Advertisment

ପଞ୍ଚାୟତ ପ୍ରଚାରରେ ମାତୁଛନ୍ତି ସରକାରୀ ବାବୁ

ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି?

author-image
Chandan Shishu
ଅଦ୍ୟତନ ହୋଇଛି
Panchayat Election

Panchayat Election

ନିର୍ବାଚନୀ କ୍ୟାମ୍ପେନ୍‌ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି। ଏହେଉଛି ବଲାଙ୍ଗୀରର ଜଣେ ଶିକ୍ଷକ ତରଣୀସେନ ପଧାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ। ଏଥିରେ ବଲାଙ୍ଗୀର ୧୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ତଥା ନିଜ ପତ୍ନୀ ଲିପିକା ପଧାନଙ୍କ ପୋଷ୍ଟରକୁ ସେୟାର କରିଛନ୍ତି ତରଣୀସେନ। ଖାଲି ପତ୍ନୀଙ୍କ ପାଇଁ ନୁହେଁ ପୂର୍ବତନ ବିଜେଡି ସାଂସଦ କଳୀକେଶ ସିଂଦେଓ ଓ ଅନେକ ବିଜ଼େଡି ନେତା ମନ୍ତ୍ରୀଙ୍କ ପାଖେ ପାଖେ ରହି ପ୍ରଚାର କାର୍ଯ୍ୟ କରୁଛନ୍ତି ଯାହାକି ସରକାରୀ କର୍ମଚାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ। ତେବେ ଅଭିଯୋଗ ସଂପର୍କରେ ତରଣୀସେନ କହିଛନ୍ତି ଯେ, ଛୁଆମାନେ ତାଙ୍କ ମୋବାଇଲ୍‌ରେ ଏଭଳି କରିଛନ୍ତି। ସେହିପରି କଲୀକେଶଙ୍କ ସହ ଫଟୋକୁ ସେ ପୁରୁଣା ବୋଲି କହିଛନ୍ତି।

Advertisment

ସେହିପରି ଜିଲ୍ଲାର ଆଗଲପୁର ବ୍ଲକ ହେଡମାଷ୍ଟରମାନଙ୍କୁ ନେଇ ହୋଇଥିବା ହ୍ବାଟସ୍‌ଆପ୍ ଗ୍ରୁପ୍‌ରେ କଂଗ୍ରେସର ଜିଲ୍ଲା ପରିଷଦ ଏକ ନମ୍ବର ଜୋନ୍ ପ୍ରାର୍ଥୀ ଗଣେଶ ସାହୁଙ୍କ ପାଇଁ ସୋସିଆଲ ମିଡିଆରେ ପ୍ରଚାର କରିଛନ୍ତି ଭରସୂଜା ଛେଲିଆପାଟ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଦିଲୀପ ପାଠୀ। ତେବେ ଘଟଣା ସଂପର୍କରେ ଦିଲୀପଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ପୁଇଁତଳା ବ୍ଲକ୍‌ର BEO ଲୋକନାଥ ସୁନା ନିଜ ସୋସିଆଲ୍ ମିିଡିଆ ଆକାଉଣ୍ଟରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ନିଜର ଜଣେ ଝିଆରୀଙ୍କ ପାଇଁ ପ୍ରଚାର କରିଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ କେନ୍ଦ୍ରାପଡ଼ା ତାରିଣୀ ମହାବିଦ୍ୟାଳୟରେ ନିର୍ବାଚନୀ ସଭା ଆୟୋଜନ ହୋଇଥିଲା। ଯେଉଁଥିରେ ଖୋଦ କଲେଜ ଅଧ୍ୟକ୍ଷ ଓ ଏସଡିପିଓ ଉପସ୍ଥିତ ଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା। ସେପଟେ ନିର୍ବାଚନ କମିଶନର କହିଛନ୍ତି, ଅଭିଯୋଗ ଆସିଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Advertisment

ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି? ସରକାରଙ୍କ ପ୍ରିୟ ଭାଜନ ହେବା ଲାଗି ନା ରୋଷର ଶିକାରରୁ ବଞ୍ଚିବା ଲାଗି? ୟାକୁ ନେଇ ବି ରାଜନୀତି ସରଗରମ। ବିଜେପି ବହୁବାର ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଶାସକ ଦଳ ସପକ୍ଷରେ ରହୁଥିବା ନେଇ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହୋଇଛି। ଅନେକବାର ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ବି ଅଭିଯୋଗ ଆସୁଛି। ତେବେ ଶାସକ ଦଳ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ସରକାରୀଙ୍କ କଳ ଓ ବଳର ଦୁରୁପଯୋଗ କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେଡି ଏହାର ଜବାବ  ରଖିଛି।

ନିର୍ବାଚନୀ ଋତୁ ଆସିଲେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକଙ୍କ ଯାଏ, ଅନେକ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆସୁଛି। ତେବେ ସରକାରୀ ବାବୁ ମାନେ ଖୁଲମଖୁଲା ନିର୍ବାଚନୀ ପ୍ରଚାର ଓ ଭୋଟ୍ ଭିକ୍ଷା ଲାଗି ବଳ ପାଉଛନ୍ତି କେଉଁଠୁ?

ରିପୋର୍ଟ: ମନୋଜ ସ୍ୱାଇଁ, ସଞ୍ଜୟ ଜେନା, ମନରଞ୍ଜନ ଓ ଜଗଦୀଶ ଦାସ

Election Commission Panchayat Election
Advertisment
Advertisment