ସରକାର ବଦଳି ୬ ମାସ ହେଲାଣି । ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । କ୍ଷମତାରେ ନାହାଁନ୍ତି, ସରକାରଙ୍କୁ ଦାବୀ ଜଣାଇ ଚାପ ପକାଇ ପାରନ୍ତି କିନ୍ତୁ ସିଧାସଳଖ ସରକାରୀ ସହାୟତା ଦେଇପାରିବେନି, ତଥାପି ନବୀନଙ୍କ ବିଲ ବୁଲାକୁ ନେଇ ଚର୍ଚ୍ଚା କାହିଁକି ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପାଇଁ ହାତରେ ଧାନକେଣ୍ଡା ଧରି ଚାଷୀମାନେ ଧାଡ଼ି ଲଗାଇଥିଲେ । ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲାଗସ୍ତ ଓ ବିଲ ବୁଲାରେ ଦେଖାଯାଇଥିବା ଭିଡ଼ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗକୁ ଯଦି ଏଭଳି ତୃଣମୂଳସ୍ତରକୁ ନବୀନଙ୍କ ଗସ୍ତ ଜାରି ରହେ ତାହେଲେ ସଙ୍ଗଠନ ଉପରେ ଏହାର ପ୍ରଭାବ ପଡ଼ିବ କି ? ସରକାର ତଥା ସରକାରୀ ଦଳ ଉପରେ ଏ ଭିଡ଼ କିଛି ପ୍ରଭାବ ପକାଇବ କି ? ଏମିତି ପ୍ରଶ୍ନ ଏବେ ସ୍ୱାଭାବିକ ଭାବେ ଉଙ୍କି ମାରୁଛି।
କ୍ଷମତାରୁ ବିଲୟ ଦେଖାଇଲା ବିଲ
Also Read
ବିଲ ବୁଲିଲେ ନବୀନ ! ୨୪ ବର୍ଷ ଶାସନ କ୍ଷମତାରେ ଥିବାବେଳେ ଯାହା କେବେ ଦେଖିବାକୁ ମିଳିନଥିଲା ସେହି ବିରଳ ଚିତ୍ର ସବୁ ଏବେ ଦେଖିବାକୁ ମିଳୁଛି । ଜିଲ୍ଲାରୁ ଜିଲ୍ଲା, କ୍ଷେତରୁ କ୍ଷେତ ବୁଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃଣମୂସ୍ତରରେ ଚାଷୀମାନଙ୍କୁ ଭେଟୁଛନ୍ତି ଏବଂ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଅମଳ ବେଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବର୍ଷକର ଫସଲ ହରାଇ ସର୍ବସ୍ୱାନ୍ତ ହୋଇପଡିଛନ୍ତି ଚାଷୀ । ଏହି ସଙ୍କଟ ସ୍ଥିତିରେ ଚିନ୍ତା ଓ ଉପାୟଶୂନ୍ୟ ହୋଇ ଋଣଗ୍ରସ୍ତ ପ୍ରାୟ ୮ ଜଣ ଚାଷୀଙ୍କ ମୃତ୍ୟୁ ଘଟିଲାଣି । ଚାଷୀଙ୍କ ଏଭଳି ବିପତ୍ତି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେମାନଙ୍କ ପାଖରେ ଠିଆ ହୋଇ କୃଷକଙ୍କୁ ଆଶ୍ୱାସନା ଦେଉଛନ୍ତି ଏବଂ କ୍ଷତିପୂରଣ ପାଇଁ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ଜଣେ ଦାୟିତ୍ୱବାନ ବିରୋଧୀଦଳ ନେତା ଭାବରେ ଶ୍ରୀ ପଟ୍ଟନାୟକ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନ କରିଛନ୍ତି । ଅବଶ୍ୟ ପୂର୍ବରୁ ଅନେକ ଚାଷୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥାଇ ସେ କେବେ କ୍ଷେତକୁ ଓହ୍ଲାଇନଥିଲେ । କ୍ଷମତାରୁ ବିଲୟ ତାଙ୍କୁ ବିଲରେ ଆଣି ଠିଆ କଲା ।
ନବୀନଙ୍କ ବିଲବୁଲା
୨୦୨୪ ନିର୍ବାଚନର ପ୍ରାୟ ୭ ମାସ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ପ୍ରଥମ କରି ଜିଲ୍ଲାଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତର ଦିନକ ପରେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ନବୀନ ପଟ୍ଟନାୟକ । ଶେରଗଡ, ହିଞ୍ଜିଳି, ଆସିକା, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଆଦି ଅଞ୍ଚଳ ଅନ୍ତର୍ଗତ ଗାଁ ସବୁ ବୁଲି ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ନବୀନ ସେମାନଙ୍କ ଦୁଃଖ ବୁଝିଥିଲେ । ଏହାର ଦିନକ ପରେ ଅର୍ଥାତ ୩୧ ତାରିଖରେ ବିରୋଧୀଦଳ ନେତା ଶ୍ରୀ ପଟ୍ଟନାୟକ ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଆଦି ଜିଲ୍ଲାରୁ ଜିଲ୍ଲା ଗାଁକୁ ଗାଁ ବୁଲି ଚାଷୀମାନଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ ।
ଚାଷୀଙ୍କ ସହ ପ୍ରଥମ ଦେଖା
ଗତ ୨୪ ବର୍ଷ ମଧ୍ୟରେ ଅନେକ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତି ଘଟିଛି, ଗଜା ମରୁଡି ସ୍ଥିତିରେ ଚାଷୀ କଲବଲ ହୋଇଛି, ବିଭିନ୍ନ କୃଷି ଜନିତ କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ୨୦୨୩ରେ ପ୍ରାୟ ଅଧାଡଜନରୁ ଅଧିକ ଅନ୍ନଦାତା ଆତ୍ମହତ୍ୟା କରିବାର ଖବର ସାମ୍ନାକୁ ଆସିଥିଲା । ୨୦୦୯ରେ ଶେଷ ଆଡକୁ ପଶ୍ଚିମ ଓଡିଶାର ପ୍ରାୟ ୪୩ ଜଣ ଚାଷୀ ଆତ୍ମହତ୍ୟା ଖବର ପ୍ରକାଶ ପାଇଥିଲା । ୨୦୧୬-୨୦୧୯ ମଧ୍ୟରେ ୩୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା କଥା ସେତେବେଳର କୃଷିମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ଜଣାଇଥିଲେ । ଗୋଟିଏ ପଟେ ସରକାର କୃଷି କ୍ଷେତ୍ରରେ ଉନ୍ନତି ପାଇଁ କୃଷିକର୍ମଣ ପୁରସ୍କାର ପାଉଥିବାବେଳେ ଅନ୍ୟପଟେ ଚାଷୀଙ୍କ ଏଭଳି ଦୁର୍ଦ୍ଦଶାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଥିଲା। ତେବେ ଏସବୁ ଭିତରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ କେବେ ବିଲକୁ ଓହ୍ଲାଇବା କଥା ଛାଡ଼ନ୍ତୁ, ଚାଷୀଙ୍କ ସହିତ ଆଲୋଚନା ଦୃଶ୍ୟ ବିରଳ ଥିଲା ।
‘ନବୀନ କ୍ରେଜ୍’ରେ ସଙ୍ଗଠନ ସୁଦୃଢ଼ ହେବ କି ?
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ଶ୍ରୀ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲାର ଗାଁ ବିଲ ଗସ୍ତରେ ଯେଉଁ ଭଳି ଭିଡ ଦେଖାଯାଇଛି ତାହା ବିଜେଡି ପାଇଁ ବଡ଼ ଉପଲବ୍ଧି । କ୍ଷମତାରେ ଥିବାବେଳେ ୨୦୨୪ ନିର୍ବାଚନ ପ୍ରଚାର ବେଳେ ଯଦି ନବୀନ ଏହିଭଳି ଓଡିଶାର ବିଭିନ୍ନ ଜିଲ୍ଲା ଓ ଗାଁକୁ ଯାଇଥାନ୍ତେ ତାହେଲେ ହୁଏତ ବିଜେଡିକୁ ପରାଜୟର ସାମ୍ନା କରିବାକୁ ପଡିନଥାନ୍ତା । ଅନ୍ତତଃ ୨୦୧୯ ନିର୍ବାଚନ ପ୍ରଚାର ଭଳି ନିର୍ବାଚନୀ ରଥରେ ବୁଲିଥିଲେ ମଧ୍ୟ ଚଳିଥାନ୍ତା । ନବୀନଙ୍କ ବର୍ତ୍ତମାନର ଗସ୍ତରେ ଦେଖାଦେଇଥିବା ଲୋକପ୍ରିୟତା ବିଜେଡିକୁ ଉତ୍ସାହିତ କରିବ ବୋଲି କୁହାଯାଉଛି ।
ନବୀନଙ୍କ ଲୋକପ୍ରିୟତା ବିଜେପି ପାଇଁ ଆହ୍ୱାନ !
ବିଜେପି କ୍ଷମତାକୁ ଆସିବାର ପ୍ରାୟ ୭ ମାସ ହୋଇଥିଲେ ମଧ୍ୟ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବିଶେଷ ପ୍ରଭାବିତ ହେବା ଭଳି ଦେଖାଯାଇ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥଗ୍ରହଣ ସମାରୋହରେ ନବୀନଙ୍କ ଉପସ୍ଥିତି, ପୂଜାମେଢ ବୁଲିବା, ପୁରୀ ରଥଯାତ୍ରା, ଡିଏଭି ସ୍କୁଲ ସମାରୋହ କାର୍ଯ୍ୟକ୍ରମ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ଶାସକ ଦଳ ଉପରେ ପ୍ରଭାବ ପକାଇବାର ସଂଭାବନାକୁ ଏଡ଼ାଇ ଦିଆ ଯାଇନପାରେ।