Advertisment

ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି।

author-image
Satyendu Shekher Mishra
BJD

BJD

ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ । ବସିଲା ସମନ୍ୱୟ କମିଟିର ପ୍ରଥମ ବୈଠକ । ଫୋକସରେ ସଂଗଠନ ସୁଦୃଢୀକରଣ ସହ ଆଗାମୀ କାର୍ଯ୍ୟପନ୍ଥା । ୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଶଙ୍ଖ ଭବନରେ ବସିଥିଲା ଦଳର ପ୍ରଥମ ସମନ୍ୱୟ କମିଟି ବୈଠକ । ଯେଉଁଠି ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।

Advertisment

କ୍ଷମତା ହାତରୁ ଯିବା ପରେ ସଶକ୍ତ ବିରୋଧୀ ଭୂମିକାରେ ତୃଣମୂଳ ସ୍ତରକୁ ଯାଇ ଜନତାଙ୍କୁ ଛୁଇଁବାକୁ ହୋଇଛି ଯୋଜନା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏବାବଦରେ ସମନ୍ୱୟ କମିଟି, ସୁପ୍ରିମୋ ନବୀନଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଛି । ସେ ଭିତରେ ରହିଛି ରାଜ୍ୟ କମିଟି ଗଠନ, ବିଭିନ୍ନ ଜିଲ୍ଲାରେ ନିରନ୍ତର ବୈଠକ, ଛାମୁଆ ସଂଗଠନଗୁଡିକୁ ଦାୟିତ୍ୱ ସହ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଓ ବର୍ଷାଋତୁ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ। ଏସବୁ ପ୍ରସ୍ତାବକୁ କମିଟି ସୁପ୍ରିମୋଙ୍କ ଅନୁମୋଦନ ପାଇଁ ପଠାଇଛି।

ସେପଟେ ମୟୂରଭଞ୍ଜ ଜିଲ୍ଲାରୁ ବିଜେଡି ନିଶ୍ଚିହ୍ନ ହୋଇଯିବା ଓ ପରେ ପରେ ମମତା ମହାନ୍ତ ଝଟ୍‌କା ଦଳର ସଂଗଠନକୁ ଆହୁରି ଦୁର୍ବଳ କରିଦେଇଛି । ଏହାରି ଭିତରେ ଦୁଇ ଦୁଇ ଥର ମୟୂରଭଞ୍ଜ ନେତାଙ୍କ ସହ ନବୀନ ବୈଠକ କରି ଏକାଠି ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି। ହେଲେ ମୟୂରଭଞ୍ଜ ସ୍ଥିତିକୁ ନେଇ ନବୀନ ନିବାସରେ ଦଳପତି କରିଥିବା ବୈଠକରେ ସୁଦାମ ମାରାଣ୍ଡିଙ୍କ ଅନୁପସ୍ଥିତି ନାନା ଚର୍ଚ୍ଚା ସୃଷ୍ଟି କରିଥିଲା।

Advertisment

ତେଣୁ ଗତକାଲି ପୁଣି ନବୀନ ସୁଦାମ ମାରାଣ୍ଡି ଓ ଅନ୍ୟ କିଛି ନେତାଙ୍କ ସହ ବୈଠକ କରିଛନ୍ତି। ଏହାପରେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଦାମ କହିଛନ୍ତି ମୟୂରଭଞ୍ଜରେ ମମତା ଇଫେକ୍ଟ କାମ ଦେବନି, ଦଳ ସଂଗଠିତ ଅଛି।

ସେପଟେ କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

୨୪ ବିପର୍ଯ୍ୟୟ ପରେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଥିବାରୁ ଦଳଡିଆଁଙ୍କ ସଂଖ୍ୟା ବି ଆଗକୁ ବଢିପାରେ। ସେହିପରି ବିଭିନ୍ନ ଜିଲ୍ଲାରେ ସଂଗଠନ ଅସ୍ଥିର ହେଉଥିବାରୁ ନବୀନ ଏବେ ସମସ୍ତଙ୍କୁ ନେଇ ଚାଲିବା ଆରମ୍ଭ କରିଛନ୍ତି। ଦଳରେ ନବକଳେବର ଲକ୍ଷ୍ୟରେ ସବୁ କମିଟି ଭାଙ୍ଗି ଦେଇଥିବା ନବୀନ କେବେ ସେସବୁକୁ ପୁଣି ନୂଆ କରି ଗଢୁଛନ୍ତି, ଏବଂ ଦଳରେ ପଡ଼ି ଚାଲିଥିବା ଘଳିଆକୁ ରୋକୁଛନ୍ତି, ଏବେ ତା ଊପରେ ନଜର।

BJD BJP Congress Odisha Politics
Advertisment
Advertisment