/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686372967.jpg)
Rajyasabha MP Niranjan Bishi
ମିଛ କହିଥିଲେ କି ନିରଞ୍ଜନ ? ତାଙ୍କ ଗାଡ଼ି ଧକ୍କାରେ ଜଣେ ନୀରିହଙ୍କ ଜୀବନ ଯାଇଥିବା ବେଳେ ସେ ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ କହିଥିଲେ କି ମିଛ ? ଆମେ କହୁଛୁ ସାଂସଦ ନିରଞ୍ଜନ ବିଶିଙ୍କ କଥା । ଇଏ ସେହି ନିରଞ୍ଜନ ବିଶି, ଯିଏ ଦିନେ ରାଜ୍ୟ ସରକାରଙ୍କୁ ପାଦେ ପାଦେରେ ବିରୋଧ କରୁଥିଲେ ଏବଂ ବିଜେଡିକୁ ନାକେଦମ କରି ରଖିଥିଲେ । ଆଦିବାସୀଙ୍କ ହକ୍ ପାଇଁ ଲଢ଼ୁଥିଲେ । ପରେ ସେ ବିଜେଡିରେ ସାମିଲ ହେବା ସହ ଏବେ ରାଜ୍ୟସଭା ସାଂସଦ ରହିଛନ୍ତି ।
କିଛି ଦିନ ପୂର୍ବେ ଅର୍ଥାତ୍ ଗତ ମେ’ ୨୪ରେ ତାମିଆଁ ଛକ ନିକଟରେ ନିରଞ୍ଜନଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଉଛନ୍ତି ଇନପୁର ଗାଁର ଟଙ୍କଧର ବିଶ୍ୱାଳ । ଏହି ଦୁର୍ଘଟଣାରେ ସମ୍ପର୍କରେ ସେତେବେଳେ ସାଂସଦ ପ୍ରତିକ୍ରିୟା ଦେଇ କହିଥିଲେ, ‘ଗାଡ଼ି ଧକ୍କା ବେଳେ ମୁଁ ସେହି ଗାଡ଼ିରେ ନଥିଲି ।’ ତେବେ ସେତେବେଳେ ସାଂସଦ ଏହା ମିଛ କହିଥିଲେ ବୋଲି ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
ଗାଡ଼ି ଧକ୍କା ବେଳେ ସେହି ଇନୋଭା ଭିତରେ ସାଂସଦ ନିରଞ୍ଜନ ବିଶି ବସିଥିଲେ ବୋଲି ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ‘ଗାଡ଼ି ଧକ୍କା ହେବା ପରେ ସାଂସଦ ସ୍କୁଟି ଚାଳକଙ୍କୁ ଉଦ୍ଧାର କରିବା କଥା ଚିନ୍ତା କରିବା ପରିବର୍ତ୍ତେ ସେ ଗାଡ଼ିରୂ ଓହ୍ଲାଇ ମୋ ବାଇକ୍ରେ ବସିଥିଲେ । ଆଉ ମୋତେ ଲରମ୍ଭା ଥାନାରେ ଛାଡ଼ିଦେବା ପାଇଁ କହିଥିଲେ । କିନ୍ତୁ ଅଧା ରାସ୍ତାରୁ ସେ ଓହ୍ଲାଇପଡ଼ିଥିଲେ ।’
ତେବେ ସାଂସଦଙ୍କୁ ବାଇକ୍ରେ ନେଇଥିବା ଉକ୍ତ ବ୍ୟକ୍ତି ହେଉଛନ୍ତି ତାମିଆଁ ଗାଁର ପ୍ରମୋଦ ବେହେରା । ସେ ନିଜେ ଏକ ପ୍ରେସ୍ମିଟ୍ କରି ସାଂସଦଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତ । ସେ ଏହା ମଧ୍ୟ କହିଛନ୍ତି କି, ଏହି ପୁରା ଦୁର୍ଘଟଣା ତାଙ୍କ ଆଖି ସାମ୍ନାରେ ଘଟିଛି । ଅନ୍ୟପଟେ ଏହି ଅଭିଯୋଗ ନେଇ ସାଂସଦ ନିରଞ୍ଜନ ବିଶିଙ୍କ କୌଣସି ପ୍ରତିକ୍ରିୟଂ ମିଳିପାରି ନାହିଁ ।
ତେବେ ଏଠି ପ୍ରଶ୍ନ ଉଠୁଛି, ସତରେ କ’ଣ ସାଂସଦ ମିଛ କହିଥିଲେ ? ଆଉ ଯଦି କହିଥିଲେ କାହିଁକି କହିଥିଲେ ? ଜଣେ ଦାୟିତ୍ୱବାନ ବ୍ୟକ୍ତି କ’ଣ କେବେ ଏଭଳି କରିପାରିବ ? ଯିଏ ଦିନେ ଆଦିବାସୀଙ୍କ ହକ୍ ପାଇଁ ଲଢ଼ୁଥିଲା, ସେ କ’ଣ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇ ଯାଇପାରିବ ? କ’ଣ ସାଂସଦ ହେବା ପରେ ବଦଳିଗଲେ କି ନିରଞ୍ଜନ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)