Advertisment

ରାତି ପାହିଲେ ଲଢେଇ, ମତଦାନ ପାଇଁ ପ୍ରସ୍ତୁତ ବୁଥ୍ ଓ ପୋଲିଂ ପାର୍ଟି

ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ । ମୁକ୍ତ ଓ ଅବାଧ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ । ୨୪ ପୂର୍ବରୁ ୩ ଦଳ ପାଇଁ ଶକ୍ତି ପରଖିବାର ବଡ଼ ସୁଯୋଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jharsuguda Bypoll

Odisha Politics, Jharsuguda Bypoll

ଏଥର କାହାର ହେବ ଝାରସୁଗୁଡା ? ଉପନିର୍ବାଚନରେ କିଏ ଜିତିବ ବାଜି, କାହାର ହେବ ହାର ? ରାତି ପାହିଲେ ଝାରସୁଗୁଡ଼ା ଉପନିର୍ବାଚନ । ଏ ବର୍ଷର ପ୍ରଥମ ଭୋଟ୍ । ୨୪ ମହା ଲଢ଼େଇ ପୂର୍ବରୁ ତିନି ପ୍ରମୁଖ ଦଳ ପାଇଁ ମଇଦାନରେ ନିଜ ନିଜ ରାଜନୈତିକ ଦାଢ଼ ପରଖିବାର ସମ୍ଭବତଃ ଶେଷ ସୁଯୋଗ । ସେଥିପାଇଁ ସବୁ ସ୍ତରରେ ଚୁଡ଼ାନ୍ତ ହୋଇଛି ପ୍ରସ୍ତୁତି। ପୋଲିଂ ପାର୍ଟି ବୁଥରେ ପହଞ୍ଚି ମତଦାନର ରିହର୍ସାଲ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ସମସ୍ତ ତୟାରି ସରିଛି । ବାସ୍ କେବଳ ଭୋଟ୍ ପରୀକ୍ଷାକୁ ଅପେକ୍ଷା ।

Advertisment

ପ୍ରଥମେ ମକ୍ ପୋଲ୍ ପରେ କାଲି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିବ। ଏଥିପାଇଁ ମତଦାନ ହେବାକୁ ଥିବା ସମସ୍ତ ୨୫୩ଟି ବୁଥରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥରେ ସିସିଟିଭି ଲଗାଯାଇ ୱେବକାଷ୍ଟିଂର ବ୍ୟବସ୍ଥା କରାଯାଇଛି ।

ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ଏଥର ୯ ଜଣ ପ୍ରାର୍ଥୀ ଥିବା ବେଳେ ଲଢ଼େଇ ମୁଖ୍ୟତଃ ତ୍ରିମୁଖୀ । ବିଜେଡି ପ୍ରାର୍ଥିନୀ ଦୀପାଲି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ରାଜନୈତିକ ମୈଦାନରେ ତିନି ଜଣଙ୍କ ଡେବ୍ୟୁ ମ୍ୟାଚ୍ । ତେଣୁ ନିଜ ଯୋଦ୍ଧାଙ୍କୁ ଜିତାଇବାକୁ ହେଭିୱେଟ୍ ନେଇ ପ୍ରଚାର ପଡ଼ିଆରେ ଜି, ଜାନ୍ ଲଗେଇ ଦେଇଥିଲେ ତିନି ଦଳ । କାରଣ ୨୪ ମହା ଲଢ଼େଇ ପୂର୍ବରୁ ନିଜ ସ୍ଥିତି ପରଖିବାକୁ ଏବଂ କାଟ୍‌ତି ଦେଖାଇବାକୁ ଇଏ ସମ୍ଭବତଃ ଶେଷ ସୁଯୋଗ । ଏଇଠୁ ଖାଲି ହାରଜିତ୍ ନୁହେଁ, ବିଜୟ ପରାଜୟର ବ୍ୟବଧାନ, ସରକାରୀ ବିରୋଧୀ ହାୱା ଅଛି କି ନାହିଁ, ନବ ଦାସ ହତ୍ୟା ଘଟଣାର ଭୋଟରେ ପ୍ରଭାବ ଅଛି ନା ନାହିଁ, ଆଇନଶୃଙ୍ଖଳାକୁ ବିରୋଧୀ ଯେଉଁ ବଡ଼ ଅସ୍ତ୍ର କରିଛନ୍ତି, ତାହା କାମ କରିଛି କି ନାହିଁ, ଏସବୁର ସଂକେତ ସାମ୍ନାକୁ ଆସିଯିବ, ଯାହା ୨୪ ଲଢ଼େଇ ପାଇଁ ଶାସକ- ବିରୋଧୀଙ୍କ କ୍ଷେତ୍ର ପ୍ରସ୍ତୁତିର ସୁଯୋଗ ଦେବ।

Advertisment

ତେବେ କେବଳ ଝାରସୁଗୁଡ଼ା ଉପରେ ଫୋକସ କଲେ, ଦିବଙ୍ଗତ ନେତା ନବ ଦାସଙ୍କୁ ଦଳକୁ ଆଣି ଝାରସୁଗୁଡ଼ାକୁ ଦଖଲ ନେଇଥିଲା ବିଜେଡି । ନବଙ୍କ ହତ୍ୟା ପରେ ତାଙ୍କ ଅବର୍ତ୍ତମାନରେ ଗଡ଼ ପୁନଃ ଅକ୍ତିଆରକୁ ନେଇ ଚିନ୍ତାରେ ଦଳ ।

ସେହିପରି ୧୪ ନିର୍ବାଚନ ତୁଳନାରେ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ୍ ବଢ଼ିଥିବାରୁ ନବଙ୍କ ଅବର୍ତ୍ତମାନରେ ଝାରସୁଗୁଡ଼ାକୁ ଦଖଲ କରିବା ଚେଷ୍ଟାରେ ବିଜେପି । ଅପରପକ୍ଷେ ଝାରସୁଗୁଡ଼ାକୁ ପୂର୍ବରୁ ଲଗାତର ୧୧ ଥର ନିଜ ଦଖଲରେ ରଖିଥିବା କଂଗ୍ରେସ ହେମାନନ୍ଦ ବିଶ୍ୱାଳ ଓ ବୀରେନ୍ଦ୍ର ପାଣ୍ଡେଙ୍କ ପକେଟ୍ ଭୋଟ୍‌କୁ ରଖି ଏଇଠୁ ଅଣ୍ଟା ଭିଡ଼ିବାକୁ ଚେଷ୍ଟା କରୁଛି । ଆସନ୍ତାକାଲିର ଭୋଟ୍ ପରେ ୧୩ ତାରିଖରେ ଗଣତି । ଆଉ ଏହିଦିନ ଜଣାପଡ଼ିବ ଏଥର କାହା ସପକ୍ଷରେ ରହିବ ଜନତାଙ୍କ ରାୟ ?

Odisha Politics Bypolls
Advertisment
Advertisment