Advertisment

ଗୋଳିଆ ରାଜନୀତିର ଦ୍ୱନ୍ଦ୍ୱରୁ ଫାଇଦା ନେବାକୁ ଟାର୍ଗେଟ

କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି ।

author-image
Satyendu Shekher Mishra
Odisha Politics

Odisha Politics

ବିଜେପି-ବିଜେଡି ମେଣ୍ଟ ହେବ କି ନହେବ, ତାକୁ ନେଇ ତୁଟୁନି ଦ୍ୱନ୍ଦ୍ୱ ତ ଏଣେ କିନ୍ତୁ ଭାରି ଉତ୍ସାହିତ ରାଜ୍ୟ କଂଗ୍ରେସ ଆକଳନ କରୁଛି, ଆଗାମୀ ନିର୍ବାଚନରେ ମେଣ୍ଟ ହେଲେ, ଛାଏଁ ହାତ ଦଳ ତିନି ନମ୍ବରରୁ ମୁଖ୍ୟ ବିରୋଧୀ ଦଳକୁ ଉଠିଯିବ। ସରକାର ବିରୋଧୀ ଭୋଟ୍ ସିଧା ଜାତୀୟ କଂଗ୍ରେସ ଖାତାକୁ ଚାଲି ଆସିବ। ତାସହ ୨୦୧୯ରେ ଦଳ ଜିତିଥିବା ୯ ବିଧାନସଭା ଆସନରୁ ୨୦୨୪ରେ ସଂଖ୍ୟା ସିଧା ୨୫ରୁ ୩୦ ଆଡକୁ ଲମ୍ଫ ମାରିବ। ତାସହ କଂଗ୍ରେସରୁ ଚାଲିଥିବା ଦଳ ଡିଆଁ ଟ୍ରେଣ୍ଡରେ ବ୍ରେକ୍ ଲାଗିବ ଓ ବିଦ୍ରୋହୀ ବିଜେଡି ନେତା ବି କଂଗ୍ରେସ ମୁହାଁ ହେବେ। 

Advertisment

ତଥ୍ୟ କହୁଛି ୨୦୧୯ ବିଧାନସଭା ନିର୍ବାଚନରେ ରାଜ୍ୟରେ ଶାସକ ବିଜେଡି ବିରୋଧରେ ପଡ଼ିଥିଲା ୪୮ ପ୍ରତିଶତ ଭୋଟ୍। ଯେଉଁଥିରୁ ବିଜେପି ଖାତାକୁ ୩୨ ପ୍ରତିଶତ ଓ କଂଗ୍ରେସ ପାଖକୁ ଆସିଥିଲା ୧୬ ପ୍ରତିଶତ ଭୋଟ୍। କଂଗ୍ରେସ ୯ଟି ବିଧାନସଭା ଜିତିଥିବାବେଳେ ୩୧ ସିଟରେ ଦ୍ୱିତୀୟ ସ୍ଥାନରେ ଓ ୨୦ଟି ଆସନରେ ଦେଇଥିଲା କଡ଼ା ଟକ୍କର । ଏମାତ୍ର ଲୋକସଭା କ୍ଷେତ୍ର ଭାବେ କୋରାପୁଟ ଆସନକୁ ହାତେଇ ସମ୍ମାନ ରଖିଥିଲା, ତା ପୁଣି କାଣ୍ଟେ କା ଟକ୍କରରେ।

ଆଉ ଏବେ ଦଳର ଲକ୍ଷ୍ୟ ସରକାର ବିରୋଧୀ ଭୋଟ୍ ରୁ ଅନ୍ୟୁନ ଆଉ ୧୫ ପ୍ରତିଶତ ଟାଣିବା। ଯଦି ଏଭଳି ହୁଏ, ତାହାଲେ ହାତ ଦଳର ଭୋଟ୍ ହାର ୩୦ ପ୍ରତିଶତକୁ ଛୁଇଁଯିବ। ଏମିତି ହେଲେ ଉଭୟ ବିଧାନସଭା ଓ ଲୋକସଭାରେ ଡବଲ୍ ଜମ୍ପ ମାରିବା ଆଶାରେ ରାଜ୍ୟ କଂଗ୍ରେସ।

Advertisment

ଗତ ମାସ ୨୧ରେ ରାଜଧାନୀରେ ମହିଳା ସମାବେଶ, ୨୪ରେ ରାଜ୍ୟ ଓ କେନ୍ଦ୍ରକୁ ଟାର୍ଗେଟ କରି ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ କରି ନିଜ ଶକ୍ତି ପ୍ରଦର୍ଶନ ମଧ୍ୟ କରିଛି ଦଳ ।

ଏଣେ କଂଗ୍ରେସର ଆଗୁଆ ଆକଳନକୁ ନେଇ ତେରଛା ବାଣ ମାରିଛନ୍ତି ବିଜେପି ଓ ବିଜେଡି। ବିଜେପି କହିଛି ମେଣ୍ଟ ହେଉକି ନହେଉ-କଂଗ୍ରେସ ତୃଣମୂଳସ୍ତରରେ ଲୋକଙ୍କ ସାଥୀରେ ନାହିଁ। ସେମିତି ବିଜେଡିର ଆକ୍ଷେପ, କଂଗ୍ରେସ ଲୋକଙ୍କ ସହ ଆଗରୁ ନଥିଲା କି ଏବେ ବି ନାହିଁ। ରାଜନୀତି ସମୀକ୍ଷକ ବି କହିଲେଣି-ମେଣ୍ଟ ହେଉ କି ନହେଉ, କଂଗ୍ରେସ ପାଇଁ ଭୋଟ୍ ପ୍ରତିଶତ ସେମିତି ଆଖିଦୃଶିଆ ବଢ଼ିବାର ନାହିଁ। ଏବେ ଦେଖିବାର କଥା ୨୪ ନିର୍ବାଚନରେ କେତେ ସଫଳ ହେଉଛି କଂଗ୍ରେସ ?

BJD BJP Congress Odisha Politics General Election 2024
Advertisment
Advertisment