• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ତୀବ୍ର ହେଉଛି ଜଗତସିଂହପୁର ବିଜେଡି କନ୍ଦଳ । ଗୋଟିଏ ଗୋଷ୍ଠୀର କର୍ମୀ ସମ୍ମିଳନୀର କାଉଣ୍ଟରରେ ଅପର ଗୋଷ୍ଠୀର ପ୍ରେସମିଟ୍ । ଢୋଲ-ମୂଷା ଆରୋପ ପ୍ରତ୍ୟାରୋପ । ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ମେଳି ବାନ୍ଧି ପ୍ରବଳ ବିରୋଧ ଜାରି ରଖିଛନ୍ତି ନଗର ବିଜେଡି ସଭାପତି ବସନ୍ତ ବିଶ୍ବାଳ । ଦୁଇଦିନ ତଳେ ସାଙ୍ଗଠନିକ ବୈଠକ ଡାକି ସମ୍ବିତଙ୍କ ବିରୋଧରେ ସ୍ବରକୁ ଶାଣିତ କରିଛନ୍ତି ବସନ୍ତ । କହିଛନ୍ତି- ସମ୍ବିତ ନିଜେ ବାପି ସର୍ଖେଲଙ୍କ ପରି ବଡ଼ ମୂଷାକୁ ଦଳକୁ ଆଣି ଢୋଲ ଫଟାଇ ଏବେ ଢୋଲ ଭିତରେ ମୂଷା ଉପାଖ୍ୟାନ ଶୁଣାଉଛନ୍ତି ।

ଏଭଳି ସ୍ଥିତିରେ ବଢୁଥିବା କନ୍ଦଳରେ ବ୍ରେକ୍ ଦେବାକୁ କାଲି ସୁପ୍ରିମୋ ନବୀନ ଜିଲ୍ଲାର ବଡ଼ ବଡ଼ ନେତାଙ୍କୁ ଡାକି ବୈଠକ କରିଥିଲେ, ମିଳିମିଶି ଦଳ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ହେଲେ କିଛି ଯେମିତି କାଟୁ କଲାନି । ଆଉ ଆଜି ସମ୍ବିତଙ୍କ ସମର୍ଥକ ପାରାଦ୍ବୀପରେ ସାମ୍ବାଦିକ ସମ୍ମିଳନୀ କରି ବସନ୍ତ ବିଶ୍ବାଳ ଓ ସମର୍ଥକଙ୍କ ବିରୋଧରେ ବର୍ଷି ସେମାନଙ୍କ ବହିଷ୍କାର ଦାବି କରିଛନ୍ତି । ଘର କଳି ଦାଣ୍ଡରେ ଗଡୁଥିବା ବେଳେ ବିଜେଡି କିନ୍ତୁ କହିଛି ବଡ଼ ଦଳରେ ମତାନ୍ତର ସ୍ବାଭାବିକ, ଆମେ କିନ୍ତୁ ଏକ ଅଛୁ ।

ଜଗତସିଂହପୁର ପରେ ଢେଙ୍କାନାଳରେ ବି ସମାନ ସ୍ଥିତି। ଦଳ ଏଠାରେ ବଡ଼ ନେତାଙ୍କୁ ହରାଇଛି । ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ କେବଳ ତାଳଚେରରୁ ବ୍ରଜ ପ୍ରଧାନ ବିଜେଡିରୁ ଜିତିଥିବା ବେଳେ ବାକି ୬ଟି ନିର୍ବାଚନୀ ମଣ୍ଡଳୀ ବିଜେପି ଖାତାକୁ ଯାଇଛି । ଯେଉଁଥିପାଇଁ ନିର୍ବାଚନ ପରେ ବିଜେଡି ଗୋଷ୍ଠୀ କନ୍ଦଳ ବଢିଛି । ଗତଥରର ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଟିକେଟ କାଟି ଦଳ ମହେଶ ସାହୁଙ୍କୁ ଟିକେଟ ଦେଇଥିଲା । ସୀମାରାଣୀ ବିଜେପି ଟିକେଟରେ ଲଢି ମହେଶଙ୍କୁ ପରାସ୍ତ କଲେ । ତେଣୁ ବିଜେଡିକୁ ଏଠି ବି ବଡ଼ ଝଟକା ଲାଗିଛି । ଯେଉଁଥିପାଇଁ ଗତକାଲି ନବୀନ ଭୁବନ ବ୍ଲକ ଓ ଏନ୍ଏସି ଏବଂ ହିନ୍ଦୋଳ ଏନ୍ଏସି ନେତା ଓ କର୍ମୀଙ୍କୁ ଭେଟିଛନ୍ତି ।

୨୪ ନିର୍ବାଚନ ବିପର୍ଯ୍ୟୟ ପରେ ନବୀନ ଘର ସଜାଡିବା ଆରମ୍ଭ କରିଛନ୍ତି । ମାତ୍ର ବଢୁଥିବା ଗୋଷ୍ଠୀ କନ୍ଦଳକୁ ମ୍ୟାନେଜ କରି କିପରି ସଂଗଠନକୁ ଆଗକୁ ନେଉଛନ୍ତି ତା ଉପରେ ନଜର ।

  • Reported by:
  • RAMAKANTA NAYAK , JAGDISH DAS , RAJASHREE SATAPATHY

OTV is now on Whatsapp

Join and get latest news update delivered to you via whatsapp

Join Now