Advertisment

ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।

author-image
Satyendu Shekher Mishra
undefined

Naveen Odisha Scheme

ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଗଣ୍ଡଗୋଳ । ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ନେଇ ବଢୁଛି ଅଡୁଆ । ଜନ ପ୍ରତିନିଧିଙ୍କ ଭିନ୍ନଭିନ୍ନ ପ୍ରସ୍ତାବକୁ ନେଇ ବଢୁଛି ଅସନ୍ତୋଷ ।

Advertisment

ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମରେ ପ୍ରକଳ୍ପ ପାଇଁ ଗାଁ ଗାଁରେ ଚାଲିଛି ବୈଠକ । ତେବେ ସମସ୍ୟା ଉପୁଜିଛି ପ୍ରକଳ୍ପ ଚୟନରେ। ସ୍କିମରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବାକୁ ଥିବାରୁ ପ୍ରୋଜେକ୍ଟ ତାଲିକାକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବିଧାୟକଙ୍କ ପ୍ରତିନିଧି, ଏପରିକି ବିଜେଡି ନେତା ଯେ ଯାହାର ତାଲିକା ପ୍ରସ୍ତୁତ କରୁଛନ୍ତି । ଯାହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।

ବାଲେଶ୍ୱର ସଦର ବ୍ଳକ୍ ବଇଁଚା ପଂଚାୟତ । ଏଠାକାର ସରପଂଚ ରବି ନାରାୟଣ ପ୍ରଧାନ ସମତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ଉପସ୍ଥିତିରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରି ବ୍ଲକରେ ଦାଖଲ କରିଛନ୍ତି । ସେପଟେ ଶାସକ ଦଳର ବିଧାୟକଙ୍କ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା ଲୋକଙ୍କ ମତାମତ ନେଇ ଆଉ ଏକ ଚିଠା ତାଲିକା ବିଡିଓଙ୍କୁ ପ୍ରଦାନ କରିଛନ୍ତି । ଏହାକୁ ନେଇ ବିଧାୟକ ଅଡୁଆରେ ପଡ଼ିବା ପରେ ସମସ୍ୟାର ସମାଧାନ ପାଇଁ ତାଳିପକା ଉଦ୍ୟମ କରୁଛନ୍ତି ।

Advertisment

କୋରାପୁଟ ଜିଲ୍ଲାର ଅନ୍ତା ପଂଚାୟତରେ ବି ସ୍କିମ୍‌କୁ ନେଇ ସଙ୍ଗୀନ ସ୍ଥିତି । ସ୍ଥାନୀୟ ସରପଂଚ ବାବୁଲା ଦିଶାରି କହିଛନ୍ତି ସରକାରଙ୍କ ଘୋଷଣା ଶୁଣିଛୁ, ହେଲେ ବ୍ଲକ ପ୍ରଶାସନ ସେ ସଂପର୍କରେ କିଛି ଜଣାଇନି । କିନ୍ତୁ ବିଜେଡି ନେତାମାନେ ପ୍ରକଲ୍ପ ପ୍ରସ୍ତୁତି ତାଲିକାରେ ଲାଗିଛନ୍ତି। ତେବେ ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବରଙ୍କ ଅଜାଣତରେ ପ୍ରକଳ୍ପ କାର୍ଯ୍ୟ ହେଲେ ତାକୁ କରାଇ ଦେବୁନୁ ବୋଲି ଚେତାବନୀ ଦେଇଛନ୍ତି ସରପଂଚ । ଜିଲ୍ଲାର ଅନେକ ପଂଚାୟତରେ ଏବେ ସମାନ ସ୍ଥିତି ।

ସେପଟେ ସରକାରୀ ସ୍କିମ୍‌କୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଭାବି ପ୍ରକଳ୍ପ ପ୍ରସ୍ତୁତ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ତେଣୁ ଗାଁ ଗାଁରେ ଗଣ୍ଡଗୋଳ ସ୍ଥିତି ସୃଷ୍ଟି ହେଉଛି । ତେବେ ବିଜେଡି କହିଛି ନୂଆ ଯୋଜନାରେ କିଛି ସମସ୍ୟା ନାହିଁ ।

ଆମ ଓଡିଶା ନବୀନ ଓଡିଶା ସ୍କିମ୍ ନିର୍ବାଚନ ପାଇଁ ଗେମ୍ ଚେଂଜର ହେବ ବୋଲି କୁହାଯାଉଥିବେଳେ ଏବେ ଗାଁ ଗାଁରେ ଯେଭଳି ଝମେଲା ବଢୁଛି, ତାହା ବିଜେଡି ପାଇଁ ଓଲଟା ବୁମେରାଂ ହେବନି ତ !

BJD Congress Odisha BJP Odisha Politics
Advertisment
Advertisment