• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଢ଼ିଲା 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅଡ଼ୁଆ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟକୁ କେନ୍ଦ୍ର ଦେଲା ନିର୍ଦ୍ଦେଶ । ଗତ କିଛି ଦିନ ହେବ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ରାଜ୍ୟ ଭ୍ରମଣ ନେଇ ବିବାଦ ତେଜିବାରେ ଲାଗିଥିଲା । ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସଚିବ ସାରା ରାଜ୍ୟରେ ବୁଲୁଥିଲେ ଆଉ ସଭା କରୁଥିଲେ । ଏମିତିକି ଯେଉଁ ସବୁ ଘୋଷଣା ସରକାର ବା ନେତା ମନ୍ତ୍ରୀ କରିବା କଥା ସେସବୁ ସଚିବ ନିଜେ କରୁଥିଲେ । ଆଉ କହୁଥିଲେ ‘ମୋତେ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି’ 

ସଚିବଙ୍କ ଏଭଳି ଗସ୍ତକୁ ନେଇ ବିରୋଧୀ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବା ସହ ସଚିବଙ୍କ ଆଚରଣକୁ ନେଇ ମଧ୍ୟ କଡ଼ା ସମାଲୋଚନା କରିଥିଲେ । ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଏକ ପ୍ରେସ୍‌ମିଟ୍‌ କରି ସଚିବଙ୍କ ନାଁ ନନେଇ ତାଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ ସାଂଘାତିକ ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ସେ ଏହା ବି ପ୍ରଶ୍ନ କରିଥିଲେ ଯେ ସଚିବଙ୍କୁ ସତରେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ନା ସେ ମନ ଇଚ୍ଛା ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ବୁଲୁଛନ୍ତି ।

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ’ କହିଲେ ପ୍ରମିଳା ବିଶୋୟୀ

ତେବେ ଅପରାଜିତାଙ୍କ ପରେ ପରେ ରାଜ୍ୟ ବିଜେପିର ଅନ୍ୟ ବରିଷ୍ଠ ନେତା ବି ସଚିବଙ୍କୁ ଟାର୍ଗେଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତିକୁ ନେଇ ସମାଲୋଚନା କରିଥିଲେ । ଧିରେ ଧିରେ ସାରା ରାଜ୍ୟରେ ଏହାକୁ ନେଇ ଗୁଞ୍ଜରଣ ଆରମ୍ଭ ହୋଇଥିଲା ।

ପ୍ରେସ୍‌ମିଟ୍‌ କରି ଅଭିଯୋଗ କରିବାର କିଛି ଦିନ ପରେ ଅପରାଜିତା, ସଚିବଙ୍କ ବିରୋଧରେ ତଥ୍ୟ ପ୍ରମାଣ ସହ କେନ୍ଦ୍ରକୁ ଚିଠି ମଧ୍ୟ ଲେଖିଥିଲେ । ଆଉ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଖାଲି ସେତିକି ନୁହେଁ ଅପରାଜିତାଙ୍କ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଥିଲେ । ସେ ମଧ୍ୟ ନିଜ ଚିଠିରେ ସଚିବଙ୍କ ଆଚରଣ ଏବଂ ରାଜନୈତିକ ସମୃକ୍ତି ବିଷୟରେ ତଥ୍ୟ ପ୍ରମାଣ ସହ ଉଲ୍ଲେଖ କରିଥିଲେ । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅଲ୍‌ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ସାଂସଦ ଅପରାଜିତା ଓ ମନମୋହନ ଉଭୟ କେନ୍ଦ୍ର ନିକଟରେ ଅଭିଯୋଗ କରିଥିଲେ ।

ଉଭୟଙ୍କ ଚିଠି ପାଇବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଏକ ଚିଠି ଆସିଛି । ଯେଉଁଥିରେ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁ ସଚିବ ।

ବିଜେପି ପରେ କଂଗ୍ରେସର ବଡ଼ ବଡ଼ ନେତା ମଧ୍ୟ ସଚିବଙ୍କୁ ସମାଲୋନା କରିବାକୁ ଲାଗିଥିଲେ । ରାଜ୍ୟ କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ ସଚିବଙ୍କ ଅଚରଣକୁ ବିରୋଧ କରିବା ସହ କେନ୍ଦ୍ରକୁ ଚିଠି ଲେଖି ଅଭିଯୋଗ କରିଥିଲେ । ସେ ମଧ୍ୟ ବିଭିନ୍ନ ତଥ୍ୟ ପ୍ରମାଣ ସହ କିଛି ଫଟୋ ମଧ୍ୟ ଚିଠିରେ ଆଟାଚ୍‌ କରିଥିଲେ । ତାଙ୍କ ପରେ ପରେ ଓପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସଚିବଙ୍କୁ ଟାର୍ଗେଟ କରିବା ସହ ସଚିବ ଭାଇରାଲ କରିଥିବା ଅଡିଓ ଟେପ୍‌କୁ ନେଇ ସନ୍ଦେହ କରିଥିଲେ । ସେ ସିଧାସଳଖ କହିଥିଲେ ଏହି ଅଡିଓ ମୁଖ୍ୟମନ୍ତ୍ରୀଙ୍କର ବୋଲି ପ୍ରମାଣ କ’ଣ ? ଯଦି ସତରେ ମୁଖ୍ୟମନ୍ତ୍ରୀ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ତେବେ ଲିଖିତ ଆକାରରେ ଦିଅନ୍ତୁ ।