• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭୁବନେଶ୍ୱର ପଦ୍ମକେଶରୀପୁରରେ କେବେ ଫେରିବ ଶାନ୍ତି ? କେବେ ସ୍ୱାଭାବିକ ହେବ ଜୀବନ ଯାତ୍ରା ? ହିଂସା ଏବଂ ୧୫୦ରୁ ଅଧିକ ପୁରୁଷ ଓ ମହିଳାଙ୍କ ଗିରଫଦାରୀ ପରଠୁ ଭୟରେ ଥରୁଛନ୍ତି ଗାଁରେ ଥିବା ପିଲାଠୁ ମହିଳା । ଆଜିକୁ ୩ ମାସ ହୋଇଗଲା, ପୋଲିସ ଦେଖିଲେ ସମସ୍ତଙ୍କ ଛାତିରେ ଛନକା ପଶୁଛି । ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଉ ଅପରାଜିତାଙ୍କ ଏହି ଚିଠି ପରେ ଗାଁରେ ପୋଲିସ ପହଞ୍ଚି ନିର୍ଭୟ ରହିବାକୁ ପ୍ରତିଶ୍ରୁତି ଦେଇଛି ।

ଭୁବନେଶ୍ୱର ଉପକଣ୍ଠ ପଦ୍ମକେଶରୀପୁରରେ ସଂଘଟିତ ଗୋଷ୍ଠୀ ସଂଘର୍ଷର ରୂପ ଯିଏ ଦେଖିଛି, ସିଏ ଆଜି ବି ଥରୁଛି । ଗିରଫଦାରୀ ପରଠୁ ଏକପ୍ରକାର ଜନଶୂନ୍ୟ ହୋଇଯାଇଥିବା ଗାଁରେ ପୋଲିସର ପାଦ ପଡ଼ିଲେ ଛାତି ଥରୁଛି... କାଳେ ପୁଣି ପୋଲିସ ଉଠାଇ ନେଇ ଜେଲରେ ପୂରାଇଦେବ, ସେହି ଭୟ ଘାରୁଛି ଗାଁରେ ଥିବା ବୟସ୍କା ମହିଳା, ବୃଦ୍ଧ, ବୃଦ୍ଧା ଓ ଛୋଟ ପିଲାଙ୍କୁ । କାରଣ ଆଜିକୁ ୩ ମାସ ହେଲା ଗୋଷ୍ଠୀ ସଂଘର୍ଷ ପରଠୁ ନା ଶାନ୍ତି ଫେରିଛି ଗାଁରେ, ନା ସ୍ୱାଭାବିକ ହୋଇଛି ଜନଜୀବନ ।

ହିଂସାକାଣ୍ଡରେ ସଂପୃକ୍ତ ପୁରୁଷ ଏବଂ ମହିଳାଙ୍କୁ ବାନ୍ଧି ପୋଲିସ ଜେଲ୍ ପଠାଇବା ପରେ ମୂରବୀ ଶୂନ୍ୟ ପରିବାରରେ ଖେଳିଯାଇଛି କୋକୁଆଭୟ । ଏ ଚିତ୍ର ଆଜିର । ଗାଁରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଆଶ୍ୱାସନା ଦେଉଛି ସତ, କିନ୍ତୁ ସହଜରେ କେହି ବିଶ୍ୱାସକୁ ନେଉନାହାନ୍ତି । କହୁଛନ୍ତି, ତୁରନ୍ତ ସମସ୍ୟାର ସମାଧାନ ହେଉ, ନଚେତ ଜୀବନକୁ ଧରି ଆମେ ବରଂ ଆଉ କୁ୍ଆଡ଼େ ପଳାଇବୁ ।

ଗୋଷ୍ଠୀ ସଂଘର୍ଷକୁ ବିତିଯାଇଛି ପ୍ରାୟ ୩ ମାସ । ମାମଲାରେ ୧୫୦ରୁ ଅଧିକଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଅଥଚ ଶାନ୍ତି ଫେରାଇବାକୁ ନା କୌଣସି ଶାନ୍ତିକମିଟି ତିଆରି କରିଛନ୍ତି ରାଜ୍ୟ ସରକାର ନା କୋର୍ଟରେ କୌଣସି ଚାର୍ଜସିଟ ଦାଖଲ କରିଛି ପୋଲିସ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୋସିଆଲ୍ ମିଡ଼ିଆରେ ଏଭଳି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଅବିଳମ୍ବେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଗତକାଲି ଅପରାଜିତା ଏହି ଚିଠି ଲେଖିଥିବାବେଳେ ଆଜି ଗାଁରେ ପହଞ୍ଚିଛି ପୋଲିସ ଫୋର୍ସ । ଗାଁରେ ଶାନ୍ତି ବଜାୟ ସହ କୌଣସି ଭୟ ନକରିବାକୁ ମାଇକ୍ ଜରିଆରେ ଏଭଳି ଭାବେ ପ୍ରଚାର କରିଛି ପୋଲିସ ।

ପଞ୍ଚାୟତ ନିର୍ବାଚନରୁ ହିଁ ପଦ୍ମକେଶରୀପୁର ଗାଁରେ ଉପୁଜିଥିଲା ବିବାଦ । କିଏ କାହାକୁ ଦେବ ଭୋଟ୍, ସେନେଇ ଦେଖାଦେଇଥିବା ଗଣ୍ଡଗୋଳ କ୍ରମେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଗତ ସେପଟେମ୍ବରରେ ଉତ୍ତେଜନା ତୀବ୍ର ହେବାରୁ ୧୪୪ ଧାରା ଜାରି କରିଥିଲା ପୋଲିସ । ଅକଟୋବରରେ ପୁଣି ଗଣ୍ଡଗୋଳ ହୋଇଥିଲା । ସେଥିରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ପୁଲିସ । ଆଶା କରାଯାଉଛି, ଖୁବଶୀଘ୍ର ସମସ୍ତଙ୍କୁ ଜାମିନ ମିଳିପାରେ ।

  • Reported by:
  • CHANDAN PAIKRAY