• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତର ଗୋଟିଏ ପରେ ଗୋଟିଏ ଗାଁକୁ ଆନ୍ଧ୍ର ନିଜ ହେପାଜତକୁ ନେବାକୁ କରୁଛି ଷଡ଼ଯନ୍ତ୍ର। ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି। ବିବାଦର ସମାଧାନ ପାଇଁ କୋରାପୁଟ ନନ୍ଦପୁର ବ୍ଲକ୍ ସୀମାନ୍ତ ରାଇପାଡ୍ ଗାଁରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ତେବେ ଆନ୍ଧ୍ର ଅଧିକାରୀ ବିନା କାଗଜପତ୍ରରେ ଆସିଥିବାରୁ ପୁଣିଥରେ ନନ୍ଦପୁର ଚାଟୁଆଠାରେ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି।

କୋଟିଆ, ସମ୍ବାଇ ପରେ ଏବେ ରାଇପାଡ୍ ଗାଁ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି। ଓଡ଼ିଶା ସୀମାନ୍ତ ଗାଁକୁ ନିଜ କବଜାକୁ ନେବା ଲାଗି ଗୋଟିଏ ପରେ ଗୋଟିଏ ଚାଲ୍ ଚଳାଇଛି ଆନ୍ଧ୍ର। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗଲୁରୁ ପଞ୍ଚାୟତରେ ରହିଛି ରାଇପାଡ୍ ଗାଁ। ହେଲେ କିଛି ବର୍ଷ ହେଲା ଏହି ଗାଁରେ ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ପ୍ରବେଶ କରି ଲୋକଙ୍କୁ ପ୍ରବର୍ତ୍ତାଇ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରୁଛନ୍ତି।

ଓଡ଼ିଶା ସରକାରଙ୍କୁ ପକ୍ଷରୁ ଏଠିକାର ଲୋକଙ୍କୁ ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଆନ୍ଧ୍ର ଏହି ରାଶିକୁ ବଢାଇ ୨୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ବିଭିନ୍ନ ଯୋଜନାରେ ସାମିଲ କରି ରାଇପାଡ୍ ବାସିନ୍ଦାଙ୍କୁ ନିଜ ଅଧିନରେ ରଖିବାକୁ ଯୋଜନା ଚଳାଇଛି ଆନ୍ଧ୍ର। 

ରାଇପାଡ୍ ନିଜ ରାଜ୍ୟ ଅଞ୍ଚଳ ବୋଲି ଦାବି କରୁଛନ୍ତି ଆନ୍ଧ୍ରର ସ୍ଥାନୀୟ ଅଧିକାରୀ। ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଇପାଡ୍ ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ପ୍ରଶାସନଙ୍କୁ ଚିଠି କରାଯାଇଥିଲା। ଆଜି ଆନ୍ଧ୍ରପ୍ରଦେଶ ଆଲୋରି ସୀତାରାମାରାଜୁ ଜିଲ୍ଲା ଡୁମୁରୀଗୁଡା ତହସିଲଦାରଙ୍କ ସମେତ ପୋଲିସ ପ୍ରଶାସନିକ ଅଧିକାରୀ, ରେଞ୍ଜର, ଫରେଷ୍ଟର ପ୍ରମୁଖ ପହଞ୍ଚିଥିଲେ।

ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡିଓ, ତହସିଲଦାରଙ୍କ ସମେତ୍ ନନ୍ଦପୁର ଏସଡିପିଓ, ଥାନା ଅଧିକାରୀ ଓ ଜଙ୍ଗଲ ବିଭାଗ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପୂର୍ବ ନିର୍ଦ୍ଧାରିତ ହୋଇଥିଲେ ବି ଆନ୍ଧ୍ର ଅଧିକାରୀ କୌଣସି କାଗଜପତ୍ର ଆଣିନଥିଲେ। ତେଣୁ ଓଡ଼ିଶାକୁ ପ୍ରବେଶ ବାରଣ କରାଯିବା ସହ ଆଗାମୀ ଦିନରେ ସୀମା ବିବାଦର ଆଲୋଚନା ପାଇଁ ନନ୍ଦପୁର ଚାଟୁଆରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି। ଏପଟେ ଆନ୍ଧ୍ରର ଦାବିକୁ ଖଣ୍ଡନ କରିଛନ୍ତି କୋରାପୁଟ ଉପଜିଲ୍ଲାପାଳ।

  • Reported by:
  • T GOURISHANKAR