• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପଶି କାଳିମାଡ଼ କଲେ ଅସନ୍ତୁଷ୍ଟ ଗୋଷ୍ଠୀ । ସୂଚନା ଅନୁସାରେ ଆଜି କଂଗ୍ରେସ ଭବନରେ ଚାମ୍ବରରେ ବସିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ସମୟରେ ତାଙ୍କୁ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରିବା ସହ ତାଙ୍କ ବିରୋଧରେ କିଛି ଯୁବକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।

କାଳିମାଡ଼ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ଏହା ତାଙ୍କ ପାଇଁ ନୂଆ ନୁହେଁ । ପୂର୍ବଥର ପିସିସି ସଭାପତି ଥିବା ବେଳେ ଅଣ୍ଡା, ପଥର ମାଡ଼ ହୋଇଥିଲା । ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ କଂଗ୍ରେସ ସାରା ଦେଶରେ ପ୍ରତିବାଦ କରୁଛି । ତାକୁ ପ୍ରତିହତ କରିବାକୁ ଏମିତି କାଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଏହି କାମ ବିଜେପି କିମ୍ବା ଅନ୍ୟ କାହା ଦ୍ବାରା ପ୍ରରୋଚିତ। କଂଗ୍ରେସ ଉତ୍ ଥାନ କରୁଥିବା ଦେଖି କିଛି ଅହଂକାରୀ ଏଭଳି କରୁଥିବେ। କଂଗ୍ରେସକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଶକ୍ତିକୁ ବରଦାସ୍ତ କରିବୁନି ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ଚଳିତ ନିର୍ବାଚନ ବେଳେ କଂଗ୍ରେସର ଟିକଟ୍ ଫେରାଅ ନୀତି ଦେଖିବାକୁ ମିଳିଥିଲା । ଟିକଟ୍ ବଣ୍ଟନରେ ଅନିୟମିତତା ନେଇ ମାଳ ମାଳ ଅଭିଯୋଗ ଆସିବା ସହ ପାର୍ଟି ଫଣ୍ଡିଂକୁ ନେଇ ମଧ୍ୟ ବିବାଦ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଟିକଟ ଫେରାଇଥିଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଇ ମେଲ୍ ଯୋଗେ ଏଆଇସିସିକୁ ଟିକେଟ ଫେରାଇବା ସମ୍ପର୍କରେ ଅବଗତ କରିଥିଲେ । ପୁରୀ ସଂସଦୀୟ କ୍ଷେତ୍ରରେ କଂଗ୍ରେସ୍ ପାଇଁ ଅନୁକୂଳ ସ୍ଥିତି ଥିବା ସତ୍ତ୍ୱେ ପାର୍ଟି ଫଣ୍ଡିଂ ତାଙ୍କୁ ନମିଳିବାରୁ ସେ ପ୍ରଚାର କରିପାରୁନଥିବା ଉଲ୍ଲେଖ କରିଥିଲେ । ଆଠଗଡ଼ ପ୍ରାର୍ଥୀ ମେହବୁବ ଅହମଦ ଖାଁ ବି ଟିକେଟ ଫେରାଇଥିଲେ । ସେହିପରି ଗତ ନିର୍ବାଚନରେ ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ ମଧ୍ୟ କରିଥିଲା କଂଗ୍ରେସ । ଯାହାକୁ ନେଇ କିଛି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ ଚଳିତ ନିର୍ବାଚନ ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ୯ରୁ ୯୦ ନାରା ଦେଇଥିଲେ । କିନ୍ତୁ କଂଗ୍ରେସ ମାତ୍ର ୧୪ ଆସନ ଜିତିବାରେ ସଫଳ ହୋଇଥିଲା । ଏହାପରେ କଂଗ୍ରେସରେ ବିରୋଧ ଦେଖିବାକୁ ମିଳିଥିଲା । ଏପରିକି ଟିକେଟ୍‌ ବଣ୍ଟନକୁ ନେଇ ମଧ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଟିକେଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ନେଇ ସିଧାସଳଖ ଶରତ ପଟ୍ଟନାୟକଙ୍କୁ ଘେରିଥିଲେ କିଛି କଂଗ୍ରେସ କର୍ମୀ ।

ସେପଟେ ଗତ ନିର୍ବାଚନରେ ବିଭିନ୍ନ ରାଜ୍ୟରେ ଦଳର ଖରାପ ପ୍ରଦର୍ଶନର କାରଣ ଖୋଜିବାକୁ ଗଠନ ହୋଇଛି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଓଡ଼ିଶା ପାଇଁ ଦଳର ବରିଷ୍ଠ ନେତା ଅଜୟ ମାକନ ଓ ତାରିକ୍ ଅନୱରଙ୍କୁ ନେଇ ଅନୁସନ୍ଧାନକାରୀ ଟିମ୍ ଗଠନ ହୋଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now