• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶେଷରେ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଆସିଲା ଲାଇନ୍ । ଜଳିଲା ବିଜୁଳି ବତୀ । ଗାଁ ଲୋକଙ୍କ ଏତେ ଦିନର ସ୍ୱପ୍ନ ଆଜି ସତ ହୋଇଛି । ମୟୂରଭଂଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ପଞ୍ଚାୟତର ଉପରବେଡ଼ା ଡୁଙ୍ଗୁରିସାହିରେ ଆଜି ଇଲେକଟ୍ରିସିଟି ପହଞ୍ଚିଛି ।

ଏହି ଗାଁ  ହେଉଛି ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିଜ ଗାଁ । ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗାଁକୁ ଏପର୍ଯ୍ୟନ୍ତ ଲାଇନ୍ ଆସିନଥିବା ଓଟିଭି ଖବର ପ୍ରସାରଣ କରିଥିଲା । ତା’ପରେ ତତ୍ପର ହୋଇଥିଲା ପ୍ରଶାସନ । ଶନିବାରରୁ ବିଜୁଳି ଖୁଣ୍ଟ ପୋତା କାମ ଆରମ୍ଭ ହୋଇଥିଲା । ଗତକାଲି ୨୦ଟି ଖୁଣ୍ଟ ପୋତା ଯାଇଥିବା ବେଳେ ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରେ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ୍ ଚାର୍ଜ କରାଯାଇଥିଲା । ଏହା ପରେ ଜଳିଛି ବିଜୁଳିବତୀ । ଗାଁ ଲୋକେ ବହୁତ ଖୁସି ହୋଇଛନ୍ତି ।

ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି । ଏହା ମଧ୍ୟରେ ସେ ବିଧାୟକ ହୋଇଥିଲେ, ମନ୍ତ୍ରୀ ହୋଇଥିଲେ, ଏପରିକି ରାଜ୍ୟପାଳ ବି ହୋଇଥିଲେ । କିନ୍ତୁ ତାଙ୍କ ଗାଁକୁ ଏପର୍ଯ୍ୟନ୍ତ ଲାଇନ୍ ଆସିନଥିଲା । ଆଜି ଗାଁରେ ବିଜୁଳିବତୀ ଜଳିବା ପରେ ଗାଁ ଲୋକେ ବହୁତ ଖୁସି । ଅନେକ ଲୋକ କହିଛନ୍ତି, ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ହେବାରୁ ଗାଁକୁ ଆସିଛି ବିଜୁଳି ।

ରାଇରଙ୍ଗପୁର ବିଦ୍ୟୁତ ବିଭାଗ ନିର୍ବାହୀ ଅଧିକାରୀ ଚିନ୍ମୟ କୁମାର ବେହେରା, କୁସୁମି ବ୍ଲକ୍ ବିଦ୍ୟୁତ ବିଭାଗ ଏସ୍‌ଡିଓ ବିରସିଂ ସୋରେନ ଓ ଅନ୍ୟ କର୍ମଚାରୀ ଡୁଙ୍ଗୁରି ସାହିରେ ପହଞ୍ଚିଥିଲେ । ସର୍ଭେ କରି ଉପରବେଡ଼ା ବଡ଼ସାହି ଠାରୁ ୨୮ଟି ବିଦ୍ୟୁତ ଖୁଣ୍ଟ ପୋତିବା ପାଇଁ ସ୍ଥାନ ଚିହ୍ନଟ ହୋଇଥିଲା ଏବଂ ଖୁଣ୍ଟ ପୋତା କାମ ଆରମ୍ଭ କରାଯାଇଥିଲା । ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କ ଗାଁକୁ ବିଦ୍ୟୁତ୍ ସଂଯୋଗ ନଥିବା ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା ।

ଏହି ଗାଁରେ ଆଦିବାସୀ ଲୋକମାନେ ଆଶା କରିଥିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଗାଁକୁ ବିଜୁଳିବତୀ ନିଶ୍ଚୟ ଆସିବ । କେବଳ ସେତିକି ନୁହଁ ଗାଁର ଭାଗ୍ୟ ବଦଳି ଯିବ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ । ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର । ଅନେକ ଜାଣନ୍ତନିି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି କି ନାହିଁ । ତଥାପି ଦ୍ରୌପଦୀଙ୍କ ବିଷୟରେ ଖବର ପ୍ରସାରିତ ହେବାପରେ ଖୁସି କହିଲେ ନସେର ।