• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା ।

  • ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଚକ-ଅଖ ବନ୍ଦ ।

  • ବୌଦ୍ଧ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁରରେ ବନ୍ଦ ଡାକରା ।

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି । ଦିନକୁ ଦିନ ଜୋର ଧରୁଛି ପ୍ରତିବାଦର ସ୍ୱର । ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜିି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ଡାକରା ଦେଇଛି ବିଜେପି ।

ହେଲେ ବନ୍ଦରୁ ବାଦ ପଡିବ ଅତ୍ୟାବଶ୍ୟକ ସେବା ତଥା ଆମ୍ବୁଲାନ୍ସ ଏବଂ ଜରୁରୀକାଳିନ ସେବା । ସେହିପରି ସକାଳ ୬ଟାରୁ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ୧୨ ଘଣ୍ଟିଆ ବନ୍ଦ ପାଳନ କରିବ ବିଜେପି । ଭଦ୍ରକ ଜିଲ୍ଲାରେ ମଧ୍ୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ଦଳ । ଏପଟେ କଟକ ଏବଂ ରାଉରକେଲା ଏସ୍‌ପି ଅଫିସ ମଧ୍ୟ ବିଜେପି କର୍ମୀ ଓ ନେତା ଘେରାଉ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ସେପଟେ ଶୁକ୍ରବାର ମମିତା ହତ୍ୟା ମାମଲାରେ ବଲାଙ୍ଗିର ଏସ୍‌ପିଙ୍କୁ ଭେଟିଛନ୍ତି କେନ୍ଦ୍ରୀୟ ବିଜେପି ଟିମ୍ । ଏସ୍‌ପିଙ୍କୁ ଭେଟିବା ପରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ କହିଛନ୍ତି, ମନ୍ତ୍ରୀ ବାରମ୍ବାର ସେଠାକୁ ଆସୁଥିଲେ, ଅଭିଯୁକ୍ତ ସହ ତାଙ୍କର ଘନିଷ୍ଠତା ଥିଲା । ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବା ଉଚିତ ।

ଏହାସହ ସେ ଆହୁରି କହିଛନ୍ତି, ‘ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ, ତାଙ୍କୁ ବହିଷ୍କାର କରନ୍ତୁ । ଏମିତିକି ମିଡିଆ ସଂସ୍ଥା ନାଁରେ ମନ୍ତ୍ରୀଙ୍କ ମାନହାନୀ ମାମଲାକୁ ସମାଲୋଚନା କରି ମନ୍ତ୍ରୀ ତାଙ୍କ ପଦର କିପରି ଅପବ୍ୟବହାର କରୁଛନ୍ତି ଏହା ଜ୍ୱଳନ୍ତ ଉଦାହରଣ ବୋଲି କହିଛନ୍ତି  ଭି. ଶ୍ରୀନିବାସନ । ସେ ପଦର ଅବ୍ୟବହାର କରି ମିଡିଆ ହାଉସ୍‌କୁ ଧମକ ଦେଉଛନ୍ତି ବୋଲି ଭି. ଶ୍ରୀନିବାସନ୍‌ କହିଛନ୍ତି ।

ଏହା ପୂର୍ବରୁ ମମିତା ମେହେରଙ୍କ ପରିବାରକୁ ଭେଟିଥିଲା କେନ୍ଦ୍ରୀୟ ବିଜେପି ଟିମ୍ । ବଲାଙ୍ଗିର ଜିଲ୍ଲା କଣ୍ଟାବାଂଝି ଝରଣୀ ଗାଁକୁ ଯାଇ ମମିତାଙ୍କ ବାପା-ମାଆଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଥିଲେ ବିଜେପି ମହିଳା ମୋର୍ଚ୍ଚା । ରାଷ୍ଟ୍ରୀୟ ସଭାନେତ୍ରୀ ଭି.ଶ୍ରୀନିବାସନଙ୍କ ନେତୃତ୍ୱରେ ଆସିଥିବା ତିନି ଜଣିଆ ଟିମ୍ ଟିକିନିଖି ତଥ୍ୟ ସଂଗ୍ରହ କରି ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବ । ଦୋଷୀକୁ କଠୋର ଦଣ୍ଡ ଦେବାକୁ ଏହି ଟିମ୍ ଦାବି କରିଛି ।

ତେବେ ମମିତା ହତ୍ୟା ମାମଲାର ପ୍ରାୟ ୨୧ ଦିନ ପରେ ତଥା ଗତ ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଏକ ପ୍ରେସ୍‌ ବିବୃତ୍ତି ଜରିଆରେ ନିଜର ମତ ରଖିଛନ୍ତି । ଆଉ ତାଙ୍କର ବିବୃତ୍ତିକୁ ରାଜ୍ୟ ବିଜେପି ନିନ୍ଦା କରିଛି । ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତିରେ, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ମନ୍ତ୍ରୀଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି, ସେହି କଥାକୁ ନବୁଲାଇ ନିର୍ଦ୍ଧିଷ୍ଟ ଉତ୍ତର ଦେବା ସହ ୪ଟି ପ୍ରଶ୍ନର ପଚାରିଛନ୍ତି ଲେଖାଶ୍ରୀ । କହିଛନ୍ତି, ମମିତାଙ୍କ ପାଖରେ କେଉଁ ଭିଡିଓ ରହିଥିଲା, ତାହା ମନ୍ତ୍ରୀ ନିଜେ ସ୍ପଷ୍ଟ କରନ୍ତୁ । ରାୟପୁରରେ ମମିତା-ଗୋବିନ୍ଦ ସହ ଯେଉଁ ମିଟିଂ କଥା ଉଠୁଛି, ସେ ବିଷୟରେ ସ୍ପଷ୍ଟ କରନ୍ତୁ ।

ଏହାସହ ଗୋବିନ୍ଦ ଫେରାର ନେଇ ବିଭାଗୀୟ ମନ୍ତ୍ରୀ ଭାବେ ମଧ୍ୟ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ । ହତ୍ୟାରେ ଦୁଃଖିତ କହିଲେ କିନ୍ତୁ ପରିବାରକୁ ଭେଟିବାକୁ ଥରେ ବି ଗଲେନି ମନ୍ତ୍ରୀ । ଏଥିରୁ ସେ କେତେ ଦୁଃଖୀ ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି କହି ସମାଲୋଚନା କରିଛନ୍ତି ଲେଖାଶ୍ରୀ ।