/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666279642.jpg)
Dhamnagar Bypolls
ଭୋଟ୍ ଭଦ୍ରକ ଜିଲ୍ଲାରେ, ଦବଦବା କିନ୍ତୁ ଯାଜପୁର ବିଜେଡି ନେତାଙ୍କର। ଧାମନଗର ବାଇଇଲେକ୍ସନରେ ପଡ଼ୋଶୀ ଜିଲ୍ଲା ବିଜେଡି ନେତାଙ୍କ ମାମଲାତି। ପ୍ରାର୍ଥୀ ବାଛିବାଠାରୁ ପ୍ରଚାର ମୈଦାନ ସବୁଠି ଲିଡ୍ ରୋଲ୍। ଚତୁର୍ମୁଖୀ ଲଢେଇକୁ ନେଇ ସରଗରମ ଧାମନଗର ରାଜନୀତି ରାଜୁ ଦାସ ସ୍ବାଧୀନ ପ୍ରାର୍ଥୀ ହେବା ପରେ ରୋଚକ ମୋଡ଼ରେ ଲଢ଼େଇ। ଏଭଳି ସ୍ଥିତିରେ ମୈଦାନରେ ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାର ମାଳମାଳ ବିଜେଡି ନେତାଙ୍କୁ। ଯାଜପୁର ଜିଲ୍ଲାର ୭ରୁ ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ବିଜେଡି କବଜାରେ। ଆଉ ସବୁ ବିଧାୟକ ଏବେ ଧାମନଗର ଡ୍ୟୁଟିରେ।
ଦଳର ସଙ୍ଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବାଇଇଲେକ୍ସନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ରଣନୀତି ପ୍ରସ୍ତୁତ କରୁଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ନିର୍ବାଚନ କୋର୍ଡିନେଟର୍ ଦାୟିତ୍ୱ ତୁଲାଉଛନ୍ତି। ମନ୍ତ୍ରୀ ପ୍ରମିଳା ମଲ୍ଲିକ ତିହିଡି ବ୍ଲକ୍, ପ୍ରୀତିରଂଜନ ଘଡେଇ ଧାମନଗର ବ୍ଲକର ଏକ ଜିଲ୍ଲା ପରିଷଦ ଜୋନ୍ ଦାୟିତ୍ୱରେ ଅଛନ୍ତି। ବିଧାୟକ ଅମର ଶତପଥୀ ମଧ୍ୟ ଅନ୍ୟ ଏକ ଜୋନ୍ ଦାୟିତ୍ୱରେ ରହି ପ୍ରଚାର କରୁଛନ୍ତି। କୋରେଇ ବିଧାୟକ ଅଶୋକ ବଳ ଓ ବରି ବିଧାୟିକା ସୁନନ୍ଦା ଦାସ ବି ପ୍ରଚାର ମୈଦାନରେ ସକ୍ରିୟ ଅଛନ୍ତି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ପ୍ରଚାର ପାଇଁ ସଜବାଜ ହେଉଥିବାବେଳେ ଯାଜପୁରରୁ ଆସୁଥିବା ରାଜ୍ୟସଭା ସାଂସଦ ସୁଲତା ଦେଓ ମଧ୍ୟ କ୍ୟାଂପେନ୍ରେ ମାତିଛନ୍ତି।
ତେବେ କାହିଁକି ଯାଜପୁର ନେତା ସବୁଥିରେ ମୁଣ୍ଡ ପୁରାଉଛନ୍ତି। ପଡ଼ୋଶୀ ଜିଲ୍ଲା ହୋଇଥିବାରୁ ନା ନିଜ ପାଓ୍ୱାରକୁ ଦେଖେଇହେବାକୁ ଚାହୁଁଛନ୍ତି। ସେପଟେ ଯାଜପୁର ବିଜେଡି ନେତାଙ୍କ ଏଭଳି ଦବଦବାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ବିଜେପି ଓ କଂଗ୍ରେସ୍ ବିଜେଡି ଏହାର ଜବାବ ରଖି ସବୁ ଅଭିଯୋଗକୁ ଖଣ୍ଡନ କରିଛି।
ଗ୍ରାଉଣ୍ଡ ଜିରୋରେ ମଧ୍ୟ ଯାଜପୁର ବିଜେଡି ନେତାଙ୍କ ହାକିମାତିକୁ ନେଇ ଅସନ୍ତୋଷ ଦେଖିବାକୁ ମିଳୁଛି। ରାଜେନ୍ଦ୍ର ଦାସଙ୍କ ବଦଳରେ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଏକ ସଭାରେ ଯାଜପୁର ନେତାଙ୍କୁ ନେଇ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ଜଣେ ଦଳୀୟ କର୍ମୀ। ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଥିବା ବେଳେ ଆଜି ଭଦ୍ରକରେ ଅନୁଷ୍ଠିତ ହୋଇଛି ଏକ ମିଶ୍ରଣ ପର୍ବ। କୋଠାର ପଂଚାୟତର ପୂର୍ବତନ ବିଜେଡି ସମର୍ଥିତ ସରପଂଚ ଓ କଂଗ୍ରେସର ବହୁ ଛାମୁଆ ନେତା ବିଜେଡିରେ ସାମିଲ ହୋଇଛନ୍ତି।
(ରିପୋର୍ଟ: ଧାମନଗରରୁ ପାର୍ଥସାରଥୀ ନାୟକ ଓ ଭୁବନେଶ୍ୱରରୁ ହରିହର ଚାନ୍ଦ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)