Advertisment

ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ', ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଲେ ଗୋପାଳପୁର ବିଧାୟକ

ହଜାର ହଜାର ସମର୍ଥକ, ବିଶାଳ ପଟୁଆର। ବିଜେପିରେ ଯୋଗ ଦେଉ ଦେଉ ବିଜେଡିର ଗଞ୍ଜାମ ଗଡ଼ରେ ପାୱାର ଶୋ‘ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Pradeep Panigrahi

ପ୍ରଦୀପଙ୍କ ପାୱାର ଶୋ’। ଗତକାଲି ପଦ୍ମ ଧରିଲେ, ଆଉ ଆଜି ଗଞ୍ଜାମରେ ଦମ୍ ଦେଖାଇଲେ। ଆଉ ପ୍ରଦୀପଙ୍କ ହାତ ଧରି ବିଜେପିରେ ସାମିଲ ହେଲେ ଗଣ୍ଡା ଗଣ୍ଡା ଶାସକ ଦଳ ନେତା। ଆଜି ଗଞ୍ଜାମଙ୍କୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତ ଅବସରରେ ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଛନ୍ତି ପ୍ରଦୀପ। ରାଜନାଥଙ୍କ ସଭା ପୂର୍ବରୁ ଆମ୍ବପୁଆ କାଳୀ ମନ୍ଦିରଠାରୁ ବାହାରିଥିଲା ପ୍ରଦୀପଙ୍କ ବିଶାଳ ଶୋଭାଯାତ୍ରା। ବାଇକ ରାଲି ସହ ବିଶାଳ ପଟୁଆରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଦୀପ। ଆଉ ପ୍ରଦୀପଙ୍କ ନେତୃତ୍ୱରେ ଆଜି ବିଜେପିରେ ସାମିଲ ହୋଇଥିଲେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର ଉପସଭାପତି କେ ଅନିଲ କୁମାର, ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ ମୀନତି ଦାସ, ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ, ଅଶୋକ ଶୁକ୍ଳା ପ୍ରମୁଖ। ପୂର୍ବତନ କାଉନସିଲର ବଦ୍ରି ନାୟକ, ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ସଞ୍ଜୟ ଜେନାଙ୍କ ସହ ଶତାଧିକ ବିଜେଡି କର୍ମୀ ବି ଆଜି ବିଜେପିରେ ଯୋଗଦେଇଛନ୍ତି। ଅନ୍ୟ ପଟେ ରାଜନାଥଙ୍କ ଉପସ୍ଥିତିରେ ସମାନ ଡାଇଲଗ୍ ରିପିଟ କରିଛନ୍ତି ପ୍ରଦୀପ। କହିଛନ୍ତି ମିଶନ ହିଞ୍ଜିଳିରୁ ଆରମ୍ଭ ହେବ। ଓଡ଼ିଶାରେ ପରିବର୍ତ୍ତନ ହେବ।

Advertisment

ପ୍ରଦୀପ ପଦ୍ମ ଧରି ପାୱାର ଶୋ କରିବା ପରେ ଗଞ୍ଜାମ ରାଜନୀତିରେ ଚର୍ଚ୍ଚା, ଦକ୍ଷିଣ ଓଡ଼ିଶାରେ କ’ଣ ରହିବ ପ୍ରଦୀପଙ୍କ ଭୂମିକା ? ଆଉ କ’ଣ ଫାଇଦା ପାଇବ ବିଜେପି? କୁହାଯାଉଛି ବିଜେଡି ଗଞ୍ଜାମ ଗଡ଼ରେ ଏବେ ଫାଟ ଜଳ ଜଳ। ସବୁଠୁ ମଜଭୁତ ଦିଗପହଣ୍ଡି ଆସନରେ ତ ପ୍ରବଳ ଅନ୍ତକନ୍ଦଳ। ଏଠି ଦିବଙ୍ଗତ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ର ଆଉ ବହିଷ୍କୃତ ନେତା ବିପିନ ପ୍ରଧାନଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି। ନିକଟରେ ବିପିନଙ୍କ ଗୋଷ୍ଠୀ ବ୍ଲକ ଦଖଲ କରିଛନ୍ତି।

ସେହିପରି ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରା ବନାମ ବ୍ଲକ ଅଧ୍ୟକ୍ଷାଙ୍କ ଗୋଷ୍ଠୀ। ଏମିତିକି 'ସୁବାସ ହଟାଅ, ବିଜେଡି ବଞ୍ଚାଅ' ସମାବେଶ କରିଥିଲେ ବିଜେଡି ନେତା ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ। ଆଉ ଆସ୍କାରେ ତ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୁଅ ନଚିକେତା ସ୍ୱାଇଁଙ୍କ ଗୋଷ୍ଠୀ ବିରୋଧରେ ଦଳ ଭିତରେ ତୀବ୍ର ଅସନ୍ତୋଷ। ମା-ପୁଅ ହଟାଅ ମଞ୍ଚ ଗଢ଼ିଛନ୍ତି ଖୋଦ ବିଜେଡି ନେତା।ସେହିପରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ବୁଗୁଡ଼ା ବ୍ଳକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବିବାଦ। ଏମତି ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସଙ୍ଗୀନ। ଯେହେତୁ ପ୍ରଦୀପ ଦୀର୍ଘ ଦିନ ଧରି ବିଜେଡିର ଗଞ୍ଜାମ ଦାୟିତ୍ୱରେ ଥିଲେ ତେଣୁ ନିଶ୍ଚିତ ଭାବେ ଫାଇଦା ବିଜେଡିକୁ ଯାଇପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

Advertisment

ଆଜି ପ୍ରଦୀପଙ୍କ ସହ ଏକାଧିକ ବିଜେଡି ନେତା ସାମିଲ ହେବା ପରେ ଚର୍ଚ୍ଚା, ଆଗକୁ ବି ଗଞ୍ଜାମରେ ବହୁ ହେଭିୱେଟ ଦଳ ପରିବର୍ତ୍ତନ କରିପାରନ୍ତି। ତାଙ୍କ ସହ ଅନେକ ବିଜେଡି ନେତା ଟଚ୍‌ରେ ଥିବା ନେଇ ପ୍ରଦୀପ ମଧ୍ୟ ଇଶାରା ଦେଇଥିଲେ। ତେଣୁ ଯଦି କନ୍ଦଳ ନଥମେ ତାହେଲେ ପ୍ରଦୀପ ସମୀକରଣ ଶାସକ ଦଳ ପାଇଁ ଅଡୁଆ ହୋଇପାରେ। 

BJD BJP Pradeep Panigrahi Gopalpur MLA
Advertisment
Advertisment