ସାରା ଦେଶରେ ଏବେ ହିମାଚଳ ପ୍ରଦେଶର ‘ସମୋସା’ ରାଜନୀତିକୁ ନେଇ ଚର୍ଚ୍ଚା । ସମୋସା ଚୋରି ମାମଲାରେ CID ତଦନ୍ତକୁ ନେଇ ସାରା ଦେଶରେ କରାଯାଉଛି ତାତ୍ସଲ୍ୟ ! ହେଲେ ସମୋସା ମାମଲାରେ ସିଆଇଡି ତଦନ୍ତ କଥାକୁ ଖଣ୍ଡନ କରିଛନ୍ତି ହିମାଚଳ ପ୍ରଦେଶ ସରକାର ।
ତେବେ ଏହି ‘ସମୋସା’ ବିବାଦ ଭିତରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଘଟଣା । ଯାହାକି ସମୋସା ରାଜନୀତିକୁ ଆହୁରି ଖୋରାକ ଯୋଗାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ହିମାଚଳ ପ୍ରଦେଶର ବିରୋଧୀ ଦଳ ନେତା ଜୟରାମ ଠାକୁର ମଣ୍ଡି ସର୍କିଟ୍ ହାଉସ୍ରେ ‘ସମୋସା’ ପାର୍ଟି ଦେଇଛନ୍ତି । ଏଥିରେ ଅନେକ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି ।
Also Read
ଖାଲି ସେତିକି ନୁହେଁ, ସମୋସା ପାର୍ଟିର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଛି । ଯାହାକୁ ନେଇ ଏବେ ରାଜନୀତି ଆହୁରି ସରଗରମ ହୋଇଛି । କୁହାଯାଉଛି ଜୟରାମଙ୍କ ଏହି ସମୋସା ପାର୍ଟି, ରାଜ୍ୟର କଂଗ୍ରେସ ସରକାରଙ୍କୁ କେବଳ ତାତ୍ସଲ୍ୟ ଓ ଅପମାନିତ କରିବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା ।
#WATCH | Mandi: Amid the 'samosa' controversy, Former Himachal Pradesh CM and LoP Jairam Thakur organises a samosa party with BJP workers at the Circuit House in Mandi.
— ANI (@ANI) November 8, 2024
(Source: Jairam Thakur Office) pic.twitter.com/wq1rrm57X0
କ’ଣ ଏହି ‘ସମୋସା’ ରାଜନୀତି ?
ମନ୍ତ୍ରୀଙ୍କ ଗୁହାଳରୁ ମଇଁଷି ହଜିବା ଓ ସାଂସଦଙ୍କ ବାଡ଼ିରୁ ପଣସ ଚୋରି ହେବାର ପୋଲିସ ତଦନ୍ତ କଥା ତ ଆପଣ ଶୁଣିଥିବେ । ହେଲେ ଏବେ ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ବାଟବଣା ହେବାର ସିଆଇଡି ତଦନ୍ତ ଭଳି ରୋଚକ ଘଟଣା।
ଘଟଣା ଅକ୍ଟୋବର ୨୧ର । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସିମଲା ସ୍ଥିତ CID ମୁଖ୍ୟାଳୟକୁ ଏକ ସମାରୋହରେ ଯୋଗ ଦେବାକୁ ଯାଇଥିଲେ । ତାଙ୍କ ଜଳଖିଆ ପାଇଁ ଲକ୍କଡ଼ ବାଜାରରେ ଥିବା ଫାଇଭ-ଷ୍ଟାର୍ ହୋଟେଲ ରେଡିସନ୍ ବ୍ଲୁ ରୁ ୩ ପ୍ୟାକେଟ୍ ସିଙ୍ଗଡ଼ା ଓ କେକ୍ ମଗାଯାଇଥିଲା ।
ଏହା ସହ ପଢ଼ନ୍ତୁ : Himachal Samosa Controversy: ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଷ୍ଟାଫ୍ ଖାଇଦେଲେ ‘ସିଙ୍ଗଡ଼ା’, ଶେଷରେ କରିବାକୁ ପଡ଼ିଲା CID ଯାଞ୍ଚ
ହେଲେ ଏଥିରେ ସେତେବେଳେ ଅସଲ ଟ୍ୱିଷ୍ଟ୍ ଆସିଲା, ଯେତେବେଳେ ଜଣାପଡ଼ିଲା ଯେ ୩ଟି ଯାକ ପ୍ୟାକେଟ୍ ସିଙ୍ଗଡ଼ା ଓ କେକ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିନି, ବରଂ ତାଙ୍କ ସୁରକ୍ଷା କର୍ମଚାରୀଙ୍କ ପେଟକୁ ଯାଇଛି । ଏକଥା ପ୍ରଘଟ ହେବା ପରେ, ସିଙ୍ଗଡ଼ା ରହସ୍ୟ ଭେଦିବା ପାଇଁ ତତକ୍ଷଣାତ୍ ତଦନ୍ତ ଆରମ୍ଭ କରିଥିଲା ସିଆଇଡି । ଜଣାପଡ଼ିଲା, ଜଣେ ଆଇଜି ରାଙ୍କ୍ ଅଧିକାରୀ ଜଣେ ସବଇନସ୍ପେକ୍ଟରଙ୍କୁ ହୋଟେଲରୁ ଜଳଖିଆ ପ୍ୟାକେଟ୍ ଆଣିବାକୁ କହିଥିଲେ । ସେ ଜଣେ ASI ଏବଂ ହେଡ୍ କନଷ୍ଟେବଲଙ୍କୁ ଏଥିପାଇଁ ହୋଟେଲ୍ ପଠାଇଲେ । ସେମାନେ ସିଙ୍ଗଡ଼ା ଓ କେକ୍ ଆଣି ଜଣେ ଲେଡି ଇନସପେକ୍ଟରଙ୍କୁ ଦେଲେ ଏବଂ ସେ କାହାକୁ କିଛି ନପଚାରି ଏହାକୁ ଜଳଖିଆ କଥା ବୁଝୁଥିବା ଟ୍ରାନ୍ସପୋର୍ଟ ସେକ୍ସନକୁ ହସ୍ତାନ୍ତର କଲେ।
ତେବେ ଏ ହାତରୁ ସେ ହାତ ହେବା ଭିତରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଜଳଖିଆ ପରଷି ଦିଆଗଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କୁ । କାରଣ କେବଳ ସବଇନସ୍ପେକ୍ଟର ହିଁ ଜାଣିଥିଲେ ଯେ ଏହି ଜଳଖିଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସୁଛି । ତେବେ ରୋଚକ କଥା ହେଉଛି, ଏହି ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ ଏବଂ ସିଆଇଡି ବିରୋଧୀ କାର୍ଯ୍ୟ ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଇଛି ସିଆଇଡି ।
ଏହା ସହ ପଢ଼ନ୍ତୁ : Jammu Kashmir Assembly: ଭୁଲିଗଲେ ସୌଜନ୍ୟ ! ଧାରା ୩୭୦କୁ ନେଇ ବିଧାନସଭାରେ ପ୍ରବଳ ହଙ୍ଗାମା
ବିଜେପି ସିଧାସଳଖ ସିଏମ୍ ସୁଖୁଙ୍କୁ ଟାର୍ଗେଟ୍ କରି କହିଛି, ରାଜ୍ୟର ବହୁ ବଡ଼ ବଡ଼ ଦୁର୍ନୀତିର ତଦନ୍ତ ହେଉନି, ହେଲେ ସିଙ୍ଗଡ଼ା କୁଆଡ଼େ ଗଲା ତାର ତଦନ୍ତ ହେଉଛି । ଏହା ସରକାର-ବିରୋଧୀ କାର୍ଯ୍ୟ କିପରି ହେଲା ବୋଲି ପଚାରିଛନ୍ତି ବିରୋଧୀ ଦଳ ନେତା ଜୟରାମ ଠାକୁର । ଅନ୍ୟପକ୍ଷରେ ସୁଖୁ କହିଛନ୍ତି- ସେଭଳି କିଛି ହୋଇନାହିଁ । ସିଆଇଡି ଦୁର୍ବ୍ୟବହାର ଘଟଣାର ତଦନ୍ତ କରୁଛି, ସିଙ୍ଗଡ଼ାର ନୁହେଁ । ସୁଖୁ-ସମୋସା-ସିଆଇଡି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତା ଉପରେ ନଜର ।