• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ । ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ ।

ତେବେ ୨୦୧୭ରେ ବିଜେପିକୁ ୩୧୨ ସିଟ୍‌ରେ ଯେଉଁ ଅପ୍ରତ୍ୟାଶିତ ସଫଳତା ମିଳିଥିଲା, ଏଥର କିନ୍ତୁ ଦଳ ଏତେ ସଂଖ୍ୟା ଛୁଇଁବନି ବୋଲି ଏକଜିଟ୍ ପୋଲରୁ ଅନୁମାନ କରାଯାଇଛି । ତେବେ ଏଥିରେ ଅସହମତ ଦଳୀୟ ନେତା । ଏଥର ବି ୩ ଶହରୁ ଅଧିକ ସିଟ୍ ମିଳିବ ବୋଲି ସେମାନେ ଆଶା ରଖିଛନ୍ତି । ସେପଟେ ଏକଜିଟ୍ ପୋଲକୁ ଅଗ୍ରାହ୍ୟ କରିଛି ସମାଜବାଦୀ ପାର୍ଟି । ଅଖିଳେଶଙ୍କ ନେତୃତ୍ୱରେ ଦଳ କ୍ଷମତାକୁ ଫେରିବ ବୋଲି ଦୃୃୃଢ଼ତାର ସହ କହିଛି ସମାଜବାଦୀ ପାର୍ଟି ।

ଏକଜିଟ୍ ପୋଲରେ ଉତ୍ତରାଖଣ୍ଡ ଓ ଗୋଆର ଅସ୍ପଷ୍ଟ ଚିତ୍ର । ଏହି ଦୁଇ ରାଜ୍ୟରେ କିଏ କରିବ ଶାସନ ତାକୁ ନେଇ ଦ୍ୱନ୍ଦ୍ୱ । ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ବିଜେପିକୁ ୩୫ରୁ ଅଧିକ ଆସନ ମିଳିବା ପୂର୍ବାନୁମାନ କରାଯାଇଛି । କଂଗ୍ରେସ ବି ସମାନ ସଂଖ୍ୟକ ଆସନ ଜିତିବା ସମ୍ଭାବନା ଥିବାରୁ ଝୁଲା ବିଧାନସଭା କିମ୍ବା ସରକାର ଗଠନ ପାଇଁ ଟଣାଓଟରା ସ୍ଥିତି ଦେଖିବାକୁ ମିଳିପାରେ ।

ସେପଟେ ୪୦ ଆସନ ବିଶିଷ୍ଟ ଗୋଆରେ ବି ଅନୂରପ ସ୍ଥିତି । ଏଠି ବି ଉଭୟ ଦଳଙ୍କୁ ୧୬ଟି ଲେଖାଏଁ ଆସନ ମିଳିବା ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାଙ୍କ ପୂର୍ବାନୁମାନ ପରେ ଟିଏମସି ସହ ଅନ୍ୟ ଦଳ ନିର୍ଣ୍ଣାୟକ ଭୂମିକା ନିଭାଇ ପାରନ୍ତି । ସରକାର ଗଠନ ପାଇଁ ରାଜ୍ୟରେ ଏବେ ଘୋଡ଼ା ବେପାର ଆଶଙ୍କା ଅଧିକ ଥିବାରୁ ନିଜ ବିଧାୟକଙ୍କୁ ସୁରକ୍ଷିତ ରଖିବା ଉପରେ ଜୋର ଦେଇଛନ୍ତି ଉଭୟ ଦଳ । ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦଳର ଗୁପ୍ତ ରଣନୀତି ସମ୍ପର୍କରେ ଅବଗତ କରାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାମନ୍ତ ।

ସେପଟେ ମଣିପୁରରେ ଏଥର କ୍ଷମତା ବଜାୟ ରଖିପାରନ୍ତି ଏନ୍. ବୀରେନ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର । କାରଣ ୬୦ ଆସନରୁ ବିଜେପିକୁ ୩୦ରୁ ଅଧିକ ସିଟ୍ ମିଳିବା ନେଇ ଆକଳନ କରିଛନ୍ତି ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥା । ସେପଟେ କଂଗ୍ରେସ ମେଣ୍ଟକୁ ମାତ୍ର ୧୩ ଓ ଅନ୍ୟାନ୍ୟ ଦଳକୁ ୧୭ ଆସନ ମିଳିବା ନେଇ ଅନୁମାନ କରାଯାଉଥିବାରୁ ବିଜେପିକୁ ସରକାର ଗଠନରେ ପ୍ରତିବନ୍ଧକ ଥିବା ଭଳି ମନେ ହେଉନି ।

ଚଳିତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ ସବୁଠୁ ଚର୍ଚ୍ଚାରେ ଥିବା ପଞ୍ଜାବରେ ଐତିହାସିକ ବିଜୟ ହାସଲ କରିପାରେ ଆମ ଆଦ୍‌ମୀ ପାର୍ଟି । ରାଜ୍ୟର ୧୧୭ ସିଟ୍‌ରୁ ପ୍ରାୟ ୬୦ ଆସନ ଜିତି ଅପ୍ କ୍ଷମତାକୁ ଆସୁଥିବା ଏକ୍‌ଜିଟ୍ ପୋଲ୍‌ରେ ଆକଳନ କରାଯାଇଛି ।