• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

5Tକୁ ନେଇ ବଡ଼ ପ୍ରଶ୍ନ । 5T ଏକ ବିଭାଗ କି ? ଯଦି ବିଭାଗ, ତେବେ ବିଧାନସଭାରେ କାହିଁକି ହେଉନି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ? ସବୁ ବିଭାଗକୁ ଗୌଣ କରି 5T ନାଁରେ କ୍ଷମତା ଜାବୁଡି ଧରିବାର ଆଳ କି ? ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିରୋଧୀ-ଶାସକ ।

ଟ୍ରାନସ୍‌ପରେନ୍ସି, ଟେକ୍ନୋଲୋଜି, ଟିମ୍ ୱାର୍କ, ଟାଇମ୍ ଓ ଟ୍ରାନସଫରମେସନ୍ । ଏଇ ୫ଟି Tକୁ ନେଇ ଗଠିତ ବିଭାଗକୁ ନେଇ ବଢିଲା ବିବାଦ । ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମଦୁଲିଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ହୋଇଛି ଜୋରଦାର ଆରୋପ-ପ୍ରତ୍ୟାରୋପ। ପ୍ରସଙ୍ଗ ଉଠାଇ ଜୟନାରାୟଣଙ୍କ ଯୁକ୍ତି ଥିଲା 5T କଣ, ବୁଝା ପଡୁନି । ଯଦି ଏହା ବିଭାଗ, ତାହେଲେ ତାର ଅଫିସ ଲୋକସେବା ଭବନ, ଖାରବେଳ ଭବନ ନା ରାଜୀବ ଭବନ, କେଉଁଠି ଅଛି ?

କେଉଁମାନେ ଏହାର କର୍ମଚାରୀ ? ଅନ୍ୟ ବିଭାଗର କ୍ଷମତାକୁ ଶଙ୍କୁଚିତ କରିବାକୁ ଏହା ଏକ କାର୍ଯ୍ୟକ୍ରମ କି ବୋଲି ପ୍ରଶ୍ନବାଣରେ ଛନ୍ଦିଥିଲେ ଜୟନାରାୟଣ । ଯାହାର ଜବାବ ରଖିଥିଲେ ସରକାରୀ ଦଳ ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି । କହିଥିଲେ- 5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇପାରେ । କିନ୍ତୁ ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା । ଯାହା ମନ୍ତ୍ର ଭଳି କାମ କରୁଛି । ତଳ ସ୍ତରରେ ବିଭିନ୍ନ ଅନିୟମିତତା ହେଉ କି ସମସ୍ୟା । ପୂର୍ବରୁ ଏସବୁକୁ ଲୋକେ ଭିଜିଲାନ୍ସକୁ ଦେବାକୁ କହୁଥିଲେ, ହେଲେ ଏବେ କିନ୍ତୁ 5Tକୁ ଦେବାକୁ କହୁଛନ୍ତି ।

୨୦୧୯ରେ ଲଗାତର ୫ମ ଥର ପାଇଁ କ୍ଷମତାକୁ ଫେରିବା ପରେ 5T ଓ ମୋ ସରକାରର ଆରମ୍ଭ କରିଥିଲେ ନବୀନ ସରକାର । ସିଏମ୍‌ଙ୍କ ପ୍ରାଇଭେଟ ସେକ୍ରେଟାରୀ ଭି.କେ. ପାଣ୍ଡିୟାନ ହୋଇଥିଲେ 5T ସେକ୍ରେଟାରୀ । ଏବେ ବି 5T ସଚିବ ଭାବେ ପାଣ୍ଡିୟାନ୍ ଜିଲ୍ଲା ଜିଲ୍ଲା, ବ୍ଲକ୍ ବ୍ଲକ୍ ବୁଲି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରୁଛନ୍ତି । ତେବେ ଏହାଦ୍ୱାରା ଅନ୍ୟ ବିଭାଗ ଓ ଏସବୁର ସଚିବଙ୍କ କ୍ଷମତାକୁ ଚାପି ଦିଆଯାଉଛି କି । ଏମିତିକି ମୁଖ୍ୟଶାସନ ସଚିବ ଭଳି ପଦବୀକୁ ବି ଗୌଣ କରାଯାଉଥିବା ଅଭିଯୋଗ ହୋଇ ଆସୁଛି ।

ଅନ୍ୟପଟେ ଯଦି ସରକାରଙ୍କ ଅନୁସାରେ 5T ଏକ ଚିନ୍ତାଧାରା। ତେବେ ପାଣ୍ଡିଆନ୍ କଣ ଗୋଟିଏ ଚିନ୍ତାଧାରାର ସଚିବ କି ? ଅପରପକ୍ଷେ ଭିଜିଲାନ୍ସ ଅପେକ୍ଷା ଲୋକେ ଏବେ 5T ଉପରେ ଅଧିକ ନିର୍ଭରଶୀଳ କଥାକୁ ନେଇ ବି ପ୍ରଶ୍ନ ଉଠିଛି ।

ତେବେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ସମୟ ଭିତରେ କାର୍ଯ୍ୟ ସଂପାଦନ ଏବଂ ବିଭିନ୍ନ କାର୍ଯ୍ୟର ରୂପାନ୍ତରୀକରଣ ପାଇଁ ଗଠନ କରାଯାଇଥିବା 5T କାର୍ଯ୍ୟକ୍ରମ ଏବେ ବିବାଦ ଘେରରେ । ଯାହା ସରକାରଙ୍କୁ ଅଡ଼ୁଆରେ ପକାଇଛି ।