Advertisment

Naveen Patnaik's Health: ନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି, କାହିଁକି କରାଯାଉଛି ଏତେ ହାଇପ୍ ?

ବିଜେପି ସରକାର ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ । ଏହାର କିଛି ସମୟ ପୂର୍ବରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କଲେ । ସେହି ସମୟରେ ବିମାନ ବନ୍ଦରରେ ସମର୍ଥକଙ୍କ ଭିଡ, ହୁଳହୁଳି, ବନ୍ଦାପନା ଆଦି ଚର୍ଚ୍ଚାକୁ ଆସିଥିଲା ।

author-image
Dilip Sabat
Naveen Patnaik

Naveen Patnaik

ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜନୀତି ଏକ ସମ୍ବେଦନଶୀଳ ଏବଂ ଜଟିଳ ପ୍ରସଙ୍ଗ । ଅନେକ ସମୟରେ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତାକୁ ନେଇ ରାଜ୍ୟ ରାଜନୀତି ସରଗରମ କାହିଁକି? ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହକୁ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିବା ଦିନ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା ଏକ ସଂଯୋଗ ନା ଯୋଜନା ? ଏହାରି ମାଧ୍ୟମରେ ପୂର୍ବବର୍ଷ ଘଟଣାକୁ ମନେ ପକାଇଦେବା ବିଜେଡିର ପ୍ରୟାସ କି? ବିଭିନ୍ନ ଦଳୀୟ କନ୍ଦଳ ଓ ଅସନ୍ତୋଷକୁ ପଛରେ ପକାଇ ନେତାଙ୍କୁ ‘ନବୀନ ଛାତ’ ତଳେ ଏକତ୍ରିତ ଓ ଏକମନା କରିବା ଉଦ୍ୟମ ଏବଂ ସୁପ୍ରିମୋଙ୍କ ସୁସ୍ଥତା ବିଜେଡି ଶିବିରକୁ ନୂଆ ସଂଜୀବନୀ ଯୋଗାଇବ କି?

Advertisment

ବର୍ଷକ ପରେ ପୁଣି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜନୀତି ଚର୍ଚ୍ଚାକୁ ଆସିଛି । ଗତ ୨୦ ଜୁନରେ ଯେଉଁ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ । ଏହାର କିଛି ସମୟ ପୂର୍ବରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କଲେ । ସେହି ସମୟରେ ବିମାନ ବନ୍ଦରରେ ସମର୍ଥକଙ୍କ ଭିଡ, ହୁଳହୁଳି, ବନ୍ଦାପନା ଆଦି ଚର୍ଚ୍ଚାକୁ ଆସିଥିଲା ।

ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡିର ଆଦର୍ଶ, ଆଇଡଲ ଓ ଆସେଟ । ତାଙ୍କ ବ୍ୟତୀତ ଦଳର ଅନ୍ୟ ଗତି ନାହିଁ ! ତେଣୁ ନବୀନ ପଟ୍ଟନାୟକଙ୍କ ସୁସ୍ଥତା ହିଁ ଦଳର ଆବଶ୍ୟକତା । ତାଙ୍କ ସଫଳ ଚିକିତ୍ସା ଓ ସୁସ୍ଥତା କାମନା କରି ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଦଳୀୟ ନେତା, କର୍ମୀମାନେ ପୂଜାପାଠ କରିବା ଦେଖିବାକୁ ମିଳିଲା । ଜୁନ ୨୨ ତାରିଖରେ ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ଦୁଇ ଦିନ ସେ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରହିବେ ବୋଲି ଜଣାପଡିଛି ।

Advertisment

ଅଧିକ ପଢ଼ନ୍ତୁ: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ, ଏୟାରପୋର୍ଟ ଯାଏଁ ବିଦାୟ ଦେବାକୁ ଗଲେ ନେତା ଓ କର୍ମୀ

୨୦୨୪ ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲା । ସୀମିତ ନିର୍ବାଚନୀ ପ୍ରଚାରରେ ସାମିଲ ହେବା ଏବଂ ସଭାରେ ଉଦ୍ବୋଧନର ଚିତ୍ରକୁ ନେଇ ବିଭିନ୍ନ ଚର୍ଚ୍ଚା ସାମ୍ନାକୁ ଆସିଥିଲା । ଏହି ଦୃଷ୍ଟିରୁ ଓଡିଶା ବିଜେପି ନିର୍ବାଚନୀ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନବୀନଙ୍କ ସ୍ୱାସ୍ଥ୍ୟ ପଛରେ ‘ଚକ୍ରାନ୍ତ’ ଥିବା ଦର୍ଶାଇଥିଲେ । ଓଡିଶାରେ ବିଜେପି ସରକାରକୁ ଆସିଲେ ଏକ କମିଟି ଗଠନ କରି ଅନୁସନ୍ଧାନ କରିବେ ବୋଲି ସେ କହିଥିଲେ । ଯଦିଓ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ସମ୍ମୁଖରେ ନବୀନ ସ୍ପଷ୍ଟ କରିଥିଲେ ଯେ, ସେ ସୁସ୍ଥ ଅଛନ୍ତି । ବିଜେପି ମିଛ ପ୍ରଚାର କରୁଛି । ମିଛ ପ୍ରଚାର ଯାଞ୍ଚ ପାଇଁ କମିଟି ଗଠନ କରାଯାଉ ବୋଲି ନବୀନ କଟାକ୍ଷ କରିଥିଲେ ।

ଏହା ପୂର୍ବରୁ ମଧ୍ୟ ମହାମାରୀ କରୋନା ପରେ ଫେବୃଆରୀ ୨୦୨୨ରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା କଥା ରାଜନୈତିକ ଆଲୋଚନାର ବିଷୟ ହୋଇଥିଲା । ପ୍ରାୟ ସପ୍ତାହେରୁ ଅଧିକ ଦିନ ଧରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା ସମିତି ସରକାରୀ କାର୍ଯ୍ୟକ୍ରମ ଆଦିରେ ପ୍ରତ୍ୟକ୍ଷ ଉପସ୍ଥିତି ନରହିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ୧୮ ଫେବୃଆରୀରେ ଅଚାନକ ଭୁବନେଶ୍ୱର ସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରେ ଗଣମାଧ୍ୟମକୁ ଏ ସମ୍ପର୍କରେ ପ୍ରତିକ୍ରିୟା ଦେବାର ଦେଖିବାକୁ ମିଳିଲା । ନବୀନ ହସି କହିଲେ, ମୋ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କରାଯାଉଛି । ଯେତେବେଳେ ନିର୍ବାଚନ ପାଖେଇ ଆସୁଛି, ଏଭଳି ଗୁଜବ ସୃଷ୍ଟି ହେଉଛି ।

ତେବେ ପ୍ରଥମଥର ପାଇଁ ନିଜ ଅସୁସ୍ଥତା ବିଷୟରେ ଦର୍ଶାଇ ଏଥର ପୁଣି ନବୀନ ଚର୍ଚ୍ଚାକୁ ଆସିଲେ । ନବୀନ ପଟ୍ଟନାୟକ ଜୁନ ୧୮ ତାରଖି ଦିନ ସାମାଜିକ ଗଣମାଧ୍ୟମ "ଏକ୍ସ'ରେ ଟୁଇଟ କରି କହିଛନ୍ତି, ସର୍ଭିକାଲ ଆର୍ଥ୍ରାଇଟିସ ସମସ୍ୟା ନେଇ ମୋର ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଏହି ଚିକିତ୍ସା ହେବ । ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି । ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି । ଏଥିପାଇଁ ଓଡିଶାର ଭାଇ ଭଉଣୀଙ୍କର ଶୁଭକାମନା ଚାହୁଁଛି । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ ସ୍ଥଳୀମାନଙ୍କରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଦଳୀୟ ନେତା ଓ କର୍ମୀ ବ୍ୟାପକ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା ।

ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯିବା ବିଷୟ କେତେକ ସାମାଜିକ ଗଣମାଧ୍ୟମରେ ହୋଇଥିବା ସମାଲୋଚନା ମଧ୍ୟ ସାମ୍ନାକୁ ଆସିଛି । ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଯେଉଁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇଦେଇଥିବା କୁହାଯାଉଥିଲା ତାହାର ବାସ୍ତବତା କଣ? ସାଧାରଣ ଗରିବ ଲୋକ ପାଖରେ ମୁମ୍ବାଇ ଯାଇ ଚିକିତ୍ସିତ ହେବାକୁ ସମ୍ବଳ କାହିଁ?

ଯେକୌଣସି ଜନପ୍ରିୟ ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରାଜନୀତି ଏକ ସମ୍ବେଦନଶୀଳ ଏବଂ ଜଟିଳ ପ୍ରସଙ୍ଗ । ପ୍ରାୟତଃ ଜନପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ସାଧାରଣ ଲୋକଙ୍କ ପାଖରେ ଥାଏ ଏବଂ ଏହି ସୂଚନା ରାଜନୈତିକ ବିତର୍କ ଏବଂ ଆଲୋଚନାର ବିଷୟ ହୋଇଯାଏ । ତେବେ ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜନତା ସ୍ପଷ୍ଟ ହେବା ଉଚିତ ଯେ, ସେମାନଙ୍କର ନେତାମାନେ ସେମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ କ'ଣ କରୁଛନ୍ତି ।

ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଜନସାଧାରଣଙ୍କ ବିଶ୍ୱାସ ଏବଂ ଗଣତନ୍ତ୍ରକୁ ପ୍ରଭାବିତ କରିପାରେ । କେତେକ କ୍ଷେତ୍ରରେ ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଜନସାଧାରଣଙ୍କ କ୍ରୋଧ କିମ୍ବା ସମର୍ଥନ ସୃଷ୍ଟି କରିପାରେ । ଏଭଳି କି ନେତାଙ୍କ ସ୍ୱାସ୍ଥ୍ୟ ସ୍ଥିତି ସେମାନଙ୍କର ରାଜନୈତିକ କ୍ୟାରିୟର ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ପ୍ରଭାବିତ କରିପାରେ । ଯଦିଓ ଅନେକ କ୍ଷେତ୍ରରେ ନେତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ଗୁପ୍ତ ରଖାଯାଏ, ଯାହା ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଅଭାବକୁ ଦର୍ଶାଇଥାଏ ।

ତେବେ କେବଳ ନବୀନ ପଟ୍ଟନାୟକ ନୁହଁନ୍ତି, ଅତୀତରେ ନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୈତିକ ବିବାଦ ବା ଆଲୋଚନା ଅନେକ ସମୟରେ ହୋଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ମୃତ୍ୟୁ (୨୦୧୬)କୁ ନେଇ ବ୍ୟାପକ ରାଜନୈତିକ ବିବାଦ ହୋଇଥିଲା । ତାଙ୍କ ଚିକିତ୍ସା ଓ ମୃତ୍ୟୁର ପରିସ୍ଥିତିକୁ ନେଇ ଏଆଇଏଡିଏମକେ ଓ ବିରୋଧୀ ଦଳମାନଙ୍କ ମଧ୍ୟରେ ଅନେକ ଅଭିଯୋଗ ଓ ପ୍ରତ୍ୟାରୋପ ହୋଇଥିଲା ।

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ, ବିଶେଷ କରି ତାଙ୍କ ଶାସନର ଶେଷ ପର୍ଯ୍ୟାୟରେ ରାଜନୈତିକ ଆଲୋଚନାର ବିଷୟ ହୋଇଥିଲା । ବିରୋଧୀ ଦଳମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାରୀ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ଗତ ବିହାର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା ହୋଇଥିଲା । ବୟସ ଦୃଷ୍ଟିରୁ ନୀତୀଶ ଅବସର ନେଇ ପୁତ୍ର ନିଶାନ୍ତଙ୍କୁ ରାଜନୀତିରେ ଆଗକୁ ଛାଡିବା ଆବଶ୍ୟକ । ଏହା ହେଲେ ଆମେ ସ୍ୱାଗତ ଜଣାଇବୁ ବୋଲି ବିପକ୍ଷ ନେତା ତେଜସ୍ୱୀ ଯାଦବଙ୍କ ବକ୍ତବ୍ୟ ବିହାର ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟସ ଦୃଷ୍ଟିରୁ ଅଧିକ ରାଜନୈତିକ ସକ୍ରିୟତା ନରହିଲେ ମଧ୍ୟ ଉତ୍ତରାଧିକାରୀ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ବର୍ତ୍ତମାନ ନବୀନଙ୍କ ସୁସ୍ଥ ଆଗମନ ଦଳ ପାଇଁ କିଭଳି ସଂଜୀବନୀ ସାବ୍ୟସ୍ତ ହେବ ଓ ଦଳର ପରବର୍ତ୍ତୀ ରଣକୌଶଳ କଣ ହେବ ତାହା ଆଗକୁ ଜଣାପଡିବ ।

ଅଧିକ ପଢ଼ନ୍ତୁ: ଆଜି ବିରୋଧୀ ଦଳ ନେତା ନବୀନଙ୍କ ହେବ ଅସ୍ତ୍ରୋପଚାର; ଆରୋଗ୍ୟ କାମନା କରି ଟୁଇନସିଟିରେ ଦୀପଦାନ

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।

Naveen Patnaik BJD
Advertisment
Advertisment