Advertisment

BJD vs BJP: ନେତା ଭୁଲିଗଲେ ଶାଳୀନତା, ଜଣେ ବିଜେଡି ନେତ୍ରୀ... ଆଉ ଜଣେ ଶାସକ ଦଳ ବିଧାୟକ

ଜଣେ ବିଜେଡି ନେତ୍ରୀ... ଆଉ ଜଣେ ଶାସକ ଦଳ ବିଧାୟକ । ଓଃ... କି ଭାଷା, କି ଭଦ୍ରାମୀ, କି ଶାଳୀନତା ! ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ତୁତୁ ମେମେ, ଭାଷା ଅଭାଷାର ବନ୍ଧବାଡ଼ ଭାଙ୍ଗିବା ପରେ, ଏହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା ।

author-image
Namita Biswal
BJD vs BJP

BJD vs BJP

ବୋଲ ମାନୁନି ନେତାଙ୍କ ତୁଣ୍ଡ । ଭାଷାଜ୍ଞାନ ଓ ଶାଳୀନତା ଯେମିତି ଚୁଲିକୁ ଯାଇଛି । ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ମଧ୍ୟରେ ତୁତୁ ମେମେ, ଭାଷା ଅଭାଷାର ବନ୍ଧବାଡ଼ ଭାଙ୍ଗିବା ପରେ, ଏହାକୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଲେଖାଶ୍ରୀ ଚୋର, ଡକାୟତ ଆଦି ଶବ୍ଦ ପ୍ରୟୋଗ କରି ନୀଳଗିରି ବିଧାୟକଙ୍କୁ କଟୁ ଆକ୍ଷେପ କରିବା ପରେ, ସନ୍ତୋଷ ଗଣମାଧ୍ୟମ ଆଗରେ ଯାହା କହିଛନ୍ତି ତାହା ଯେତିକି ଅରୁଚିକର, ଅଶୋଭନୀୟ, ସେତିକି ଆପତ୍ତିଜନକ।

Advertisment

ଜଣେ ବିଜେଡି ନେତ୍ରୀ... ଆଉ ଜଣେ ଶାସକ ଦଳ ବିଧାୟକ । ଓଃ... କି ଭାଷା, କି ଭଦ୍ରାମୀ, କି ଶାଳୀନତା ! । ଏମାନେ ପୁଣି ନେତା, ନେତ୍ରୀ... ଜନତାଙ୍କର କୁଆଡ଼େ ପ୍ରତିନିଧି । ରାଜନୀତିରେ ତୁତୁ ମେମେ ସାଧାରଣ କଥା । ହେଲେ ଆରୋପ-ପ୍ରତ୍ୟାରୋପର ସୀମା ଟପି, ଏତେ ତଳ ସ୍ତରକୁ ଓହ୍ଲାଇ ପରସ୍ପର ପ୍ରତି ଏଭଳି କଟୁ ଭାଷା ପ୍ରୟୋଗ କରିବା ନିହାତି ଲଜ୍ଜାଜନକ । 

ଗତକାଲି ଶଙ୍ଖଭବନରେ ପ୍ରେସମିଟ୍ କରିଥିଲେ ଲେଖାଶ୍ରୀ । ଜୁନ୍ ୧୫ରେ ନୀଳଗିରି ବ୍ଲକ୍ ତେଲିପଡ଼ାରେ ଏକ ଦନ୍ତାହାତୀ ଶିକାର ଓ ଦାନ୍ତ ଲୁଟ୍ ଅଭିଯୋଗରେ ୫ ଜଣ ଗିରଫ ହୋଇଥିବା ବେଳେ, ଏଥିରେ ନୀଳଗିରି ବିଧାୟକ ସନ୍ତୋଷଙ୍କ ସିଧାସଳଖ ସଂପୃକ୍ତି ଅଭିଯୋଗ କରିଥିଲେ ଲେଖାଶ୍ରୀ । ଶାସକ ଦଳର ବିଧାୟକ ବୋଲି ତାଙ୍କ ବିରୋଧରେ ଆକ୍ସନ ହେଉନଥିବା ଅଭିଯୋଗ କରିଥିଲେ । ହେଲେ ଏତିକିରେ ଥମି ନଥିଲେ ଲେଖାଶ୍ରୀ। ଜମି ଜବରଦଖଲ ଆଦି ଅଭିଯୋଗ ଆଣି, ବିଧାୟକଙ୍କର ଛୋଟ ଚୋରରୁ ବଡ଼ ଚୋର ବନିବା ଇତିହାସ ଅଛି ବୋଲି କହିଥିଲେ। 

Advertisment

ଅନ୍ୟପଟେ ସନ୍ତୋଷ ଖଟୁଆ ତ ଏନେଇ ଖାଲି ପ୍ରତିକ୍ରିୟା ଦେଲେନି ବରଂ ଜଣେ ବିଧାୟକର ମର୍ଯ୍ୟାଦା, ସଂଯମତା ଓ ସମ୍ବେଦନଶୀଳତାକୁ ଭୁଲି, ଅଶାଳୀନତାର ଯେମିତି ସବୁ ସୀମା ଟପିଗଲେ । 

ବିଧାୟକଙ୍କ ଏଭଳି ଅଭାଷା ସମ୍ବଳିତ ଭିଡିଓ ବାଇଟକୁ ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ସହ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି ଲେଖାଶ୍ରୀ । ସନ୍ତୋଷଙ୍କୁ ମହିଳା ବିରୋଧୀ ବୋଲି ଦର୍ଶାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି । ଏପଟେ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ୍ କରିବା ସହ, ସନ୍ତୋଷ ଖଟୁଆଙ୍କୁ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବାକୁ କୁହନ୍ତୁ ବୋଲି ଦାବି କରିଛନ୍ତି।

ଅନ୍ୟପକ୍ଷରେ ସନ୍ତୋଷ ଜବାବ ରଖିଛନ୍ତି, ଲେଖାଶ୍ରୀ ପ୍ରଥମେ ଓଡ଼ିଶାର ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦ ପ୍ରୟୋଗ କରିଛନ୍ତି ଏବଂ ନିଜ କଥାକୁ ନିଜେ ହଜମ କରୁଛନ୍ତି । ଏଥିସହ କହିଛନ୍ତି, ସେ ଯଦି ଜଣେ ବିଧାୟକଙ୍କୁ ପକେଟମାର୍ ଓ ଡକାୟତ ବୋଲି କହିବେ, ତାହେଲେ ଯେସା କୁ ତେସା । ସେପଟେ ରାଜନୀତି ଏବେ ନୀଚ୍ଚ ସ୍ତରକୁ ଚାଲିଗଲା ଭଳି ଲାଗୁଛି ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।

ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ସରଗରମ ଅଛି ରାଜ୍ୟ ରାଜନୀତି । ତେବେ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିବା ଏ ନୂଆ ହଟ୍ ଟପିକ୍ ଆଗକୁ କେଉଁ ମୋଡ଼ ନେଉଛି, ଏବେ ତାକୁ ହିଁ ଅପେକ୍ଷା ।

BJP BJD Odisha Politics Lekhashree Samantsinghar
Advertisment
Related Articles
Advertisment