• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନବୀନଙ୍କ ଆଜିର ଦୁଇ ଧାଡ଼ିଆ ଘୋଷଣା ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଇଚଇ । ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ବିଜେଡିରୁ ବିଦା ହୋଇଛନ୍ତି ଦୁଇ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା । ତେବେ ଅଧିକ ଚର୍ଚ୍ଚା ବରିଷ୍ଠ ରାଜନେତା ତଥା ସାମ୍ବାଦିକତା ଜଗତର ଜଣାଶୁଣା ଚେହେରା ସୌମ୍ୟ ପଟ୍ଟନାୟକଙ୍କୁ ନେଇ।

ସୌମ୍ୟରଂଜନଙ୍କ ମାଲିକାନାରେ ଥିବା ସମ୍ବାଦ ଖବର କାଗଜର ଅନେକ ପୂର୍ବତନ କର୍ମଚାରୀ ଋଣ ଜାଲିଆତି ନେଇ EOWରେ ଅଭିଯୋଗ କରିଥିଲେ । ୩୦୦ ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଏଭଳି ଲୋନ୍ ଜାଲିଆତି କରାଯାଇଥିବା ଅଭିଯୋଗ ଆସିଥିଲା । ଏହି ଆଧାରରେ ସୌମ୍ୟରଞ୍ଜନ ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ଇଓଡବ୍ଲୁ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ଏହା ଏକ ଯୋଜନାବଦ୍ଧ ସାଂଘାତିକ ବ୍ୟାଙ୍କ ଠକେଇ, ଯେଉଁଥିରେ କୋଟି କୋଟି ଟଙ୍କା ଲୋନ୍ ଜାଲିଆତି କରାଯାଇଥିବା ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜରେ ଦର୍ଶାଯାଇଛି । ଏଭଳି ଜନ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଗଲା ବୋଲି ବିଜେଡି ଯୁକ୍ତି ବାଢିଛି । ତେବେ ଏସଂପର୍କରେ ସୌମ୍ୟରଂଜନ କିମ୍ବା ବା ତାଙ୍କ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଗତ ୧୨ ତାରିଖରେ ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ହଟାଯାଇଥିଲା, ଆଉ ଆଜି ଶେଷରେ ବିଜେଡିରୁ ବିଦା କରାଯାଇଛି । ବଡ଼ ପ୍ରଶ୍ନ,ସୌମ୍ୟଙ୍କୁ ଦଳରୁ ବାହାର କରିବା ପଛରେ କେବଳ ଲୋନ୍ ସ୍କାମ ଏକମାତ୍ର କାରଣ ? ନା ଅନ୍ୟ କିଛି କାରଣ ରହିଛି ? ଯଦି ଲୋନ୍ ସ୍କାମ୍ ଥିଲା, ବିଜେଡି କଣ ଏ ସଂପର୍କରେ ଏବେ ଜାଣିବାକୁ ପାଇଲା ? ସୌମ୍ୟ ବିଜେଡିରେ ଯୋଗଦେଇ ରାଜ୍ୟସଭା ସଦସ୍ୟ ଓ ବିଧାୟକ ହେବା ପର୍ଯ୍ୟନ୍ତ ତାହା ଜାଣି ନଥିଲେ କି ?

ଏସବୁ ଭିତରେ ସବୁଠୁ ଅଧିକ ଚର୍ଚ୍ଚା- କଣ 5T ସଚିବଙ୍କ ବିରୋଧରେ ବିଷୋଦଗାର କରିବାରୁ ଏଭଳି ଆକ୍ସନ ହେଲା କି ? ଖାସ୍ କରି ସଚିବଙ୍କ ଗସ୍ତ ଖର୍ଚ୍ଚ, ସଚିବ ରଜାନୀତି କରିପାରିବେ ନାହିଁ ବୋଲି ଖୋଲାଖୋଲି କହିବା ସୌମ୍ୟଙ୍କୁ ମହଙ୍ଗା ପଡିଲା ବୋଲି କୁହଯାଉଛି ।

ସେପଟେ ବହୁ ଦିନ ପରେ ନବୀନ ଖୋଦ୍ ସାମନାକୁ ଆସି ସୌମ୍ୟ ଓ ସୁଧାଂଶୁଙ୍କ ବିରୋଧରେ ମକାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସୌମ୍ୟଙ୍କୁ ଉପସଭାପତି ପଦରୁ କାଢ଼ିବା ବେଳେ ନବୀନଙ୍କ ସ୍ୱାକ୍ଷରରେ ଆସିଥିବା ପ୍ରେସ୍ ରିଲିଜକୁ ନେଇ ପ୍ରଶ୍ନ ଉଠାଇଥିଲେ ସୌମ୍ୟ । ନବୀନଙ୍କ ଦସ୍ତଖତ ଅସଲି ନା ନକଲି ବୋଲି ପ୍ରଶ୍ନ କରିଥିଲେ । ସେଥିପାଇଁ ନବୀନ ଆଗକୁ ଆସିଲେ କି ?

ରାଜ୍ୟ ଶାସନ ଡୋର ଆଉ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ, ଫାଇଭ-ଟି ସଚିବଙ୍କ ହାତର ରହିଛି ବୋଲି ବିଜେପି,କଂଗ୍ରେସ ଘନଘନ ଅଭିଯୋଗ କରୁଥିଲେ । ଏହାକୁ ଭୁଲ୍ ପ୍ରମାଣିତ କରିବାକୁ ଏହି ଷ୍ଟ୍ରାଟେଜି ନୁହେଁ ତ ? ଆଗକୁ ସାଧାରଣ ନିର୍ବାଚନ ଅଛି । ତେଣୁ ପୁଣି ଥରେ ନବୀନ ପୁରୁଣା ଫର୍ମକୁ ଫେରୁଛନ୍ତି କି ? ନା ଏହା କେବଳ ଲୋକ ଦେଖାଣିଆ । ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

 

  • Reported by:
  • HARIHARA CHAND , JAGDISH DAS , SOUMYA RANJAN SAHOO