• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଆମେରିକା ରାଜନୀତିରେ ଓଡ଼ିଆ ପୁଅ । ମୟୂରଭଂଜର ମୂଳ ନିବାସୀ ତଥା ରାୟଗଡ଼ା ବାସିନ୍ଦା ସମୟ ସାହୁ ଏବେ ଆମେରିକା ନିର୍ବାଚନରେ ସକ୍ରିୟ ଭୂମିକା ତୁଲାଇଛନ୍ତି । ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ସମୟ । ୨୧ ବର୍ଷୀୟ ସମୟ ଏବେ ଡେମୋକ୍ରାଟିକ ପାର୍ଟିର ଜଣେ ସକ୍ରିୟ ସଦସ୍ୟ ଅଛନ୍ତି ।

ସୂଚନା ଅନୁସାରେ ଏବେ ସମୟ ପରିବାର ସହ ଆମେରିକାରେ ରହୁଛନ୍ତି । ସମୟ ଆମେରିକାର ଡେମୋକ୍ରାଟିକ ପାର୍ଟିର ଜଣେ ସକ୍ରିୟ ସଦସ୍ୟ ହୋଇଥିବାବେଳେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଥିବା କମଳା ହାରିସ ରାଜନୀତିରେ ପ୍ରବେଶ କରିଥିଲେ । ଆମେରିକା ଭଳି ପ୍ରଭାବଶାଳୀ ରାଷ୍ଟ୍ରର ସକ୍ରିୟ ରାଜନୀତିରେ ଓଡ଼ିଆ ପୁଅର ଏଭଳି ଚମକ ଏବେ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ପାଲଟିଛି ।

ସୂଚନା ଅନୁସାରେ ପିଲାଟି ଦିନରୁ ରାଜନୀତି ପ୍ରତି ବେଶ ରୁଚି ରଖିଥିବା ସମୟ ଆଗାମୀ ଦିନରେ ଚାକିରି କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାଜନୀତି ହିଁ ତାଙ୍କର ପସନ୍ଦ ଓ ଏହାକୁ ସେ ଛାଡ଼ିପାରିବେ ନାହିଁ ବୋଲି କହିଛନ୍ତି ତାଙ୍କ ବାପା ମାନସ ସାହୁ। ସମୟଙ୍କ ପିତା ମାନସ ମୟୁରଭଞ୍ଜ ଜିଲାର ମୂଳ ବାସିନ୍ଦା । ମାନସଙ୍କ ପିତା ରାୟଗଡ଼ାରେ ଚାକିରି କରିଥିବା ଯୋଗୁଁ ରାୟଗଡ଼ା ସହ ତାଙ୍କର ପରିଚୟ ବହୁ ପୁରୁଣା । ହେଲେ ମାନସ ଚାକିରି ପାଇବା ପରେ ଆମେରିକା ଚାଲିଯାଇଥିଲେ । ପରିବାର ସହ ସେ ଆମେରିକାର ନ୍ୟୁ ହାମ୍ସସାୟାର ରାଜ୍ୟର ନାସୁଆ ସହରରେ ରୁହନ୍ତି । ଚାକିରି ଛାଡ଼ି ମାନସ ଏବେ ହୋଟେଲ ବ୍ୟବସାୟୀ ଭାବେ ବେଶ ପରିଚିତ । ତାଙ୍କ ପତ୍ନୀ ଆୟଲିନ ବନିକ୍‌ ଓ ଏକମାତ୍ର ପୁଅ ସମୟଙ୍କୁ ନେଇ ତାଙ୍କର ପରିବାର ।

ସୂଚନା ଅନୁସାରେ ସମୟଙ୍କ ଜନ୍ମ ଆମେରିକାରେ । ୨୦୦୪ ମସିହା ଏପ୍ରିଲ ୧୯ତାରିଖରେ ଜନ୍ମିତ ସମୟ ଆମେରିକାର ନାଗରିକତ୍ବ ଗ୍ରହଣ କରିଛନ୍ତି । ସମୟଙ୍କୁ ଯେତେବେଳେ ଚାରିବର୍ଷ ବୟସ ଅର୍ଥାତ୍ ଯେତେବେଳେ ସେ କଥାବାର୍ତ୍ତା କରି ଶିଖିଲେ ସେହି ସମୟରୁ ହିଁ ଆମେରିକା ରାଜନୀତି ଉପରେ ତାଙ୍କର ବେଶ ରୁଚି ଦେଖିବାକୁ ପାଇଥିଲେ ମାନସ ।

୨୦୦୮ରେ ଡେମୋକ୍ରାଟିକ ଦଳର ବାରାକ୍‌ ଓବାମାଙ୍କ ରାଷ୍ଟ୍ରପତିତ୍ବ ନିର୍ବାଚନ ଚାଲିଥାଏ । କୁନି ବୟସରେ ମଧ୍ୟ ସେ ବାରାକ୍‌ ଓବାମାଙ୍କ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ଓ ଡେମୋକାଟ୍ରିକ ଦଳ ବିଷୟରେ ଜାଣିବା ପାଇଁ ବିଶେଷ ଆଗ୍ରହ ଦେଖାଉଥିଲେ । ଛାତ୍ର ଜୀବନରେ ପାଠପଢ଼ା ସହ ରାଜନୀତିରେ ଅଧିକ ସମୟ ବିତାଉଥିଲେ ସମୟ । ତାଙ୍କୁ ପିତା,ମାତା ବାରଣ କରୁଥିଲେ ମଧ୍ୟ ରାଜନୀତିରେ ତାଙ୍କର ଅହେତୁକ ଆଗ୍ରହ ଦେଖି ତାଙ୍କୁ ରୋକିପାରି ନ ଥିଲେ ପରିବାର ଲୋକ । ୨୦୧୨ ମସିହାରେ ନିର୍ବାଚନ ପୂର୍ବବର୍ତ୍ତୀ ରାଲିରେ ଡେମୋକ୍ରାଟିକ ଦଳର ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ । ୧୨ବର୍ଷ ବୟସରେ ରାଜନୀତିରେ ତାଙ୍କର ଏଭଳି ରୁଚି ଦେଖି ଡେମୋକ୍ରାଟିକ ଦଳର ନେତା ମଧ୍ୟ ସମୟଙ୍କୁ ବେଶ ପ୍ରଶଂସା କରିଥିଲେ । ୨୦୨୦ ମସିହାରେ ସକ୍ରିୟ ରାଜନୀତିରେ ପ୍ରବେଶ କଲେ ସମୟ । ହାଇସ୍କୁଲରେ ଭାଇସ ଚେୟାରମ୍ୟାନ ହେବାର ଗୌରବ ଅର୍ଜନ କରିଥିଲେ ।

ଏହାଛଡ଼ା ଡେମାକ୍ରାଟିକ ଦଳର ପ୍ରାର୍ଥୀ ଭାବେ ସେ ରିପବ୍ଲିକ ପାର୍ଟି ପ୍ରାର୍ଥୀଙ୍କୁ ପରାସ୍ତ କରି ଚର୍ଚ୍ଚା ସାଉଁଟିଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ସମୟ ଗତବର୍ଷ କଲେଜ ଜୀବନ ଆରମ୍ଭ କରିଛନ୍ତି । ୨୦୨୨/୨୩ରେ ସେ ଡେମୋକାଟ୍ରିକ ପାର୍ଟିର ଏକ ଗୁରୁ ଦାୟିତ୍ବ ପାଇଥିଲେ, ହାଇସ୍କୁଲ ଡେମୋକ୍ରାଟ ଅଫ ‌ଆମେରିକାର ସେ ନ୍ୟାସନାଲ ଚେୟାରମ୍ୟାନ ଭାବେ ମନୋନୀତ ହୋଇଥିଲେ, ଆମ ଦେଶର ବିଭିନ୍ନ ଜାତୀୟ ଦଳର ଏକ ଗୁରୁତ୍ବପୂର୍ଣ୍ଣ ପଦ ଭଳି ସମୟଙ୍କୁ ଏଭଳି ଗୁରୁ ଦାୟିତ୍ୱ ଅର୍ପଣ କରାଗଲା । ସମୟ ଡେମୋକ୍ରାଟିକ ଦଳର ସର୍ବକନିଷ୍ଠ ସଦସ୍ୟ ଭାବେ ଏଭଳି ଗୁରୁ ଦାୟିତ୍ବ ପାଇଥିଲେ, ସକ୍ରିୟ ରାଜନୀତିରେ କଲେଜ ପଢ଼ୁଆ ସମୟଙ୍କ ଏଭଳି ଯୋଗଦାନ ତାଙ୍କ ସମସାମୟିକ ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଥିଲା ।

ଆମେରିକାର ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ ସମୟଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଶଂସା କରିବା ସହ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଛନ୍ତି । କମଳାଙ୍କ ମୁହଁରୁ ପ୍ରଶଂସା ପାଇବା ପରେ ବେଶ ଉତ୍ସାହିତ ସମୟ । ଡେମୋକ୍ରାଟିକ ଦଳର ନେତାଙ୍କ ପାଇଁ ଭାଷଣ ଦେବା ହେଉ କିମ୍ବା ରାଲିରେ ସମ୍ବୋଧନ ଦେଇ ବେଶ ଚର୍ଚ୍ଚିତ ସମୟ । ଆମେରିକା ରାଜନୀତିରେ ଡେମୋକ୍ରାଟିକ ଦଳର ବେଶ ଦବଦବା ରହିଥିବାବେଳେ ଉକ୍ତ ଦଳର ସକ୍ରିୟ ରାଜନୀତିରେ ସମୟଙ୍କ ଭଳି ଯୁବ ପ୍ରତିନିଧିତ୍ୱ ଓଡ଼ିଆ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

  • Reported by:
  • T GOURISHANKAR

OTV is now on Whatsapp

Join and get latest news update delivered to you via whatsapp

Join Now