• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୬୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଧନୱାରରୁ ଲଢ଼ିବେ ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି । ଜାମତାରାରୁ ଶିବୁ ସୋରେନଙ୍କ ବୋହୂ ସୀତା ସୋରେନ ଏବଂ ଷଢ଼େଇକଳାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ନିର୍ବାଚନ ଲଢିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା କୋଡା ଜଗନ୍ନାଥପୁରରୁ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା ପୋଟକାରୁ ଲଢିବେ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୁ ପୂର୍ଣ୍ଣିମା ଦାସ ସାହୁଙ୍କୁ ଜାମସେଦପୁର ଇଷ୍ଟରୁ ପ୍ରାର୍ଥୀ କରାଯାଇଛି । ସେହିପରି ବିଷ୍ଣୁପୁରର ସମୀର ଓରାଁଓ, ରାଞ୍ଚି- ସି.ପି ସିଂହ, ମୁଆ- ମଞ୍ଜୁ ଦେବୀ, ଚାଇବାସା- ଗୀତା ବାଲମୁଚୁ, ଘାଟସିଲା- ବାବୁଲାଲ ସୋରେନ୍, ଧାନବାଦ- ରାଜ୍ ସିହ୍ନା, ବୋକାରୋ- ବିରଞ୍ଚି ନାରାୟଣ, ହଜାରୀବାଗ- ପ୍ରଦୀପ ପ୍ରସାଦ ଏବଂ ଦେଓଘରରୁ ଲଢିବେ ନାରାୟଣ ଦାସ ।

ସୂଚନା ଅନୁସାରେ ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ଆସନରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨୦ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୧୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବରରେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ଅକ୍ଟୋବର ୨୮ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଅକ୍ଟୋବର ୩୦ରେ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ।

ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୯ରେ ନାମାଙ୍କନ ଦାଖଲର ଶେଷ ତାରିଖ । ଅକ୍ଟୋବର ୩୦ରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ନଭେମ୍ବର ୧ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ । ତେବେ ଝାଡ଼ଖଣ୍ଡରେ ମଧ୍ୟ ନଭେମ୍ବର ୨୩ରେ ଭୋଟ୍ ଗଣତି ହେବ ।

OTV is now on Whatsapp

Join and get latest news update delivered to you via whatsapp

Join Now