• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ଦୂର ପାଇଁ ରାଜ୍ୟରେ ନୂଆ କରି ପ୍ରତିଷ୍ଠା ହେବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ। ଆଜି ଡିଜିଟାଲ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସହ ମୋଟ ୭ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଡିଜିଟାଲ କ୍ୟାବିନେଟ୍ ବୈଠକ ବସିଥିଲା। ଜାପାନର କିଓଟାରୁ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ OLLC ଅଧିନରେ ରାଜ୍ୟରେ ପ୍ରତିଷ୍ଠା ହେବ 'ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’।

ଏହାଦ୍ବାରା ସାରା ବିଶ୍ବରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ଓଡ଼ିଶାର ଅଭିବୃଦ୍ଧିରେ ପ୍ରବାସୀ ଓଡ଼ିଆଙ୍କ ଭାଗିଦାରୀ ବଢ଼ିବ। ପ୍ରବାସୀ ଓଡ଼ିଆଙ୍କର ବିଭିନ୍ନ ସମସ୍ୟାର ସମାଧାନ ଲାଗି ସିଙ୍ଗଲ ପଏଣ୍ଟ କଣ୍ଟାକ୍ଟ ବ୍ୟବସ୍ଥା ରହିବ। ଦେଶ ତଥା ଦେଶ ବାହାରେ ରହୁଥିବା ବିଭିନ୍ନ ଓଡ଼ିଆ ସଂଗଠନ ତାଲିକାଭୁକ୍ତ ହେବା ସହ ପ୍ରବାସୀ ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯିବ। ସେହିଭଳି ୧୦ ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ସହିତ କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର ଓ କଟକରେ ପାଇପ ଜଳ ପ୍ରକଳ୍ପରେ FPO ସହାୟତା ପାଇଁ ପାଣ୍ଠି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।

ଆଜିର ବୈଠକରେ OSWANରେ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା ପ୍ରସ୍ତାବ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। ବିଜେପି ଏହାକୁ ଧୂଆଁବାଣ କହିଥିବା ବେଳେ କଂଗ୍ରେସ କହିଛି ବିଜେଡିର ମୋ ପରିବାର ସଂଗଠନକୁ ସରକାରୀକରଣ କରିବାକୁ ସରକାରଙ୍କ ଇଏ ଏକ ଚାଲ।

OTV is now on Whatsapp

Join and get latest news update delivered to you via whatsapp

Join Now