• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୫ ଦିନରେ ୩ ଥର ଦଳ ପରିବର୍ତ୍ତନ । ପ୍ରଥମେ କଂଗ୍ରେସରୁ ବିଜେଡିକୁ ଗଲେ, ତା ପରେ ବିଜେଡିରୁ ପୁଣି କଂଗ୍ରେସକୁ ଫେରିଲେ । ଏଥର ବି ମନ ଥୟ ରହିଲାନି ଯେ, ତା ପରଦିନ ପୁଣି ବିଜେଡିକୁ ଫେରିଲେ । ମାନେ ଦୁଇ ଥର ଘର୍ ୱାପସି । ୫ ଦିନ ମଧ୍ୟରେ ୩ ଦଳ ଡେଇଁଥିବା ଏହି ନେତା ଜଣକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ସରପଞ୍ଚ ଦେବ କୁମାର ଦେ ।

ଡିସେମ୍ବର ୨୮ରେ ବିଜେଡି .. ୩୧ରେ କଂଗ୍ରେସ .. ୧ ତାରିଖରେ ପୁଣି ବିଜେଡି । ଦେବକୁମାର ଦେଙ୍କ ଏଭଳି ଦଳ ଡିଆଁକୁ ନେଇ ବାଲେଶ୍ବର ଜିଲ୍ଲାରେ ଚର୍ଚ୍ଚା । ଡିସେମ୍ବର ୨୮ ତାରିଖରେ ଦେବ କୁମାର ଦେ ଭୁବନେଶ୍ବର ଶଙ୍ଖ ଭବନକୁ ଆସି ବରିଷ୍ଠ ନେତା ପ୍ରତାପ ଦେବ ଓ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥିଲେ ।

ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଓ ତାଙ୍କ ପତ୍ନୀ ବିଜେଡି ମହିଳା କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ମାତ୍ର ୩ ଦିନ ପରେ ଶାସକ ଦଳରୁ ତାଙ୍କ ମୋହ ଭାଙ୍ଗି ଯାଇଥିଲା । ଘର୍ ୱାପସି କରି ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିଥିଲେ ଦେବକୁମାର ।

ବାଲିଆପାଳରେ ହୋଇଥିବା ଏହି ଘର ବାହୁଡା କାର୍ଯ୍ୟକ୍ରମରେ ବସ୍ତା କଂଗ୍ରେସର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଲୋକଙ୍କ କାମ ପାଇଁ ସେ ବିଜେଡିକୁ ଯାଇଥିଲେ । କିନ୍ତୁ କଂଗ୍ରେସର ଭାଇଚାରାକୁ ଭୁଲି ନ ପାରି ପୁଣି ଥରେ ଦଳକୁ ଫେରିଥିବା କହିଥିଲେ ଦେବ କୁମାର ଦେ । କିନ୍ତୁ ଏଥର ବି ତାଙ୍କର ମନ ଥୟ ହେଲାନି ।

ନୂଆ ବର୍ଷ ଆରମ୍ଭ ଦିନ ଗତକାଲି ସେ ପୁଣି ଥରେ ବିଜେଡିରେ ସାମିଲ୍ ହୋଇଛନ୍ତି । ବାଲେଶ୍ୱରରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି । ଜିଲ୍ଲା ବିଜେଡି ପକ୍ଷରୁ ତାଙ୍କୁ ପୁଣି ଥରେ ଭବ୍ୟ ସ୍ୱାଗତ କରାଯାଇଛି । ଦେବ କୁମାର ଦେ ବାଲିଆପାଳ ବ୍ଲକ୍ ସରପଞ୍ଚ ସଂଘର ସଭାପତି ଓ ବାଲେଶ୍ୱର-ଭଦ୍ରକ ସେବା ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ।

ବସ୍ତା ନିର୍ବାଚନମଣ୍ଡଳୀରେ ସେ ଜଣେ ଜଣାଶୁଣା କଂଗ୍ରେସ ନେତା ଭାବେ ପରିଚିତ । ବିଭିନ୍ନ ସମୟରେ ବିଜେଡିକୁ ଜୋରଦାର ବିରୋଧ କରି ସେ ଚର୍ଚ୍ଚାରେ ରହନ୍ତି । ଏଥର ତାଙ୍କର ଦଳ ବଦଳକୁ ନେଇ ଅଧିକ ଚର୍ଚ୍ଚା ।