଗୁଡ଼ା ପୌରାଞ୍ଚଳରେ ଥିବା କିଛି ବୁଥରେ କିନ୍ତୁ ଦେଖବାକୁ ମିଳିଥିଲା ତ୍ରୁଟି ବିଚ୍ୟୁତି । ମନମୋହନ ସ୍କୁଲ ମତଦାନ କେନ୍ଦ୍ରରେ ବିଜେଡି ଚିହ୍ନ ଥିବା ଚିରକୁଟ୍ ଭୋଟରଙ୍କୁ ବଣ୍ଟା ଯାଇଥିବା ଅଭିଯୋଗ ହୋଇଥିଲା ।

ସେହିପରି ବେହେରାମାଲ ଆଶ୍ରମ ସ୍କୁଲ ବୁଥରେ ଲିଷ୍ଟରୁ ନାଁ କଟି ଯାଇଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିଲେ ଜଣେ ଭୋଟର । ସମାନ ଘଟଣା ଘଟିଥିଲା ୧୭ ନମ୍ବର ୱାର୍ଡର ୭୨ ନମ୍ବର ବୁଥରେ । ଭୋଟର ଲିଷ୍ଟରେ ନାଁ ନଥିବାରୁ ନିରାଶ ହୋଇ ଫେରିଯାଇଥିଲେ କିଛି ଭୋଟର୍ । ଆଉ କେଉଁଠି ଭୋଟ୍ ଦେବା ପାଇଁ ଅସଲି ଭୋଟର ପହଞ୍ଚିବା ବେଳକୁ ତାଙ୍କ ନାଁରେ ଆଉ କିଏ ଭୋଟ୍ ଦେଇଥିବା ଅଭିଯୋଗ ଆସିଛି । 

ଏସବୁ ଭିତରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପୌରାଞ୍ଚଳର ୧୯ ନମ୍ବର ୱାର୍ଡର ୭୦ ନମ୍ବର ବୁଥରେ ଭୋଟ୍ ଦେଇଥିଲେ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସରବାହାଲର ୩୪ ନମ୍ବର ବୁଥରେ ଭୋଟଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ସହରର ୧୭ ନମ୍ବର ୱାର୍ଡରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।