• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର, (ରିପୋର୍ଟ-ରାଜେନ୍ଦ୍ର, ହରିହର ଚାନ୍ଦ): ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲା ପରେ ବି ଥମୁନି ଝଡ଼ । ଆଜି ଗୃହ ଭିତରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ୍ । ଦଳୀୟ ବିଧାୟକ ଘଣ୍ଟ ବାଡ଼େଇବା ସହ ବିଧାୟକ ତାରା ବାହିନୀପତି ପୂଜକ ବେଶରେ ଆସି ଗଙ୍ଗାଜଳ ଓ ତୁଳସୀ ପାଣି ଛିଞ୍ଚି ଥିଲେ । ବିଜେପି ମଧ୍ୟ ଗୃହ ଭିତରେ ପ୍ଲା-କାର୍ଡ ଦେଖାଇ ଜୋରଦାର ବିକ୍ଷୋଭ କରିବା ସହ ସୋମବାର ବିଧାନସଭାରେ ସୁପର୍ ସାଇକ୍ଲୋନ ଆସିବ ବୋଲି ଚେତାବନୀ ଦେଇଛି । ଜବାବରେ ବିଜେଡି କହିଛି ଏସବୁ କେବଳ ଡ୍ରାମା ।

ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଲେ । ଦ୍ୱିତୀୟ ଦିନ ବ୍ୟାନର୍ ଓ ପୋଷ୍ଟର ଦେଖାଇଲେ । ତୃତୀୟ ଦିନ ବିଜେପି ଗୋବର ଓ ଗଙ୍ଗା ପାଣି ଛିଞ୍ଚିଲା । ଆଉ ତାପରେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ । ହେଲେ ଏଥିରେ ସନ୍ତୁଷ୍ଟ ନୁହଁନ୍ତି ବିରୋଧୀ । ଆଜି ଚତୁର୍ଥ ଦିନରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛି କଂଗ୍ରେସ୍ । ଗୃହ ମଧ୍ୟଭାଗରେ ବିଧାୟକ ରମେଶ ଜେନା ଓ ଅଧିରାଜ ପାଣିଗ୍ରାହୀ ଘଣ୍ଟ ବାଡ଼େଇଥିବା ବେଳେ ତାରା ବାହିନୀପତି ପୂଜକ ବେଶରେ ଆସି ଗୋମୂତ୍ର, ତୁଳସୀ ଓ ଗଙ୍ଗା ପାଣି ଛିଞ୍ଚିଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବସୁଥିବା ସ୍ଥାନ ଓ ବାଚସ୍ପତିଙ୍କ ପୋଡିୟମ ଉପରକୁ ତୁଳସୀ ଓ ଗଙ୍ଗା ପାଣି ଛିଞ୍ଚିଥିଲେ ତାରା । ଏହି ସମୟରେ କଂଗ୍ରେସର ଅନ୍ୟ ସଦସ୍ୟମାନେ ପ୍ଲା-କାର୍ଡ ଦେଖାଇ ଜୋରଦାର ପ୍ରତିବାଦ କରିଥିଲେ । ଗୃହ ରାଷ୍ଟ୍ରମନ୍ତ୍ରୀ ପବିତ୍ର ବିଧାନସଭାକୁ ଆସିବା ଯୋଗୁଁ ଗୃହ ଅପବିତ୍ର ହୋଇଛି ବୋଲି ଅଭିଯୋଗ କରିଛି । କଂଗ୍ରେସ୍ ଦଳ ପୁଣିଥରେ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫଦାରି ପାଇଁ ଦାବି କରିଛି । ବିଜେପି ସଦସ୍ୟମାନେ ବି ଗୃହ ଭିତରେ ପ୍ଲା-କାର୍ଡ ଦେଖାଇ ପ୍ରବଳ ପାଟିତୁଣ୍ଡ କରିବା ସହ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସରକାର ଯଦି ମନ୍ତ୍ରୀଙ୍କୁ ବହିଷ୍କାର ନ କରନ୍ତି ଓ ଘଟଣାର ତଦନ୍ତ ଭାର ସିବିଆଇକୁ ନ ଦେବେ ତାହାଲେ ଆସନ୍ତା ସୋମବାର ବିଧାନସଭାରେ ସୁପର୍ ସାଇକ୍ଳୋନ ହେବ ବୋଲି ଦଳ ଚେତାବନୀ ଦେଇଛି । ଅପରାହ୍ନ ଅଧିବେଶନରେ ବି ବିଜେପି ଓ କଂଗ୍ରେସ୍ ସଦସ୍ୟ ପ୍ରବଳ ହୋହଲ୍ଲା କରିବାରୁ ବାଚସ୍ପତି ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି ।

ସେପଟେ ବିଜେଡି କହିଛି ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିସାରିବା ପରେ ପ୍ରତିବାଦର କୌଣସି କାରଣ ନାହିଁ । ବିରୋଧୀ ଦଳ କେବଳ ଡ୍ରାମା କରୁଛନ୍ତି ।