• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଲୁଗା ପ୍ରଧାନ ହେବେ ପରବର୍ତ୍ତୀ ଉପବାଚସ୍ପତି । ସାଲୁଗାଙ୍କୁ ନେଇ ଟ୍ରାଇବାଲ୍ କାର୍ଡ ଖେଳି ନିଜ ଛବି ସୁଧାରିବାକୁ ଉଦ୍ୟମ କରିଛି ବିଜେଡି । ନିକଟରେ ତାଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଥିଲା । ଆଉ ଏବ ଉପବାଚସ୍ପତି ପ୍ରାର୍ଥୀ କରାଯାଇଥିବାରୁ ଜିଲ୍ଲା ସଂଗଠନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ସେପଟେ ବିଜେପି କହିଛି ଆଦିବାସୀଙ୍କ ଜମି କିଣାବିକା ପ୍ରସ୍ତାବ ସ୍ଥଗିତ ବଦଳରେ ପ୍ରତ୍ୟାହାର ନହେଲେ ବିରୋଧ ତୀବ୍ର ହେବ ।

ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି । ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାଲୁଗା । ବିଧାନସଭା ଅଭିଜ୍ଞତା ବି ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଚଳିତ ମାସ ୪ ତାରିଖରେ ହିଁ ସାଲୁଗାଙ୍କୁ ଦଳ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଥିଲା ।

ମାତ୍ର ୧୬ ଦିନ ଦାୟିତ୍ୱରେ ରହିବା ପରେ କାହିଁକି ତାଙ୍କୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦବିର ପ୍ରାର୍ଥୀ ଭାବେ ଦଳ ସାମନାକୁ ଆଣିଲା ? ଜିଲ୍ଲା ସଂଗଠନରେ ସାଲୁଗାଙ୍କୁ ନେଇ ଗୋଷ୍ଠୀ କନ୍ଦଳ ତୀବ୍ର ହେଲା କି ? ସେପଟେ ସାଲୁଗା ନାମାଙ୍କନ ପତ୍ର ଦାଖଲ କରିବା ପରେ ନିଲମ୍ୱିତ ଜି.ଉଦୟଗିରି କାଉନସିଲର ପି. ସଞ୍ଜୀବ କୁମାର ପାତ୍ରଙ୍କ ଉପରୁ ବିଜେଡି ନିଲମ୍ବନ ହଟାଇଦେଇଛି । ଯାହାକୁ କନ୍ଧମାଳ ରାଜନୀତିକୁ ଆହୁରି ପ୍ରଶମିତ କରିଛି । ଅନ୍ୟପଟେ କିନ୍ତୁ ସଂଗଠନରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ସାଲୁଗା । କିନ୍ତୁ ବିଜେପି କହିଛି ଗୋଷ୍ଠୀ କନ୍ଦଳ ପାଇଁ ସାଲୁଗାଙ୍କ ପକ୍ଷ ଛେଦନ କରାଯାଇଛି ।

ପ୍ରଶ୍ନ ଉଠୁଛି ସଂଗଠନ ପାଇଁ ଯେତେବେଳେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କୁ ଦାୟିତ୍ୱରୁ ଅପସାରିତ କରାଗଲା, ସେତେବେଳେ ସାଲୁଗାଙ୍କୁ ଉପବାଚସ୍ପତି ଭଳି ସାମ୍ୱିଧାନିକ ପଦରେ ବସାଇବା ଦ୍ୱାରା କଣ କନ୍ଧମାଳ ସଂଗଠନ ପ୍ରଭାବିତ ହେବନି କି ? ନା ଟ୍ରାଇବାଲ କାର୍ଡ ଖେଳି ବିଜେଡି ଡ୍ୟାମେଜ୍ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛି ?

କାରଣ ନଭେମ୍ୱର ୧୪ରେ ବସିଥିବା କ୍ୟାବିନେଟ ବୈଠକରେ ଆଦିବାସୀଙ୍କ ଜମି କିଣାବିକା ନେଇ ପ୍ରସ୍ତାବ ପାରିତ ହେବା ପରେ ବିବାଦ ଘନେଇଥିଲା । ବିରୋଧୀଙ୍କ ସହ ଆଦିବାସୀ ସଂଗଠନଗୁଡିକ ଏହାକୁ ବିରୋଧ କରିଥିଲେ । ବିଧାନସଭାରେ ବିରୋଧୀ ଏହାକୁ ମୁଖ୍ୟ ମୁଦ୍ଦା ଓ ଟ୍ରାଇବାଲ ଭୋଟ ପ୍ରଭାବିତ ଆଶଙ୍କା କରି କ୍ୟାବିନେଟ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ବାଧ୍ୟ ହେଲେ ସରକାର । ସେପଟେ ବିଜେପି ଆଜି ପୁଣି ପ୍ରେସ୍ ମିଟ୍ କରି ସରକାରଙ୍କ ଉପରେ ବର୍ଷିଛି । 

ଫୁଲବାଣୀରୁ ତ୍ରିନାଥ ସାହୁ, ବାଲିଗୁଡାରୁ ଅଜିତ ନାୟକ ଓ ଭୁବନେଶ୍ବରରୁ କ୍ୟାମେରାମ୍ୟାନ୍ ବିଭୁଙ୍କ ସହ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି...