• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ପ୍ରସ୍ତୁତି ଚାଲିଛି ।

ଏନେଇ ଆଜି ରାଜ୍ୟ ପୋଲିସ ପ୍ରଶାସନ, କେନ୍ଦ୍ରୀୟ ପ୍ରତିନିଧି ଦଳ ସମାବେଶ ସ୍ଥଳ ବୁଲି ଦେଖିବା ସହ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ । ଏଥିପୂର୍ବରୁ ଚଣ୍ଡିଖୋଲ ଡାକ ବଙ୍ଗଳା ପରିସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁଇନ୍ଦା ବିଭାଗ ମୁଖ୍ୟ ସୋମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ପୋଲିସ ଆଶିଷ ସିଂଙ୍କ ସମେତ ଯାଜପୁର ଜିଲ୍ଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି । ସୂଚନା ଥାଉ କି, ଫେବ୍ରୁଆରୀ ୩ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଏହି ଗସ୍ତ ସମୟରେ ସେ ସମ୍ବଲପୁରରେ IIMର ନୂଆ କ୍ୟାମ୍ପସକୁ ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ । ଏହାପରେ ମୋଦି ସମ୍ବଲପୁରର ରେମେଡ୍‌ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଓଡ଼ିଶା ଗସ୍ତରେ ଆସିଥିଲେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଘରେ ଘରେ ମୋଦିଙ୍କ ଗ୍ୟାରେଣ୍ଟି ପହଞ୍ଚାଇବା ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ଶିବରାଜ । ସେହିପରି ଫେବ୍ରୁଆରୀ ୨୨ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସେ ନବରଙ୍ଗପୁର, ଗଂଜାମ ଓ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ରହିଥିବାବେଳେ ବାରମ୍ବାର କେନ୍ଦ୍ର ନେତାଙ୍କ ଓଡ଼ିଶା ଗସ୍ତ ରାଜ୍ୟ ବିଜେପି ଶିବିରକୁ ଚଳଚଞ୍ଚଳ କରିବା ସହ ନେତାଙ୍କ ଉତ୍ସାହ ବଢ଼ାଉଛି ।