/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643216496.jpg)
Farmer Protest
ଭୁବନେଶ୍ୱର: ବିଚ୍ରାସ୍ତାରେ ଗଦା ହୋଇଛି ଧାନବସ୍ତା, ରଖା ହୋଇଛି ଧାନତଳି। ଆଉ ଚାଷୀ ପାଳୁଛନ୍ତି ସାଧାରଣତନ୍ତ୍ର ଦିବସ। ମଣ୍ଡିରୁ ଧାନ ନଉଠିବାକୁ ନେଇ ଏମିତି ଅଭିନବ ପ୍ରତିବାଦ କରିଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ବୁରୁଝରୀ ଅଞ୍ଚଳର ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ରଖି ବସିଛନ୍ତି, କିନ୍ତୁ ମିଲରଙ୍କ ଦେଖାନାହିଁ ଆଉ ଯେଉଁ କାଁ ଭାଁ ମିଲର ଆସୁଛନ୍ତି, ଧାନ ଖରାପ ଥିବା ଆଳ ଦେଖାଇ କଟନୀ ଛଟନୀ ଦାବି କରୁଛନ୍ତି। ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ବେଳେ ତିନି ଦିନ ହେଲା ଚାଲିଛି ଚାଷୀ ଆନ୍ଦୋଳନ।
ତେବେ କେବଳ ବେଗୁନିଆପଡ଼ା ନୁହେଁ, ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ସୁବର୍ଣ୍ଣପୁର ଉଲୁଣ୍ଡା ଓ ବିନିକା ସମେତ କଳାହାଣ୍ଡି ଧର୍ମଗଡ଼ରେ ବି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ। ତେବେ ଭଦ୍ରକ ଚାନ୍ଦବାଲିରେ ଭିନ୍ନ ଚିତ୍ର। ମଣ୍ଡିକୁ ଧାନ ଆଣିବା ଲାଗି ବାରମ୍ବାର ଚାଷୀଙ୍କ ମୋବାଇଲକୁ ଆସୁଛି ମେସେଜ କିନ୍ତୁ ବଇରୀ ସାଜିଛି ଅଦିନିଆ ବର୍ଷା। ଧାନ ଓଦା ହୋଇଯାଇଥିବାରୁ ଖଳାକୁ ଆସିପାରୁନି କି ଅମଳ ହୋଇପାରୁନି। ଫଳରେ ଟୋକନ ଅବଧି ସରିଯିବା ଚିନ୍ତାରେ ଚାଷୀ।
ଧାନ ଉଠାଣ ସମସ୍ୟା ନେଇ ମନ୍ତ୍ରୀ ଅବଗତ ଥିଲେ ବି ଅଦିନିଆ ବର୍ଷାକୁ ଦୋଷ ଦେଇଛନ୍ତି। ଧାନ ଓଦା ଥିବାରୁ ମିଲର ଉଠାଇବାକୁ ରାଜି ହେଉନଥିବା କହିଛନ୍ତି। ତେବେ ଯେଉଁଠୁ ବି ଧାନ ଉଠାଣରେ ଅସୁବିଧା ଅଭିଯୋଗ ଆସୁଛି, ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କକରାଯାଉଥିବା କହିଛନ୍ତି ସମବାୟ ମନ୍ତ୍ରୀ।
ମଣ୍ଡିରୁ ଧାନ ନଉଠିବା ନେଇ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି ଚାଷୀ ଆନ୍ଦୋଳନ। ଏଣେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହେବାରେ ଲାଗିଛି ଗାଁ ରାଜନୀତି। ଏଭଳି ସ୍ଥିତିରେ ଚାଷୀ ଅସନ୍ତୋଷ, ସରକାରୀ ଦଳ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)