Advertisment

OAS Strike: ୩ ଦିନ ବିତିଲା, ଜିଦିରୁ ଓହରୁ ନାହାନ୍ତି OAS ସଂଘ

ବିଏମସି ଅତିରିକ୍ତ କମିଶନରଙ୍କ ପୂର୍ବରୁ ବି ଅନେକ ଅଧିକାରୀଙ୍କୁ ମାଡ଼ ହୋଇଛି, ଆକ୍ରମଣ ମଧ୍ୟ ହୋଇଛି । କିନ୍ତୁ ସେତେବେଳେ OAS ସଂଘ ଏମିତି କାମ ବନ୍ଦ କରିନଥିଲେ କି ଅଭିଯୁକ୍ତକୁ ଗିରଫ କରିବାକୁ ଜିଦ୍ ଧରି ବସୁନଥିଲେ । OAS ସଂଘର ଏମିତି ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ରିଆକ୍ସନ ଦେଖିବାକୁ ମିଳିଥିବା ବେଳେ ଖୋଦ୍ ରାଜସ୍ୱ ମନ୍ତ୍ରୀ ବି ପ୍ରଶ୍ନ ଉଠାଇଛନ୍ତି ।

author-image
Namita Biswal
OAS stand firm in strike

OAS stand firm in strike

ତିନି ଦିନ ହେଇଗଲା, ବିଏମସି ଅତିରିକ୍ତ କମିଶନର ରତ୍ନାକରଣ ସାହୁଙ୍କୁ ମାଡ଼ ଘଟଣାରେ ଜିଦିରୁ ଓହରୁ ନାହାନ୍ତି ଓଏସ୍ ସଂଘ । ଯାହାକୁ ନେଇ ତେଜିଛି ରାଜନୀତି । ରତ୍ନାକର ସାହୁଙ୍କ ପୂର୍ବରୁ ବି ଅନେକ ଅଧିକାରୀଙ୍କୁ ମାଡ଼ ହୋଇଛି, ଆକ୍ରମଣ ମଧ୍ୟ ହୋଇଛି । କିନ୍ତୁ ସେତେବେଳେ OAS ସଂଘ ଏମିତି କାମ ବନ୍ଦ କରିନଥିଲେ କି ଅଭିଯୁକ୍ତକୁ ଗିରଫ କରିବାକୁ ଜିଦ୍ ଧରି ବସୁନଥିଲେ । OAS ସଂଘର ଏମିତି ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ରିଆକ୍ସନ ଦେଖିବାକୁ ମିଳିଥିବା ବେଳେ ଖୋଦ୍ ରାଜସ୍ୱ ମନ୍ତ୍ରୀ ବି ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ବିଜେପି ସାଂସଦ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି ଆନ୍ଦୋଳନ ପଛରେ ବିଜେଡି। ସେପଟେ ଅନେକ ସ୍ଥାନରେ ବହୁ OAS ଅଧିକାରୀ ସଂଘ କଥା ନମାନି ଆଜି କାମରେ ଯୋଗ ଦେଇଛନ୍ତି ।

Advertisment

ଜୁନ ୨୦୨୫ରେ କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ମେ ୨୦୨୩ । ପରଜଙ୍ଗ ତହସିଲଦାରଙ୍କୁ ବି ବାଲି ମାଫିଆଙ୍କ ମାଡ଼ । ଫେବ୍ରୁଆରୀ ୨୦୨୩ । ବାଲେଶ୍ୱର ଉପଜିଲ୍ଲାପାଳ IAS ଅଧିକାରୀ କୁନାଲ ମୋତିରାମଙ୍କୁ ଆଟାକ୍ । ସେହି ମାସରେ ଡେରାବିଶ ତହସିଲଦାରଙ୍କୁ ଆକ୍ରମଣ । କିନ୍ତୁ ସେତେବେଳେ କୌଣସି ଘଟଣାରେ ବି ସାମ୍ନାକୁ ଆସି ନଥିଲା ଓଏଏସ୍ ସଂଘ । କରି ନଥିଲା କାର୍ଯ୍ୟବନ୍ଦ କିମ୍ବା ମାଗିନଥିଲେ ଫିଲ୍ଡରେ ସୁରକ୍ଷା । କିନ୍ତୁ ବିଏମସି ଅତିରିକ୍ତ କମିଶନରଙ୍କ କ୍ଷେତ୍ରରେ କାହିଁକି ଏତେ ଜିଦ୍ ? ଖୋଦ୍ ରାଜସ୍ୱ ମନ୍ତ୍ରୀ ବି ଉଠାଇଛନ୍ତି ଏହି ପ୍ରଶ୍ନ । 

ଅଧିକ ପଢ଼ନ୍ତୁ: ଗଞ୍ଜେଇ ସିଜ୍‌, କିନ୍ତୁ ମାଫିଆ ଫେରାର୍‌...ବଦନାମ୍ ପୋଲିସ

ମନ୍ତ୍ରୀ କହିଛନ୍ତି, କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆ ମାଡ ମାରିବା ବେଳେ କେହି ସାମ୍ନାକୁ ଆସିନଥିଲେ। ମୁଁ ନିଜେ ସାମ୍ନାକୁ ଆସି ଅଭିଯୁକ୍ତଙ୍କୁ ଶାସ୍ତି ଦେଇଥିଲି। ଏ ଘଟଣାରେ ବି ସରକାରଙ୍କ ଉପରେ ଅଧିକାରୀମାନେ ଭରସା ରଖନ୍ତୁ । ଆଇନଗତ ପ୍ରମାଣ ମିଳିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ରାଜ୍ୟରେ ବନ୍ୟା ସ୍ଥିତି ସହ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅଧିକାରୀଙ୍କ ଆନ୍ଦୋଳନ ଠିକ୍ ନୁହେଁ। ଖାଲି ମନ୍ତ୍ରୀ ନୁହଁନ୍ତି, ଓଏଏସ ସଂଘର ଏମିତି ନୀତିକୁ ନେଇ ସୋସିଆଲ୍ ମିଡିଆରେ ମଧ୍ୟ ବଡ ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି ।

Advertisment

ଅଧିକାରୀଙ୍କୁ ମାଡ଼ମରା ଅନ୍ୟ ଘଟଣାରେ ସଂଘ ନରମ ଥିବାବେଳେ ଏହି ଘଟଣାରେ ଏତେ ଗରମ କାହିଁକି ? ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଣିଛନ୍ତି ସାଂଘାତିକ ଅଭିଯୋଗ । କୁହାଯାଉଛି ଓଏଏସଙ୍କ ଆନ୍ଦୋଳନ ପଛରେ ରହିଛି ରାଜନୀତି । ବିଜେଡି ପ୍ରରୋଚନାରେ ଚାଲିଛି ଆନ୍ଦୋଳନ । କିଛି ପୁରୁଣା ଅଧିକାରୀ, ଯେଉଁମାନେ ବିଜେଡି ସରକାରରେ ପାୱାରଫୁଲ ଥିଲେ ସେମାନେ ଏବେ ବି ସଂଘ ଜରିଆରେ ଆନ୍ଦୋଳନକୁ ତେଜୁଛନ୍ତି । ଆଉ ଦୀର୍ଘ ଦିନ ଧରି ବିଜେଡିରେ କାମ କରୁଥିବା କନିସ୍କ ବୋଧିସତ୍ତ୍ୱ ଦାସ ଏବେ ORS ସଂଘର ରାଜ୍ୟ ସଭାପତି । ପ୍ରଶ୍ନ ଉଠୁଛି ସରକାରୀ ଅଧିକାରୀଙ୍କୁ ନେଇ ଏକ ସଂଘର ସଭାପତି କେମିତି ହେଲେ ଜଣେ ରାଜନୈତିକ ବ୍ୟକ୍ତି ?  

ଏସବୁ ଭିତରେ ଆଜି ଲୋକସେବା ଭବନ ଓ ଖାରବେଳ ଭବନରେ ଥିବା ବିଭିନ୍ନ ବିଭାଗରେ ବହୁ ଓଏଏସ୍ ଅଧିକାରୀ, ଏପରିକି ଜିଲ୍ଲାସ୍ତରରେ ମଧ୍ୟ କେତେକ ଅଫିସର ସଂଘ କଥାକୁ ନମାନି କାମରେ ଯୋଗ ଦେଇଛନ୍ତି । 

Bhubaneswar OAS
Advertisment
Advertisment