Samir Dey Political Struggle: ସମୀର ଦେ’ଙ୍କ ସଂଘର୍ଷମୟ କାହାଣୀ, ଜିରୋରୁ ହୋଇଥିଲେ ହିରୋ

କାହିଁକି ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜନୀତିରେ ଚଢି ଚାଲିଥିଲେ ସଫଳତାର ଶିଡି । ବିରୋଧୀଙ୍କୁ କେମିତି ଦେଉଥିଲେ ମାତ୍ । ଏଇ ବିଶେଷ ଗୁଣ ପାଇଁ ସେ ହୋଇଯାଇଥିଲେ ଅଜାତଶତ୍ରୁ ।

ସମୀର ଦେ'ଙ୍କ ସଂଘର୍ଷମୟ କାହାଣୀ

ପୂର୍ବତନ ମନ୍ତ୍ରୀ ସମୀର ଦେ ଥିଲେ ରାଜନୀତିରେ ଅଜାତଶତ୍ରୁ । କଟକ ସହର ଥିଲା ତାଙ୍କର କର୍ମଭୂମି । ସଂଘର୍ଷ କରି ସେ ନିଜ ଗୋଡରେ ଛିଡା ହୋଇଥିଲେ । ରାଜନୀତିରେ ପ୍ରତିଷ୍ଠା ଲାଭ କରିଥିଲେ । କିନ୍ତୁ ରାଜନୀତି କ୍ଷେତ୍ରରେ କାହା ସହ ତାଙ୍କର ବ୍ୟକ୍ତିଗତ ଶତ୍ରୁତା ନଥିଲା । ସେ କଟକ ସହରର ମାଟି, ଗୋଡି, ପାଣିପବନ ସହ ଯୋଡି ହୋଇଯାଇଥିଲେ । ତାଙ୍କର ଏହି ପ୍ରତିଷ୍ଠା ପଛରେ ରହିଛି ଅନେକ ସଂଘର୍ଷ । ଏହା କୌଣସି କାହାଣୀଠାରୁ କମ୍ ନୁହେଁ ।

ସମୀର ଦେଙ୍କ ପୈତୃକ ଗ୍ରାମ ହେଉଛି ଜଗତସିଂହପୁର ଜିଲ୍ଲାର ପୁନଙ୍ଗ । ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ତାଙ୍କ ବାପା କଟକ ଏସସିବି ମେଡିକାଲରେ ଚାକିରି କରୁଥିଲେ । ତେଣୁ ତାଙ୍କର ସ୍କୁଲ ପାଠପଢା ମଧ୍ୟ କଟକ ସହରରେ ହୋଇଛି । ତାଙ୍କୁ ପିଲାବେଳୁ ଜାଣିଥିବା ତାଙ୍କ ବନ୍ଧୁମାନେ କୁହନ୍ତି, ଛାତ୍ର ଥିବା ବେଳେ ସେ ସାଙ୍ଗମାନଙ୍କୁ ନେଇ ଗଣେଶ ପୂଜା ଓ ସରସ୍ୱତୀ ପୂଜା କରିବାରେ ନେତୃତ୍ୱ ନେଉଥିଲେ । କଟକ ଖ୍ରୀଷ୍ଟ କଲେଜରେ ପଢିଲା ବେଳେ ସେ ଜଣେ ଛାତ୍ରନେତା ହୋଇଯାଇଥିଲେ । ଖ୍ରୀଷ୍ଟ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେଇଠି ପଡିଥିଲା ତାଙ୍କ ରାଜନୈତିକ କ୍ୟାରିଅରର ମୂଳଦୁଆ । ତା ପରେ ସେ କଟକ ସହରର ରାଜନୀତି ସହ ଜଡିତ ହୋଇଥିଲେ । ୧୯୮୫ ମସିହା ବିଧାନସଭା ନିର୍ବାଚନରେ ହିଁ ପୂର୍ବତନ ମନ୍ତ୍ରୀ ମୁସ୍ତାଫିଜ୍ ଅହମ୍ମଦଙ୍କ ସହ ତାଙ୍କର ସଂପର୍କ ବଢିଥିଲା । ସେ ତାଙ୍କର ଅତି ନିକଟତର ହୋଇଯାଇଥିଲେ । ଏବିଭିପିର ଜଣେ କାର୍ଯ୍ୟକର୍ତ୍ତା ଥିଲେ ସମୀର ଦେ । ପରେ ପରେ ମୁସ୍ତାଫିଜ୍ ଅହମ୍ମଦଙ୍କ ସହ ତାଙ୍କର ଆଦର୍ଶଗତ ମତ ପାର୍ଥକ୍ୟ ହୋଇଥିଲା । କିନ୍ତୁ ବ୍ୟକ୍ତିଗତ ସଂପର୍କ କେବେ ଖରାପ ହୋଇନଥିଲା ।

ଅଧିକ ପଢ଼ନ୍ତୁ: Samir Dey Passes Away: ଚାଲିଗଲେ ସମୀର ଦେ, ଛାଡ଼ି ଦେଇଗଲେ ଅନେକ ସ୍ମୃତି

୧୯୯୦ରେ ହାରିଲେ ୧୯୯୫ରେ ଜିତିଲେ

୧୯୯୦ରେ ସେ ପ୍ରଥମ ଥର କଟକରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଯାଇଥିଲେ । ମୁସ୍ତାଫିଜ୍ ଅହମ୍ମଦ ନିର୍ବାଚନ ଜିତି ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ୧୯୯୫ ମସିହାରେ ବିଜେପି ଟିକେଟରେ ସେ ସମ୍ମାନଜନକ କଟକ ବିଧାନସଭା ଆସନରୁ ଜନତା ଦଳ ପ୍ରାର୍ଥୀ ମୁସ୍ତାଫିଜ୍ ଅହମ୍ମଦଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ସେ ମୁସ୍ତାଫିଜ୍ ଅହମ୍ମଦଙ୍କୁ ବିଭିନ୍ନ ସଭାସମିତିରେ ନିଜର ରାଜନୈତିକ ଗୁରୁ ବୋଲି ସମ୍ୱୋଧନ କରିବାରେ କେବେ କୁଣ୍ଠାବୋଧ କରୁନଥିଲେ । ତାଙ୍କୁ ଯଥେଷ୍ଟ ସମ୍ମାନ କରୁଥିଲେ । ୧୯୯୫ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଆଶୀର୍ବାଦ ବେହେରା । ନିର୍ବାଚନରେ ଜିତିବା ପରେ ସମୀର ଦେ ପରାସ୍ତ ହୋଇଥିବା ଦୁଇ ପ୍ରାର୍ଥୀଙ୍କ ସହ ଭଲ ସଂପର୍କ ରଖିଥିଲେ । ଯାହାକି ରାଜନୀତିରେ ସାଧାରଣତଃ ଦେଖିବାକୁ ମିଳେନାହିଁ । ପରବର୍ତ୍ତୀ ସମୟରେ ନିଜର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଶୀର୍ବାଦ ବେହେରାଙ୍କର ମଧ୍ୟ ସେ ଅତି ନିକଟତର ହୋଇପାରିଥିଲେ ।

ଆଶୀର୍ବାଦ ବେହେରା ଓଡିଶା ଅଲିମ୍ପିକ ଆସୋସିଏସନର ସଂପାଦକ ଥିଲା ବେଳେ ସମୀର ଦେ ହୋଇଥିଲେ ଅଲିମ୍ପିକ ଆସୋସିଏସନର ସଭାପତି । କେବଳ ଅଲମ୍ପିକ ଆସୋସିଏସନ୍ ନୁହେଁ ଓଡିଶା ଫୁଟବଲ୍ ଆସୋସିଏସନ୍ ଓ ଓଡିଶା ଜିମ୍ନାଷ୍ଟିକ୍ସ ଆସୋସିଏସନର ମଧ୍ୟ ସେ ସଭାପତି ଥିଲେ । ମୋଟାମୋଟି ଭାବେ କହିବାକୁ ଗଲେ ଆଶୀର୍ବାଦ ବେହେରାଙ୍କ ସହ ତାଙ୍କର କେମେଷ୍ଟ୍ରି ଭଲ ଥିଲା । ଏପରିକି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ମହମ୍ମଦ ମୋକିମଙ୍କ ସହ ତାଙ୍କର ବନ୍ଧୁତା ଥିଲା । ତାଙ୍କର ରାଜନୈତିକ ପ୍ରତିପକ୍ଷଙ୍କୁ ସେ କେବେ ଶତ୍ରୁ ବୋଲି ଭାବୁନଥିଲେ । ଏପରିକି କଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ସୁରେଶ ମହାପାତ୍ରଙ୍କ ସହ ସେ ବାରମ୍ୱାର ନିର୍ବାଚନ ଲଢୁଥିଲେ ବି ତାଙ୍କ ସହ ବ୍ୟକ୍ତିଗତ ଭାବେ ଭଲ ସଂପର୍କ ରଖୁଥିଲେ । କିନ୍ତୁ ଦଳର ଆଦର୍ଶକୁ ନେଇ ଆଗକୁ ବଢୁଥିଲେ ।

କଟକ ଭାଇଚାରାକୁ ଦେଉଥିଲେ ଗୁରୁତ୍ୱ 

ସେ କଟକର ଭାଇଚାରାରେ ବିଶ୍ୱାସ କରୁଥିଲେ । ତେଣୁ ବିଭିନ୍ନ ସଂଗଠନ ସହ ଓତଃପ୍ରୋତଃ ଭାବେ ଜଡିତ ହୋଇଯାଇଥିଲେ । ଦଶହରାକୁ ସୁରୁଖୁରରେ କରିବା ପାଇଁ ସେ ସାହି ମୁରବୀମାନଙ୍କୁ ଡାକି ଆଲୋଚନା କରୁଥିଲେ । ସେତେବେଳେ ସେ କୌଣସି ରାଜନୈତିକ ଦଳ କଥା ଦେଖୁନଥିଲେ । ଦଶହରା ବେଳେ ସେ ନିଜକୁ କଟକ ସହରର ଜଣେ ମୁରବୀ ତଥା ସର୍ବଦଳୀୟ ନେତା ଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଥିଲେ । ତା’ ନହୋଇଥିଲେ ସେ କଟକ ସହରରେ ବିଧାନସଭା ନିର୍ବାଚନରେ ହାଟ୍ରିକ ମାରି ପାରିନଥାନ୍ତେ ବୋଲି କହନ୍ତି କଟକର ଅନେକ ସାହି ମୁରବୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ୍ ମିତ୍ରଙ୍କ ପରେ ସେ ହେଉଛନ୍ତି କଟକର ଦ୍ୱିତୀୟ ନେତା ଯିଏ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ସମୀର ଦେ ଓକିଲାତି କରୁଥିଲେ ଓ ବିଭିନ୍ନ କର୍ମଚାରୀ ସଂଘର ନେତା ହୋଇଥିଲେ । ୨୦୦୯ ନିର୍ବାଚନରେ ପରାସ୍ତ ହେବା ପରେ ସେ ବିଭିନ୍ନ ସଂଗଠନ ସହ ଅଧିକ ଯୋଡି ହୋଇଯାଇଥିଲେ । କଟକ ନିମସାହି ପୂଜା କମିଟିର ସଭାପତି ଥିଲେ ସମୀର ଦେ । ନିଜ ଗୋଡରେ ନିଜେ ଛିଡା ହୋଇଥିବା ଜଣେ ରାଜନେତା ଥିଲେ ସମୀର ଦେ । ସମୀର ଦେଙ୍କ ବିୟୋଗରେ କଟକ ସହର ତାର ଜଣେ ମୁରବୀଙ୍କୁ ହରାଇଲା ବୋଲି କହିଛନ୍ତି ମହାନଗର ଶାନ୍ତି କମିଟିର ସାଧାରଣ ସଂପାଦକ ଭିକାରୀ ଦାସ । କଟକ ସହରରେ ସେ ଦାଦା ଭାବରେ ବେଶ୍ ପରିଚିତ ଥିଲେ ।

ଅଧିକ ପଢ଼ନ୍ତୁ: ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?