Advertisment

‘ଜାଗା ମିଶନ୍’ ପ୍ରହସନ ! ଜାଗା ଫେରାଇବାକୁ BMC ଅଫିସ୍‌ରେ ଲୋକଙ୍କ ଲମ୍ବା ଲାଇନ୍‌

ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ ।

author-image
Satyendu Shekher Mishra
undefined

Jaga Mission

ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଜାଗା ମିଶନରେ ପ୍ରମାଣ ପତ୍ର ନେଉନାହାନ୍ତି ବସ୍ତିବାସିନ୍ଦା। ପ୍ରିମିୟମ୍ ବାତିଲ ପାଇଁ ବିଏମ୍‌ସି ଅଫିସ୍‌ରେ ଲାଗୁଛି ଲମ୍ୱା ଲାଇନ । ଆଲଟ୍ ହୋଇଥିବା ଅତିରିକ୍ତ ଜମି ଫେରାଇ ନେବାକୁ ଦାବି କରୁଛନ୍ତି ହିତାଧିକାରୀ । ବିଡ଼ମ୍ବନାର ବିଷୟ ହେଲା ବିଏମସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇନଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ। କାରଣ ପ୍ରିମିୟମ ଦେବାକୁ ସକ୍ଷମ ନାହାନ୍ତି ଅଧିକାଂଶ ହିତାଧିକାରୀ।

Advertisment

ସେଥିମଧ୍ୟରୁ ଜଣେ ହେଲେ ନୟାପଲ୍ଲୀ ଆଇଡି ମାର୍କେଟ ଗାନ୍ଧିବସ୍ତିର ପ୍ରଭାସିନୀ ପରିଡା। ଅନ୍ୟ ଘରେ କାମ କରି ଚଳନ୍ତି। ଏବେ ଜାଗା ମିଶନରେ ପ୍ରମାଣ ପତ୍ର ବାବଦକୁ ତାଙ୍କୁ ଦେବାକୁ କୁହାଯାଇଛି ଲକ୍ଷେ ୨୬ ହଜାର ଟଙ୍କା । ଏଣୁ ପ୍ରିମିୟିମ କାଟିବାକୁ ଧାଇଁ ଆସିଛନ୍ତି ଅଭିଯୋଗ ପ୍ରକୋଷ୍ଠ। ସେହିଭଳି ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତିର ଶୁଭଲକ୍ଷ୍ମୀ ମିଶ୍ରଙ୍କୁ ବି ଆସିଛି ୧ ଲକ୍ଷ ୧୧ ହଜାର ୨୨୬ ଟଙ୍କାର ଡିମାଣ୍ଡ ନୋଟିସ । ଏତେ ଟଙ୍କା ଦେଇ ପାରିବିନି, ୩୨୩ ସ୍କୋୟାର ଫୁଟ ଜମି ବାଦ୍ ଅତିରିକ୍ତ ଜମି ଫେରାଇବାକୁ ସେ ନିବେଦନ କରିଛନ୍ତି।

ସୂଚନା ଅନୁସାରେ ୫୧ ହଜାର ପ୍ରମାଣ ପତ୍ର ମଧ୍ୟରୁ ପ୍ରାୟ ୨୨ ହଜାର ପ୍ରିମିୟମ ପ୍ରମାଣ ପତ୍ର ଥିବା ବେଳେ, ପାଖାପାଖି ୧୫ ହଜାର ହିତାଧିକାରୀ ପ୍ରମାଣ ପତ୍ର ନେବା ପାଇଁ ବିଏମସିକୁ ଆସୁ ନାହାନ୍ତି।

Advertisment

ପ୍ରିମିୟମକୁ ହିତାଧିକାରୀଙ୍କ ବିରୋଧ ପରେ ନିଷ୍ପତ୍ତି ବଦଳାଇଛି ବିଏମସି। କହିଛି ଏଣିକି ଆଉ ୩ ଦିନ ନୁହେଁ ୬ ମାସରେ ଶୁଝି ପାରିବେ ପ୍ରିମିୟମ ଟଙ୍କା । ଏକାଥରେ ପ୍ରିମିୟମ ଦେଇନପାରିଲେ ୬ ମାସରେ ୬ଟି କିସ୍ତିରେ ସମସ୍ତ ଟଙ୍କା ଦେଇ ପ୍ରମାଣ ପତ୍ର ପାଇପାରିବେ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ସେପଟେ କିନ୍ତୁ ଏବେ ବି ହିତାଧିକାରୀଙ୍କୁ ମିଳୁଥିବା ଡିମାଣ୍ଡ ନୋଟିସରେ ୩ ଦିନ ଭିତରେ ପ୍ରିମିୟମ ଟଙ୍କା ଦାଖଲ ନକଲେ ପ୍ରମାଣ ପତ୍ର ବାତିଲ ହୋଇଯିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଯାହାକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ।

ଅନ୍ୟପଟେ ଯଦି କେଉଁ ହିତାଧିକାରୀ ଅତିରିକ୍ତ ଜମି ଫେରାଇବା କିମ୍ବା ସର୍ଭେରେ ଦଖଲ ଜମି ଭୁଲ୍ ଆସିଥିବା ଅଭିଯୋଗ କରନ୍ତି, ପୁଣି ଥରେ ଫିଜିକାଲ ସର୍ଭେ ପାଇଁ ବିଏମସିର ଟିମ୍ ଯିବ। ପ୍ରଶ୍ନ ଉଠୁଛି ଗୋଟିଏ ଗୋଟିଏ ପରିବାର ୧୫୦ରୁ ୨୦୦ ସ୍କୋୟାର ଫୁଟ ଜମିରେ ରହି ଆସୁଥିବା ବେଳେ ସର୍ଭେରେ ଅଧିକ ଦଖଲ ନେଇ ରିପୋର୍ଟ ଆସିଲା କେମିତି ?

ଜୟପୁର ପୌର ପରିଷଦରେ ମଧ୍ୟ ପ୍ରାୟ ୭୫୬ ହିତାଧିକାରୀ ପ୍ରିମିୟମ ଟଙ୍କା ଦେଇ ନପାରିବାରୁ ଏବେ ବି ସେମାନଙ୍କ ପଟ୍ଟା ପୌର କାର୍ଯ୍ୟାଳୟରେ ପଡି ରହିଛି । ଭୁବନେଶ୍ୱରରୁ ମଧ୍ୟ ସମାନ ଚିତ୍ର ଆସିବା ପରେ ଜାଗା ମିଶନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଲାଣି ।

BJD Odisha BJP Odisha Politics Jaga Mission
Advertisment
Advertisment